ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ନିଶା କାରବାରରୁ ଅପରାଧ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଗୁରୁବାର ଦିନ ଦ୍ବିପ୍ରହରରେ ଜିଲାର ଜଣେ ଆଗଧାଡିର ସ୍ବେଚ୍ଛାସେବୀ ତଥା ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲଙ୍କୁ ସଂଘବଦ୍ଧ ଆକ୍ରମଣ ଜିଲାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ପଦାରେ ପକାଇ ଦେଇଛି।
ବିକାଶଙ୍କୁ ଆକ୍ରମଣ ସହିତ ତାଙ୍କ ସୁନାଚେନକୁ ମଧ୍ୟ ଅଭିଯୁକ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଘଟଣାକୁ ଦୃଢ ନିନ୍ଦା କରାଯିବା ସହିତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ଜନ ଆନ୍ଦୋଳନ ହେବ ବୋଲି ଗୁରୁବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି।


