ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତରେ ଉପ ସ୍ବାସ୍ଥ୍ୟକେନ୍ଦ୍ର କୋଠା ନିର୍ମାଣକୁ କେନ୍ଦ୍ରକରି ଗତ କିଛିଦିନ ଧରି ଉତ୍ତେଜନା ଲାଗି ରହିଛି। ମଙ୍ଗଳବାର ସରପଞ୍ଚ ଜ୍ୟୋତି ସେଠୀ,ପୂର୍ବତନ ସମିତିସଭ୍ୟ ସୂର୍ଯ୍ୟନାରାୟଣ ସାହୁ,ନାଏବ ସରପଞ୍ଚ ରାମଚନ୍ଦ୍ର ପାଇକ,ପଞ୍ଚାନନ ସାହୁ,କାଳୁ ସାହୁ,ନବଘନ ସେଠୀ,ବୃନ୍ଦାବନ ପାଇକଙ୍କ ନେତୃତ୍ୱରେ ବିଜୟ ଲକ୍ଷ୍ମୀନାରାୟଣପୁର, ରାଇପୁର, ଘାଟି କଣ୍ଡା ,ଘାଟି ଆମ୍ବ, ଖଜୁରିଆ, ପିମ୍ପଳପଡ଼ା, ଓଲ ଗୋଲଣ୍ଡା, ପଦ୍ମପୁର, କାମରାଖାଳି, କୁଶପଡ଼ା ଆଦି ଗ୍ରାମର ୩ ଶହରୁ ଊଦ୍ଧର୍ବ ମହିଳା ପୁରୁଷ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାର ସନ୍ତୋଷ କୁମାର ସାହୁଙ୍କୁ ସାକ୍ଷାତ କରି ସବିଶେଷ ଆଲୋଚନା କରିବା ସହ ସ୍ମାରକପତ୍ର ପ୍ରଦାନ କରିଥିଲେ। ପରେ ସେମାନେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡ଼.ଭବାନୀ ଶଙ୍କର ମିଶ୍ରଙ୍କୁ ସ୍ମାରକପତ୍ରର ନକଲ ପ୍ରଦାନ କରିବା ସହ ଅପରାହ୍ନରେ ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଙ୍କୁ ବ୍ରହ୍ମପୁରରେ ସାକ୍ଷାତ କରି ଆଲୋଚନା କରି ଫେରିଛନ୍ତି। ଉକ୍ତ ଉପ ସ୍ବାସ୍ଥ୍ୟକେନ୍ଦ୍ର କୋଠା ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ର୍ନିମାଣ କରା ନ ଗଲେ ଜନ ଆନ୍ଦୋଳନ କରାଯିବା ନିମନ୍ତେ ସେମାନେ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ବିଧାୟକ ଡ଼.ସୂର୍ଯ୍ୟନାରାୟଣ ପାତ୍ର ଙ୍କ ଉଦ୍ୟମରେ ପ୍ରାୟ ୫୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପଞ୍ଚାୟତ ମହକୁମା ବିଜୟ ଲକ୍ଷ୍ମୀନାରାୟଣପୁର ଗାଁରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଉପ ସ୍ବାସ୍ଥ୍ୟକେନ୍ଦ୍ର ( ଏଏନ୍ଏମ୍ ସେଣ୍ଟର ) ନିର୍ମାଣ ପାଇଁ ଜମି ଚିହ୍ନଟ କରାଯାଇଥିଲା। ଏଥି ନିମନ୍ତେ ଟେଣ୍ଡର ସରିଛି। କିନ୍ତୁ ସମ୍ପୃକ୍ତ ଠିକାଦାର ଏବଂ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଏହି ଉପ ସ୍ବାସ୍ଥ୍ୟକେନ୍ଦ୍ର ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ନ କରି ଅନ୍ୟ କାହାର ପରାମର୍ଶରେ ନିକଟସ୍ଥ ବନମାଳୀ ଗ୍ରାମରେ ନିର୍ମାଣ କରିବା ପାଇଁ
ମସୁଧା ଚଳାଇଛନ୍ତି। ଏପରିକି ବନମାଳୀ ଗ୍ରାମରେ କୋଠା ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରାଯାଇଛି। ଖବର ପ୍ରଚାରିତ ହେବା ପରେ ଏନେଇ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି।ସୋମବାର ରାତିରେ ଏନେଇ ଗ୍ରାମରେ ସଭା କରାଯାଇ ସମ୍ମିଳିତ ପ୍ରତିବାଦ କରାଯିବା ନିମନ୍ତେ ପ୍ରସ୍ତାବ ଗୃହୀତ କରାଯାଇଥିବା ଜଣାପଡିଛି। ସମ୍ପୃକ୍ତ ଠିକାଦାର କିମ୍ବା କନିଷ୍ଠଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


