ଥୁଆମୂଳ ରାମପୁର,୧୬ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବଡ଼ଛତ୍ରଙ୍ଗସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟଠାରେ ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଜେଏମ୍ଏଫ୍ସି କୋର୍ଟର ବିଚାରକ ଡଃ ତାରିଣୀ ପ୍ରସାଦ ସାହୁଙ୍କ ତତ୍ତ୍ୱାବଧାନରେ ଡ୍ରପ୍ ଆଉଟ୍ ଛାତ୍ରୀଛାତ୍ରଙ୍କ ପୁନଃ ନାମାଙ୍କନ ଉପରେ ଶନିବାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନିଜେ ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଜେଏମ୍ଏଫ୍ସି କୋର୍ଟର ବିଚାରକ ଡଃ ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମା’ ମାଣିକେଶ୍ୱରୀ ପ.ସ.ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଚ୍ଛିନା, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ହେମନ୍ତ କୁମାର ପଣ୍ଡା, ଆଇନଜୀବୀ ମାନରଞ୍ଜନ ନାଏକ, ଆଇନଜୀବୀ ପ୍ରିୟଙ୍କା ନାଏକ, ଆଇନଜୀବୀ ଦିଲୀପ କୁମାର ନାଏକ, କର୍ତ୍ତବ୍ୟ ଅନୁଷ୍ଠାନର ସଂଯୋଜକ ସନ୍ତୋଷ କୁମାର ଦାସ, ସ୍ଥାନୀୟ ସି.ଆର୍.ସି.ସି ଜୟ ସିଂ ମାଝୀ ପ୍ରମୁଖ ଉପସ୍ଥିତ ରହିଥିବା କାର୍ଯ୍ୟକ୍ରମକୁ ସୁଦର୍ଶନ ନାଏକ ପରିଚାଳନା କରିଥିଲେ l ମଞ୍ଚାସୀନ ଅତିଥି ନିଜ ନିଜ ମନ୍ତବ୍ୟରେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ କେମିତି ଆଗାମୀ ଦିନରେ ନିୟମିତ ସ୍କୁଲ ଆସି ଶିକ୍ଷାର ଲାଭ ପାଇବା ସହ ଘରେ ରହିଯାଇଥିବା ଛାତ୍ରୀଛାତ୍ର ପୁନର୍ବାର କେମିତି ବିଦ୍ୟାଳୟ ଯାଇ ଜଣେ ଜଣେ ଶିକ୍ଷିତ ମଣିଷ ହୋଇ ସମାଜରେ ଜଣେ ଭଲ ମଣିଷ ହେବାକୁ ପଡ଼ିବ କାହିଁକି ନା ଶିକ୍ଷା ହିଁ ଜଣେ ମଣିଷର ମେରୁଦଣ୍ଡ ବୋଲି ସମସ୍ତ ଛାତ୍ରୀଛାତ୍ର, ଶିକ୍ଷାନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ସମ୍ପୂର୍ଣ୍ଣ ଭାବରେ ସଚେତନର ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜେଏମ୍ଏଫ୍ କୋର୍ଟର କାର୍ମଚାରୀ ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭଜମନ ନାଏକ, ଏବଂ ଅନ୍ୟାନ୍ୟ ଶିକ୍ଷକ ସହଯୋଗ କରିଥିଲେ।


