ଲୁଧିଆନା,୧୬।୮: ଜଣେ ଛୋଟ ଚାଷୀ ଟ୍ରେନ୍ର ମାଲିକ! ବିଶ୍ୱାସ ନ ହେଲେ ବି ଏହା ସମ୍ପୂର୍ଣ୍ଣ ସତ୍ୟ! ରେଳବାଇର ଭୁଲ ଯୋଗୁଁ ଜଣେ ଚାଷୀ ସମ୍ପୂର୍ଣ୍ଣ ଟ୍ରେନ୍ର ମାଲିକ ହୋଇଯାଇଥିଲେ! ଆସନ୍ତୁ ଜାଣିବା ପୂରା କାହାଣୀ।
ପଞ୍ଜାବର ଜଣେ କୃଷକ ପାଞ୍ଚ ମିନିଟ ପାଇଁ ଶତାବ୍ଦୀ ଏକ୍ସପ୍ରେସ ଟ୍ରେନର ମାଲିକ ହୋଇଥିଲେ। ଲୁଧିଆନାର କଟାନା ଗ୍ରାମର ବାସିନ୍ଦା ସମ୍ପୂରଣ ସିଂହ ଏକ କୋର୍ଟ ଆଦେଶ ଅନୁଯାୟୀ ଦିଲ୍ଲୀ-ଅମୃତସର ଶତାବ୍ଦୀ ଏକ୍ସପ୍ରେସର ମାଲିକାନା ହାସଲ କରି ଇତିହାସ ରଚିଥିଲେ। ପଞ୍ଜାବର ଚାଷୀ ସମ୍ପୁରଣ ସିଂହ ପୂରା ଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନର ମାଲିକ ହୋଇ ଇତିହାସ ସୃଷ୍ଟି କରିଥିଲେ। ଏହି ଘଟଣା ଭାରତୀୟ ରେଳବାଇର ଅବହେଳାର ଏକ ବଡ଼ ଉଦାହରଣ। ଭୁଲ୍ ବୁଝିବା ପରେ କୋର୍ଟଙ୍କ ନିର୍ଦ୍ଦେଶ ଶୀଘ୍ର ବାତିଲ କରାଯାଇଥିଲା।
ଯଦିଓ ଆଇନଗତ ଭାବରେ, ଭାରତରେ କୌଣସି ବ୍ୟକ୍ତି ଭାରତୀୟ ରେଳ ଲାଇନରେ ଟ୍ରେନ୍ କିଣିପାରିବେ ନାହିଁ କିମ୍ବା ନିଜସ୍ୱ ଟ୍ରେନ୍ ଚଲାଇପାରିବେ ନାହିଁ। ତଥାପି, ସେହି ସମୟରେ, ପଞ୍ଜାବର ସମ୍ପୁରଣ ସିଂହଙ୍କ ଏହି ଘଟଣା ସମଗ୍ର ଦେଶର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ଘଟଣା ଅନୁଯାୟୀ, ୨୦୦୭ ମସିହାରେ ଲୁଧିଆନା-ଚଣ୍ଡିଗଡ଼ ରେଳ ଲାଇନ ନିର୍ମାଣ ପାଇଁ ରେଳବାଇ ଦ୍ୱାରା ସମ୍ପୂରଣ ସିଂହଙ୍କ ସମେତ ଅନେକ କୃଷକଙ୍କ ଜମି ଅଧିଗ୍ରହଣ କରାଯାଇଥିଲା। ରେଳବାଇ ଏକର ପିଛା ୨୫ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଥିବା ବେଳେ ପାଖାପାଖି ଗାଁର କୃଷକମାନେ ଏକର ପିଛା ୭୧ ଲକ୍ଷ ଟଙ୍କା ପାଇଥିଲେ। ଏହି ବୈଷମ୍ୟରେ ଅସନ୍ତୁଷ୍ଟ ହୋଇ ସମ୍ପୂରଣ ସିଂହ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ପ୍ରଥମେ କ୍ଷତିପୂରଣକୁ ୫୦ ଲକ୍ଷ ଏବଂ ପରେ ୧.୫ କୋଟି ଟଙ୍କାକୁ ବୃଦ୍ଧି କରିଥିଲେ। କିନ୍ତୁ ୨୦୧୫ ମସିହା ସୁଦ୍ଧା ରେଳବାଇ ମାତ୍ର ୪୨ ଲକ୍ଷ ଟଙ୍କା ପ୍ରଦାନ କରିଥିଲା।
୨୦୧୭ ମସିହାରେ ଜିଲା ଓ ସେସନ୍ସ ଜଜ ଜସପାଲ ବର୍ମା ଅବଶିଷ୍ଟ କ୍ଷତିପୂରଣ ପରିଶୋଧ ନ ହେବାରୁ ଲୁଧିଆନା ଷ୍ଟେସନରେ ଶତାବ୍ଦୀ ଏକ୍ସପ୍ରେସ ଓ ଷ୍ଟେସନ ମାଷ୍ଟରଙ୍କ କାର୍ଯ୍ୟାଳୟକୁ ଜବତ କରିବାକୁ ଆଦେଶ ଦେଇଥିଲେ। ସମ୍ପୂରଣ ସିଂହ ତାଙ୍କ ଓକିଲ ରାକେଶ ଗାନ୍ଧୀଙ୍କ ସହ ଷ୍ଟେସନକୁ ଯାଇ ଟ୍ରେନର ଆନୁଷ୍ଠାନିକ ମାଲିକାନା ହାସଲ କରିଥିଲେ। କିନ୍ତୁ, ଯାତ୍ରୀମାନଙ୍କ ଅସୁବିଧା ଏ ପାଇଁ ସେ ଟ୍ରେନଟିକୁ ଚଳାଇବାକୁ ଅନୁମତି ଦେଇଥିଲେ। ପାଞ୍ଚ ମିନିଟ ମଧ୍ୟରେ ରେଳବାଇ ଅଧିକାରୀମାନେ କୋର୍ଟ ଅଧିକାରୀଙ୍କ ମାଧ୍ୟମରେ ଟ୍ରେନଟିକୁ ପୁନରୁଦ୍ଧାର କରିଥିଲେ।
ସମ୍ପୂରଣ ସିଂହଙ୍କ ଓକିଲ ରାକେଶ ଗାନ୍ଧୀ କହିଛନ୍ତି ଯେ, ରେଳବାଇର ବକୟା ପରିଶୋଧ ନ ହେବାରୁ କୋର୍ଟ ତାଙ୍କୁ ସମ୍ପତ୍ତି ଚିହ୍ନଟ କରିବାକୁ ଅନୁମତି ଦେଇଥିଲେ। ଏହି ଘଟଣା ଭାରତୀୟ ରେଳବାଇ ଇତିହାସରେ ଏକ ଅଭୂତପୂର୍ବ ଘଟଣା ଭାବେ ରେକର୍ଡ ହୋଇଛି। ସମ୍ପୂରଣ ସିଂହଙ୍କ ମାମଲା ଏପର୍ଯ୍ୟନ୍ତ କୋର୍ଟରେ ଚାଲିଛି ଏବଂ ସେ ନ୍ୟାୟପୂର୍ଣ୍ଣ ମୁଆବଜା ପାଇଁ ଲେଇ ଜାରି ରଖିଛନ୍ତି।


