ଭଞ୍ଜନଗର,୨/୧୦(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଆଜିକୁ କିଛି ମାସ ହେବ ୧୦ରୁ ଉର୍ଦ୍ଧ୍ୱ ବନ ସୁରକ୍ଷା ସମିତି (ଭିଏସଏସ) କର୍ମକର୍ତ୍ତାଙ୍କ ସହ ବନ ବିଭାଗ ଅଧିକାରୀଙ୍କ ମଧ୍ୟରେ ପଡୁନାହିଁ । ଯାହାକୁ ନେଇ ଦିନକୁ ଦିନ ବନ ସୁରକ୍ଷା ସମିତି କର୍ମକର୍ତ୍ତା ଏବଂ ବିଭାଗ ମଧ୍ୟରେ ବିବାଦ ବଢୁଛି। ବିଭିନ୍ନ ସମୟରେ ଉକ୍ତ ବନ ସୁରକ୍ଷା ସମିତି ଗୁଡ଼ିକ ବିଭାଗର ସହଯୋଗ ନେଇ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସହଯୋଗ କାମନା କରୁଛନ୍ତି। ଆଉ କେତେବେଳେ ବିଭାଗର ଅବହେଳା ନେଇ ଅଭିଯୋଗ କରୁଛନ୍ତି। କିନ୍ତୁ ବିଭାଗ ସେମାନଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦେଉନାହିଁ ବୋଲି ଅଭିଯୋଗ ହେଉଛି। ଏହିଭଳି ପରିସ୍ଥିତିରେ ଗୁରୁବାରଠାରୁ ଆରମ୍ଭ ହୋଇଛି ବିଶ ବନ୍ୟପ୍ରାଣୀ ସପ୍ତାହ।
ଏହି ଉତ୍ସବ ପାଳନର ମୂଳ ଲକ୍ଷ୍ୟ ହେଲା ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସାଧାରଣ ଜନତାଙ୍କୁ ସଚେତନ କରାଇବା। ତେଣୁ ଜଗନ୍ନାଥପ୍ରସାଦ ରେଞ୍ଜ ବଣିଆପଲ୍ଲୀ ଭିଏସଏସ କର୍ମକର୍ତ୍ତା ନିଜସୱ ଖର୍ଚ୍ଚରେ ଆଜି ବନ୍ୟପ୍ରାଣୀ ସପ୍ତାହ ପାଳନ କରିଥିଲେ। ବନ ସୁରକ୍ଷା ସମିତି କର୍ମକର୍ତ୍ତା ମାନେ ସଭାକୁ ବନ ବିଭାଗ କର୍ମଚାରୀଙ୍କୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ସେମାନେ ଉତ୍ସବକୁ ଯାଇ ନ ଥିଲେ। ବୈଠକରେ ବରିଷ୍ଠ ଭିଏସଏସ କର୍ମକର୍ତ୍ତା ଲୋକନାଥ ଆଚାର୍ଯ୍ୟ, ସଭାପତି ବିଶନାଥ ନାଇକ, ଉପ ସଭାପତି ଗୀତା ନାୟକ, କୋଷାଧ୍ୟକ୍ଷ ନମିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ। ଏନେଇ ଡିଏଫଓ ହିମାଂଶୁ ଶେଖର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ଆସନ୍ତା ୬ ତାରିଖରେ ବନଖଣ୍ଡ ସ୍ତରୀୟ ଉତ୍ସବ ହେବ। ରେଞ୍ଜ ସ୍ଥରରେ ଆଜି ସେମିତି କେଉଁଠି ଉତ୍ସବ ହୋଇନାହିଁ। ସେମାନେ ଚାହିଁଲେ ନିଜେ ରେଞ୍ଜ ସ୍ତରରେ ଉତ୍ସବ କରିପାରିବେ।


