ଦିଗପହଣ୍ଡି/ପାଟପୁର,୩।୯(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ) :ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଏକ ଗଞ୍ଜେଇ ବୋଝେଇ ଅଟୋ ଜବତ କରିଛନ୍ତି। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଗଜପତି ଜିଲା ମୋହନା ଗ୍ରାମର ସୁନୀଲ କୁମାର ନାୟକଙ୍କୁ ଗିରଫ କରାଯାଇ ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟକୁ ଚାଲାଣ କରାଯାଇଛି। ଥାନାରେ ମାମଲା ନଂ.୪୧୭/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବୁଧବାର ସକାଳେ ପୋଲିସ ଟିମ ରାତ୍ରି କାଳୀନ ପାଟ୍ରୋଲିଂ ସାରି ଥାନାକୁ ଫେରୁଥିବା ବେଳେ ଏକ ଯାତ୍ରୀବାହୀ ଅଟୋ ଦ୍ରୁତଗତିରେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଦେଖି ପୋଡ଼ାମାରି ବନ ବିଭାଗ ତନଖି ଫାଟକ ନିକଟରେ ଅଟୋକୁ ଅଟକାଇ ଖାନ ତଲାସି କରିବାରୁ ସେଥିରେ ଏକ ଜରି ବସ୍ତା ରେ ଗଞ୍ଜେଇ ଥିବା ଜଣାପଡିଥିଲା। ଘଟଣାସ୍ଥଳରେ ଓଜନ କରାଯିବାରୁ ସେଥିରେ ୨୪ କେଜି ୧ ଶହ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା।


