ଲକ୍ଷ୍ନୌ,୧୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ବିଭୂତିଖଣ୍ଡ ଅଞ୍ଚଳରେ ଥିବା ଏକ ହୋଟେଲ ରୁମରୁ ଜଣେ ୪୩ ବର୍ଷୀୟା ବିଦେଶୀ ମହିଳାଙ୍କ ମୃତଦେହ ମିଳିଛି। ପୋଲିସ ମଙ୍ଗଳବାର ଏହି ସୂଚନା ଦେଇଛି। ବିଭୂତିଖଣ୍ଡ ପୋଲିସ ଷ୍ଟେଶନ ଚାର୍ଜ ଇନ୍ସପେକ୍ଟର (SHO) ସୁନୀଲ କୁମାର ସିଂ କହିଛନ୍ତି ଯେ ଏହି ମାମଲାର ତଦନ୍ତ କରାଯାଉଛି।
ସେ କହିଛନ୍ତି ଯେ ଉଜବେକିସ୍ତାନ ମହିଳା ଏଗାମ୍ବର୍ଡିଭା ଜେବୋ ମାର୍ଚ୍ଚ ୨ ତାରିଖରେ ସତନାମ ନାମକ ଜଣେ ଯୁବକଙ୍କ ସହିତ ଦିଲ୍ଲୀ ଆସିଥିଲେ ଏବଂ ବିଜୟନ୍ତଖଣ୍ଡର ଏକ ହୋଟେଲରେ ରହିଥିଲେ। ପୋଲିସ ଅଧିକାରୀ କହିଛନ୍ତି ଯେ ସତନାମ ପରେ ଫେରିଯାଇଥିଲେ ଏବଂ ତା’ପରେ ସେ ହୋଟେଲରେ ଏକା ଥିଲେ।
ପୋଲିସର ଏକ ବିବୃତ୍ତି ଅନୁଯାୟୀ, ବିଜୟନ୍ତଖଣ୍ଡର ହୋଟେଲ ଅତିଥି ଇନ ରୁମ ନମ୍ବର ୧୦୯ରେ ଜଣେ ମହିଳା ଅଚେତ ଅବସ୍ଥାରେ ପଡ଼ିଥିବା ସୂଚନା ପାଇ ଜରୁରୀକାଳୀନ ହେଲ୍ପଲାଇନ ୧୧୨ ରେ ଏକ କଲ ଆସିଥିଲା। ବିବୃତ୍ତିରେ କୁହାଯାଇଛି, ’ସୂଚନା ପାଇବା ମାତ୍ରେ ଏକ ପୋଲିସ ଦଳ ହୋଟେଲରେ ପହଞ୍ଚିଥିଲା ଏବଂ ଅଚେତ ମହିଳାଙ୍କୁ ତୁରନ୍ତ ରାମ ମନୋହର ଲୋହିଆ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


