ଭଦ୍ରକ,୧୫ା୮(ସନାତନ ରାଉତ): ଭଦ୍ରକ କଲେଜ ପଡ଼ିଆରେ ଜିଲାସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଗୃହ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ସ୍ବାଧୀନତା ଆନ୍ଦୋଳନରେ ଭଦ୍ରକ ଜିଲାର ଅବଦାନ ଅତୁଳନୀୟ। ଭଦ୍ରକର ଶହୀଦ ପୀଠ ଇରମ ଓ ଲୁଣିଆ ଗୁଳିକାଣ୍ଡ ସ୍ବାଧୀନତା ଇତିହାସରେ ଚିର ସ୍ମରଣୀୟ ବୋଲି ମନ୍ତ୍ରୀ କହିଥିଲେ। ଏହା ସହ ରାଜ୍ୟ ସରକାରଙ୍କ ଏକ ବର୍ଷର ସଫଳତା ଓ ଜନାଭିମୁଖୀ ଯୋଜନା ଉପରେ ଆଲୋକପାତ କରିଥିଲେ। ମନ୍ତ୍ରୀଙ୍କ ସହ ଜିଲାପାଳ ଦିଲ୍ଲୀପ ରାଉତରାଏ ଓ ଏସପି ମନୋଜ କୁମାର ରାଉତ ମଞ୍ଚରେ ଉପସ୍ଥିତ ରହି ଅଭିବାଦନ ଗ୍ରହଣ କରିଥିଲେ। ଜିଲାର ବିଭିନ୍ନ ସ୍କୁଲ କଲେଜରୁ ଆସିଥିବା ୩୬ଟି ଦଳ ପରେଡ୍ ପ୍ରଦର୍ଶନ କରିଥିଲେ। ପରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।


