ବୋଗୋଟା,୩୧ା୫: ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁ ପାକିସ୍ତାନରେ ଲୋକଙ୍କ ମୃତ୍ୟୁ ପାଇଁ କଲମ୍ବିଆ ଇସ୍ଲାମାବାଦକୁ ହୃଦୟଭରା ସାନ୍ତ୍ୱନା ଜଣାଇଥିଲା। କଂଗ୍ରେସ ଏମ୍ପି ଶଶୀ ଥରୁରଙ୍କ ନେତୃତ୍ୱରେ ବହୁଦଳୀୟ ସଂସଦୀୟ ପ୍ରତିନିଧି ମଣ୍ଡଳୀ ପାକିସ୍ତାନର ସୀମାପାର ଆତଙ୍କବାଦୀ କାର୍ଯ୍ୟ ସମ୍ପର୍କରେ କଲମ୍ବିଆ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ପରେ ସେମାନେ ଉକ୍ତ ସାନ୍ତ୍ୱନା ବାର୍ତ୍ତା ପ୍ରତ୍ୟାହାର କରିନେଇଛନ୍ତି। ଏହି ପ୍ରସଙ୍ଗରେ ଭାରତକୁ ସମର୍ଥନ ଦେବା ଲାଗି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ପୂର୍ବରୁ କଲମ୍ବିଆର ମନ୍ତବ୍ୟକୁ ନେଇ ଥରୁର ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କଲମ୍ବିଆର ବହିର୍ବ୍ୟାପାର ଉପମନ୍ତ୍ରୀ ରୋସା ୟୋଲାଣ୍ଡା ଭିଲାଭିସେନ୍ସିଓ ଓ ତାଙ୍କ ସହକର୍ମୀମାନଙ୍କ ସହ ଏସିଆ-ପାସିଫିକ୍ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ। ଏହି ଅବସରରେ ପାକିସ୍ତାନକୁ ଦେଇଥିବା ସାନ୍ତ୍ୱନା ବାର୍ତ୍ତା ଫେରାଇ ନିଆଯାଇଥିବା ଉପମନ୍ତ୍ରୀ କହିବା ସହ ଭାରତକୁ ଦୃଢ଼ ସମର୍ଥନ ଜଣାଇଥିବାର ପ୍ରତିଶ୍ରୁତି ଦେଇଛନ୍ତି।


