ଆରଟେମିସ ଚନ୍ଦ୍ର ଅଭିଯାନ

ଯୁକ୍ତରାଷ୍ଟ୍ର ଆମେରିକାର ଶେଷ ଚନ୍ଦ୍ର ଅଭିଯାନ ୧୯୭୨ ମସିହାରେ ହୋଇଥିଲା। ଏବେ ଏହାର ଠିକ୍‌ ୫୦ ବର୍ଷ ପରେ ଚନ୍ଦ୍ରକୁ ଆଉ ଏକ ଅଭିଯାନ ପ୍ରେରଣ କରିବାକୁ ଯାଉଛି l ଏହି ଅଭିଯାନର ନାମ ଆରଟେମିସ (Artemis) l ଏହି ଅଭିଯାନ ଜରିଆରେ ଚନ୍ଦ୍ରପୃଷ୍ଠର ବିସ୍ତୃତ ଅନୁସନ୍ଧାନ ବ୍ୟତୀତ ସୁଦୂର ଅନ୍ତରୀକ୍ଷର ଅନ୍ୟାନ୍ୟ ସ୍ଥାନକୁ ଯାତ୍ରା କରିହେବ ବୋଲି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ଆଶା ବାନ୍ଧିଛି। ଏହି ଅଭିଯାନର ପ୍ରଥମ ରକେଟ ‘ସ୍ପେଶ ଲଞ୍ଚ ସିଷ୍ଟମ: SLS’କୁ ଆଗାମୀ ମେ’ ମାସରେ ଚନ୍ଦ୍ରଯାତ୍ରା ଉଦ୍ଦେଶ୍ୟରେ ଫ୍ଲୋରିଡାସ୍ଥିତ କେନେଡି ଅନ୍ତରୀକ୍ଷ କେନ୍ଦ୍ରକୁ ନିକଟରେ ସ୍ଥାନାନ୍ତରିତ କରାଯାଇଛି। ଏହି ଅଭିଯାନକୁ ଗ୍ରୀକ୍‌ ପୁରାଣର ଚନ୍ଦ୍ର ତଥା ବନ୍ୟଶିକାରର ଦେବୀ ଆରଟେମିସଙ୍କ ନାମ ଅନୁସାରେ ନାମିତ କରାଯାଇଛି। ଗ୍ରୀକ୍‌ ପୁରାଣରେ ଆରଟେମିସଙ୍କୁ ସୂର୍ଯ୍ୟ, ଆଲୋକ ତଥା ଜ୍ଞାନର ଦେବତା ଆପୋଲୋ (Apollo)ଙ୍କ ଯମଜ ଭଗିନୀ ତଥା ଶିକାରୀ ପୁରୁଷ ଓରିଓନ (Orion)ର ସାଥୀ ରୂପେ ବର୍ଣ୍ଣନା କରାଯାଇଛି।
ଚନ୍ଦ୍ର ଅଭିଯାନର ଇତିହାସ: ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଉଭୟ ରୁଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତି। ରୁଷିଆର ଏକ ଯାନ ‘ଲୁନା -୨’, ୧୯୫୯ ମସିହା ସେପ୍ଟେମ୍ବର ୧୪ ତାରିଖରେ ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରେ। ଏହି ସିରିଜର ପରବର୍ତ୍ତୀ ଯାନ ‘ଲୁନା -୩’ ସେହି ୧୯୫୯ ମସିହା ଅକ୍ଟୋବର ୭ ତାରିଖରେ ଚନ୍ଦ୍ର ଚାରିପଟେ ଘୂରିଘୂରି ପ୍ରଥମଥର ପାଇଁ ଚନ୍ଦ୍ରର ଦୂରପାର୍ଶ୍ୱର ଫଟୋଚିତ୍ର ଉତ୍ତୋଳନ କରେ। ରୁଷିଆର ଅନ୍ୟ ଦୁଇ ଯାନ ‘ଲୁନା -୯’ ଓ ‘ଲୁନା -୧୭’ ୧୯୬୬ ମସିହାରେ ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରିବାକୁ ସକ୍ଷମ ହୁଅନ୍ତି। ଚନ୍ଦ୍ର ଅଭିଯାନରେ ଏପର୍ଯ୍ୟନ୍ତ ପଛରେ ପଡ଼ିଥିବା ଯୁକ୍ତରାଷ୍ଟ୍ର ଆମେରିକା ‘ଆପୋଲୋ’ କାର୍ଯ୍ୟକ୍ରମ ଭଳି କିଛି ମନୁଷ୍ୟ ଥିବା ଅଭିଯାନକୁ ହାତକୁ ନିଏ। ଏହାର ଏକ ଅଭିଯାନ ‘ଆପୋଲୋ-୮’ ଜରିଆରେ ତିନି ଜଣ ମହାକାଶଚାରୀ ୧୯୬୮ ମସିହା ଡିସେମ୍ବର ୨୪ ତାରିଖ ଦିନ ଚନ୍ଦ୍ରକୁ ସଫଳତା ପୂର୍ବକ ପରିକ୍ରମା କରିବାକୁ ସକ୍ଷମ ହୁଅନ୍ତି। ମାତ୍ର ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଥିଲା ୧୯୬୯ ମସିହା ଜୁଲାଇ ୨୦ ତାରିଖ: ଏହି ଦିନ ତିନି ଜଣ ମହାକାଶଚାରୀଙ୍କୁ ନେଇ ଯାଇଥିବା ଅନ୍ୟ ଏକ ଯାନ ‘ଆପୋଲୋ -୧୧’ ଚନ୍ଦ୍ରପୃଷ୍ଠରେ ସଫଳତା ପୂର୍ବକ ଅବତରଣ କରେ ଏବଂ ମହାକାଶଚାରୀ ନେଲ୍‌ ଆରମଷ୍ଟ୍ରଙ୍ଗ ସର୍ବପ୍ରଥମେ ଚନ୍ଦ୍ରପୃଷ୍ଠରେ ପଦାର୍ପଣ କରନ୍ତି। ପରବର୍ତ୍ତୀ ୧୯୭୦ ମସିହା ନଭେମ୍ବର ୧୭ ତାରିଖରେ ରୁଷିଆ ଚନ୍ଦ୍ରପୃଷ୍ଠକୁ ଏକ ସଫଳ ଅଭିଯାନ ପ୍ରେରଣ କରିଥିଲା। ଏଥିରୁ ଏକ ଚକଲଗା ଗାଡି (ନାମ : ଲୁନାଖୋଡ଼-୧) ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରେ। ଯୁକ୍ତରାଷ୍ଟ୍ର ଆମେରିକା ୧୯୭୨ ମସିହା ଡିସେମ୍ବର ମାସରେ ‘ଆପୋଲୋ -୧୭’ ଯାନ ଜରିଆରେ ଚନ୍ଦ୍ରକୁ ନିଜର ଶେଷ ଅଭିଯାନ ପ୍ରେରଣ କରିଥିଲା। ରୁଷିଆର ଅନ୍ୟ ତିନି ଅଭିଯାନ ଯଥା ‘ଲୁନା -୧୬’, ‘ଲୁନା – ୨୦’ ଓ ‘ଲୁନା -୨୪’ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ସମୁଦାୟ ୬ଟି ଅଭିଯାନ (ଯଥା ‘ଆପୋଲୋ -୧୧’ରୁ ‘ଆପୋଲୋ-୧୭: ଆପୋଲୋ-୧୩ ବ୍ୟତୀତ) ଚନ୍ଦ୍ର ପୃଷ୍ଠରୁ ଶିଳାପଥର ସଂଗ୍ରହ କରି ପୃଥିବୀକୁ ଆଣିବାକୁ ସକ୍ଷମ ହୋଇଛନ୍ତି।
ଆରଟେମିସ ଅଭିଯାନର ଅଭିପ୍ରାୟ: ଆରଟେମିସ ଅଭିଯାନର ଅଭିପ୍ରାୟ ବିଗତ ଆପୋଲୋ ଅଭିଯାନଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ। ଆପୋଲୋ ଅଭିଯାନ ଚନ୍ଦ୍ରପୃଷ୍ଠକୁ ସଂକ୍ଷିପ୍ତ ପରିଦର୍ଶନ ନିମନ୍ତ ଉଦ୍ଦିଷ୍ଟ ଥିଲାବେଳେ ଆରଟେମିସ ଅଭିଯାନ ଦ୍ୱାରା ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଠରେ ଦୀର୍ଘ ଦିନ ଅବସ୍ଥାନ କରି ବିସ୍ତୃତ ଅନୁସନ୍ଧାନ କରିବେ ବୋଲି ଆଶା କରାଯାଏ। ଏହି ଅଭିଯାନକୁ ଭିତ୍ତି କରି ମଙ୍ଗଳ ଗ୍ରହକୁ ମଧ୍ୟ ଏକ ମାନବ ଥିବା ଅଭିଯାନ ପ୍ରେରଣ କରାଯାଇପାରିବ।
ରକେଟ ଓ କ୍ୟାପସୁଲ: ଆରଟେମିସ ଅଭିଯାନରେ ଏକ ଶକ୍ତିଶାଳୀ ରକେଟ ଅନ୍ତର୍ଭୁକ୍ତ ଅଛି, ଯାହା ମାନବ କିମ୍ବା ଯନ୍ତ୍ରାବଳି ସ୍ଥାନିତ ଥିବା ଏକ କ୍ୟାପସୁଲକୁ ନେଇ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିପାରିବ। ଏହି ରକେଟର ନାମ: ସ୍ପେଶ ଲଞ୍ଚ ସିଷ୍ଟମ: SLS। ଏହାର ଉଚ୍ଚତା ୨୧୨ ଫୁଟ ଏବଂ ବ୍ୟାସ ୨୭.୬ ଫୁଟ। ଏହାକୁ ଗତି ପ୍ରଦାନ କରିବା ପାଇଁ ୪ଟି ଦକ୍ଷ ଇଞ୍ଜିନ୍‌ ଖଞ୍ଜା ଅଛି, ଯାହା ମହାକାଶର ଅତି ଶୀତଳ ତାପମାତ୍ରାରେ କାର୍ଯ୍ୟ କରିପାରିବ। ଏହା ବିଶ୍ୱର ସବୁଠାରୁ ଉଚ୍ଚା, ଶକ୍ତିଶାଳୀ ଓ ଅଧିକ ଭାର ବହନ କରି ପାରୁଥିବା ରକେଟ। ଏହି ରକେଟ ନିଜର ଅଗ୍ରଭାଗରେ ମନୁଷ୍ୟ ଥିବା ଏକ କ୍ୟାପସୁଲକୁ ବହନ କରି ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ। ଏହି କ୍ୟାପସୁଲର ନାମ ଓରିଓନ (Orion) ରଖାଯାଇଛି ଯାହାର ଓଡ଼ିଆରେ ନାମ କାଳପୁରୁଷ। କ୍ୟାପସୁଲ ମଧ୍ୟରେ ମନୁଷ୍ୟ ଅବସ୍ଥାନ କରି ମହାକାଶରେ ପରୀକ୍ଷା ନିରୀକ୍ଷା କରିବା ପାଇଁ ସମସ୍ତ ବ୍ୟବସ୍ଥା ଅଛି। ଏହା ମଧ୍ୟ ଅନ୍ତରୀକ୍ଷରୁ ମହାକାଶଚାରୀଙ୍କୁ ନେଇ ପୃଥିବୀର ବାୟୁମଣ୍ଡଳ ମଧ୍ୟରେ ପ୍ରବେଶ କରି ସୁରକ୍ଷିତ ଅବତରଣ କରିପାରିବ। ଏଥିରେ ୬ ଜଣ ମହାକାଶଚାରୀ ଏକସମୟରେ ଆରୋହଣ କରି ଏକ ନିମ୍ନ ପୃଥିବୀ କକ୍ଷପଥ (Lower Earth Orbit) ରେ ୨୧ ଦିନ କାଳ ଅବସ୍ଥାନ କରିପାରିବେ। ଶକ୍ତି ଆହରଣ ନିମନ୍ତେ ଏଥିରେ ସୌରଫଳକ ଏବଂ ଗତି ପ୍ରଦାନ ନିମନ୍ତେ ମୁଖ୍ୟ ଇଞ୍ଜିନ ସମେତ ସମୁଦାୟ ୮ଟି ସହାୟକ ଇଞ୍ଜିନ ସ୍ଥାନିତ ଅଛି। ଏହାର ଉତ୍‌କ୍ଷେପଣ କାଳୀନ ଓଜନ ୧୦,୪୦୦ କି. ଗ୍ରା.। ଏହି କ୍ୟାପସୁଲକୁ ମଧ୍ୟ ଅନେକ ଥର ବ୍ୟବହାର କରି ଅଭିଯାନ ଖର୍ଚ୍ଚ ହ୍ରାସ କରାଯାଇପାରିବ।
ଅଭିଯାନ: ପ୍ରଥମ ଆରଟେମିସ ଅଭିଯାନ ‘ଆରଟେମିସ-୧’ ଚଳିତବର୍ଷ ମେ ମାସର ଶେଷ ଆଡ଼କୁ ଯାତ୍ରାରମ୍ଭ କରିବ। ଏହା ଚନ୍ଦ୍ର କକ୍ଷପଥରେ ଏକ ମାନବବିହୀନ ଓରିଓନ କ୍ୟାପସୁଲ ସ୍ଥାପନ କରିବ। ଏହି କ୍ୟାପସୁଲ ଚନ୍ଦ୍ରକୁ ପରିକ୍ରମା କରି କିଛିଦିନ ପରେ ପୃଥିବୀ ପ୍ରତ୍ୟାବର୍ତ୍ତନ କରିବ। ଦ୍ୱିତୀୟ ଅଭିଯାନ ‘ଆରଟେମିସ-୨’ ଆଗାମୀ ୨୦୨୪ ମସିହାରେ ଯାତ୍ରାରମ୍ଭ କରିବ। ଏହା ଚନ୍ଦ୍ର କକ୍ଷପଥରେ ମାନବ ଥିବା ଓରିଓନ କ୍ୟାପସୁଲ ସ୍ଥାପନ କରିବ। ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବେ ନାହିଁ; ବରଂ ଚନ୍ଦ୍ରକୁ ପରିକ୍ରମା କରି କିଛି ଦିନ ପରେ ସେହି କ୍ୟାପସୁଲ ଜରିଆରେ ପୃଥିବୀକୁ ଫେରିଆସିବେ। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆରଟେମିସ -୩ ଅଭିଯାନ ୨୦୨୫ ମସିହାରେ ଯାତ୍ରାରମ୍ଭ କରିବ। ଏଥିରେ ଜଣେ ମହିଳା ମହାକାଶଚାରୀଙ୍କ ସମେତ ସମୁଦାୟ ଚାରି ଜଣ ଯାତ୍ରୀ ରହିବେ। ସେମାନେ ଓରିଓନ କ୍ୟାପସୁଲ ଜରିଆରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବେ। ସେମାନେ ଚନ୍ଦ୍ରପୃଷ୍ଠରେ ୬ ଦିନ କାଳ ଅବସ୍ଥାନ କରି ବିଭିନ୍ନ ପରୀକ୍ଷା ନିରୀକ୍ଷା ସମ୍ପାଦନ ପୂର୍ବକ ସେହି ଓରିଓନ କ୍ୟାପସୁଲ ଜରିଆରେ ପୃଥିବୀ ପ୍ରତ୍ୟାବର୍ତ୍ତନ କରିବେ। ପରବର୍ତ୍ତୀ ଆରଟେମିସ ଅଭିଯାନଗୁଡିକ ଜରିଆରେ ଚନ୍ଦ୍ରପୃଷ୍ଠରେ ମନୁଷ୍ୟର ଏକ ସ୍ଥାୟୀ ଘାଟି ପ୍ରତିଷ୍ଠା କରାଯିବ ଏବଂ ସେଠାକୁ ବିସ୍ତୃତ ଅନୁସନ୍ଧାନ ନିମନ୍ତେ ବହୁସଂଖ୍ୟକ ଭାରି ଉପକରଣ, ଯନ୍ତ୍ରମାନବ ଓ ସେନ୍ସର ନିୟମିତ ପ୍ରେରଣ କରାଯିବ। ଏହି ସୁବିଶାଳ ଭିତ୍ତିଭୂମିକୁ ବ୍ୟବହାର କରି ମହାକାଶଚାରୀମାନେ ଚନ୍ଦ୍ରକୁ ବିସ୍ତୃତ ଅନୁଧ୍ୟାନ କରିବା ସାଙ୍ଗକୁ ମଙ୍ଗଳ ତଥା ଅନ୍ତରୀକ୍ଷର ଅନ୍ୟ ଗଭୀରତମ ଇଲାକାକୁ ଯାତ୍ରା କରିବା ପାଇଁ ପ୍ରସ୍ତୁତ ହେବେ। ସୁତରାଂ ନାସାର ଆରଟେମିସ ଅଭିଯାନ ଦ୍ୱାରା ରୂପେଲି ଜହ୍ନ ରାଇଜର ଅନେକ ରହସ୍ୟ ରୋମାଞ୍ଚଭରା ତଥ୍ୟ ଉନ୍ମୋଚିତ ହୋଇପାରିବ ବୋଲି ଆଶା କରାଯାଏ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...

ତାହେରପୁରରେ ଲ୍ୟାଣ୍ଡ କରିପାରିଲାନି ମୋଦିଙ୍କ ହେଲିକପ୍ଟର, ହଠାତ୍….

ନୂଆଦିଲ୍ଲୀ, ୨୦।୧୨:  ଖରାପ ପାଗ ଯୋଗୁଁ ଲ୍ୟାଣ୍ଡ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିନଥିଲା।...

୩୦ବର୍ଷ ପରେ ବିରଳ ନବପଞ୍ଚମ ମହାଯୋଗ, ଶିନଙ୍କ କୃପାରେ ନୂଆବର୍ଷରେ ଧନୀ ହେବେ ମକର ସହ ଏହି ୨ରାଶି

ନୂଆବର୍ଷ ୨୦୨୬ର ଆରମ୍ଭ ଜ୍ୟୋତିର୍ବିଦମାନଙ୍କ ପାଇଁ ବହୁତ ଖାସ୍ ହବାକୁ ଯାଉଛି । ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଥିବା ବେଳେ ଏହାର ପରଦିନ...

ପାକିସ୍ତାନକୁ କଲେ ଖୁବ ପ୍ରଶଂସା, ଟ୍ରମ୍ପଙ୍କୁ କହିଲେ ଶାନ୍ତି ଦୂତ, ରୁବିଓଙ୍କ ବୟାନକୁ ନେଇ ହେଉଛି ଖୁବ ଚର୍ଚ୍ଚା!

ଓ୍ବାଶିଂଟନ,୨୦।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦକୁ ଉଲ୍ଲେଖ କରି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉବେଳେ ଅଣ୍ଡାମାଡ଼ କଲା ଯୁବ କଂଗ୍ରେସ

ଭୁବନେଶ୍ୱର,୨୦ା୧୨: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଭିଯୋଗରେ ଗର୍ଜନ କରିଛି ଯୁବ କଂଗ୍ରେସ। ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛି ଯୁବ...

୧୨ ବର୍ଷ ପରେ ବି ମିଳୁନି ସରକାରୀ ସୁବିଧା, ପ୍ରଶାସନିକ ଅବହେଳାର ଶିକାର ବଳିଆ

ଗଞ୍ଜାମ,୨୦ା୧୨(ଅନାଥ ତରାଇ): ସରକାରୀ ଯୋଜନା କାହା ପାଇଁ? ଯୋଗ୍ୟ ହିତାଧିକାରୀଙ୍କୁ ସୁବିଧା ଯୋଗାଇଦେବା କ୍ଷେତ୍ରରେ ପ୍ରଶାସନିକ ବିଫଳତାର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ...

ବାଂଲାଦେଶ ହିଂସାକୁ ନେଇ ବଡ଼ ଚେତାବନୀ ଦେଲେ ଶଶି ଥରୁର! କହିଲେ ଏହା ଭାରତ ପାଇଁ…

ନୂଆଦିଲ୍ଲୀ,୨୦।୧୨: ବରିଷ୍ଠ କଂଗ୍ରେସ ନେତା ଏବଂ ବୈଦେଶିକ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଶଶି ଥରୁର ବାଂଲାଦେଶରେ ବଢୁଥିବା ରାଜନୈତିକ ସଙ୍କଟ ସମ୍ପର୍କରେ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri