Posted inଜାତୀୟ

ଆଜି ଶପଥ, ସ୍ଥାୟିତ୍ୱ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୯।୬ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ନେତା ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟା ୭ଟା ୧୫ରେ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେବାକୁ ଯାଉଛନ୍ତି। ଏଥିଲାଗି ରାଷ୍ଟ୍ରପତି ଭବନରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ମାଳଦ୍ୱୀପ, ଶ୍ରୀଲଙ୍କା, ବାଂଲାଦେଶ, ନେପାଳ, ଭୁଟାନ, ମରିସସ୍‌ ଓ ସିଚେଲ୍ସର ରାଷ୍ଟ୍ରମୁଖ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇଛି। କିନ୍ତୁ ଦେଶ ଭିତରେ ବିରୋଧୀ ଦଳଗୁଡ଼ିକର ନେତାଙ୍କୁ ନିମନ୍ତ୍ରଣ କରାଯିବା ପରମ୍ପରାକୁ ଅଣଦେଖା କରାଯାଇ ସେମାନଙ୍କୁ ଡକାଯାଇନାହିଁ। ବିଦେଶୀ ନେତାଙ୍କୁ ନିମନ୍ତ୍ରଣ କରି ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ନେତାଙ୍କୁ ନ ଡାକିବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ସମାଲୋଚନା କରିଛି। ମୋଦି ତାଙ୍କ କ୍ଷମତା ରାଜନୀତିର ୨୨ ବର୍ଷର କ୍ୟାରିୟର ଭିତରେ ପ୍ରଥମ ଥର ପାଇଁ ବିନା ସଂଖ୍ୟାଗରିଷ୍ଠତାରେ ସରକାର ଚଳାଇବାକୁ ଯାଉଛନ୍ତି। ମେଣ୍ଟ ସରକାର ଚଳାଇବା ନେଇ ତାଙ୍କର କୌଣସି ପୂର୍ବ ଅଭିଜ୍ଞତା ନାହିଁ। ଏଭଳି ସ୍ଥିତିରେ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି), ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ଅନ୍ୟ ସହଯୋଗୀ ଦଳଗୁଡ଼ିକ ଉପରେ ମୋଦିଙ୍କୁ ସବୁବେଳେ ନିର୍ଭର କରିବାକୁ ପଡ଼ିବ। ତେଣୁ ମୋଦି ୩.୦ ସରକାରର ସ୍ଥାୟିତ୍ୱ ଉପରେ ପ୍ରଶ୍ନ ଉଠିଲାଣି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବାକୁ ମନା କରିଦେଇଛନ୍ତି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା କହିଛନ୍ତି, ସଂଖ୍ୟାଗରିଷ୍ଠତା ପାଇ ନ ଥିବା ଏକ ଅସାମ୍ବିଧାନିକ ଓ ବେଆଇନ ଦଳକୁ ସେ ଶୁଭେଚ୍ଛା ଜଣାଇପାରିବେ ନାହିଁ। ଇଣ୍ଡିଆ ବ୍ଲକ୍‌ ସରକାର ଗଠନ ପାଇଁ ଦାବି ଜଣାଇନାହିଁ। କିନ୍ତୁ ଆଗାମୀ ଦିନରେ ଜଣାଇପାରେ। କିଛି ସମୟ ଅପେକ୍ଷା କରାଯାଉ। କିଛି ଦିନ ଭିତରେ ଇଣ୍ଡିଆ ବ୍ଲକ୍‌ ସରକାର ଗଢ଼ିବ। ଲୋକ ସଭା ନିର୍ବାଚନରେ ମୋଦି ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ପାଇବେ ବୋଲି ଆଶା କରିଥିଲେ। କିନ୍ତୁ ସରକାର ଗଢ଼ିବା ପାଇଁ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ୨୭୨ ଛୁଇଁପାରିଲେ ନାହିଁ। ତାଙ୍କ ଦଳକୁ ମାତ୍ର ୨୪୦ ଆସନ ମିଳିଛି, ଯାହାକି କୁହୁକ ସଂଖ୍ୟାଠାରୁ ୩୨ କମ୍‌। ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ବିନା ଏକ ଦୁର୍ବଳ ଓ ଅସ୍ଥିର ସରକାର କିପରି ସମ୍ବିଧାନ ସଂଶୋଧନ କରି ବିଲ୍‌ଗୁଡ଼ିକୁ ପାସ୍‌ କରାଇବ ବୋଲି ମମତା ପ୍ରଶ୍ନ କରିଛନ୍ତି। ସେହିପରି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ମୁଖ୍ୟ ଫାରୁକ୍‌ ଅବ୍‌ଦୁଲ୍ଲା କହିଛନ୍ତି, ଏହି ସରକାରର କୌଣସି ସ୍ଥାୟିତ୍ୱ ନାହିଁ। ଆଗକୁ କ’ଣ ହେଉଛି ଦେଖାଯାଉ। ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି, ଏହି ସରକାର ବର୍ଷେ ତିଷ୍ଠିବ ନାହିଁ। ଦେଶରେ ୬ ମାସରୁ ବର୍ଷକ ଭିତରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ହେବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ଏଥିପାଇଁ କଂଗ୍ରେସ ନେତା ଓ କର୍ମୀ ପ୍ରସ୍ତୁତ ହୋଇ ରୁହନ୍ତୁ ବୋଲି ବଘେଲ ପରାମର୍ଶ ଦେଇଛନ୍ତି।
ଇତିମଧ୍ୟରେ ପାକିସ୍ତାନ ମଧ୍ୟ ମୋଦିଙ୍କୁ ଅଭିନନ୍ଦନ ଜଣାଇବାକୁ ମନା କରିଦେଇଛି। ପାକିସ୍ତାନ ବହିର୍ବ୍ୟାପାର
ମନ୍ତ୍ରଣାଳୟ ମୁଖପାତ୍ର ମମତାଜ୍‌ ଜହରା କହିଛନ୍ତି, ମୋଦି ସରକାର ଗଠନ କରିନାହାନ୍ତି। ଭାରତରେ ସରକାର ଗଠନ ପ୍ରକ୍ରିୟା ଚାଲିଛି। କିଛି ନ ହେଉଣୁ କିପରି ଅଭିନନ୍ଦନ ଜଣାଇବୁ।
ଉଲ୍ଲେଖଯୋଗ୍ୟ, ସଦ୍ୟ ସମାପ୍ତ ଲୋକ ସଭା ନିର୍ବାଚନରେ ଭାଜପା ଏକାକୀ ୨୪୦ ଆସନ ଜିତିଥିବାବେଳେ ଏନ୍‌ଡିଏକୁ ୨୯୩ ଆସନ ମିଳିଛି। ନୂଆ ଏନ୍‌ଡିଏ ସରକାରରେ ଭାଜପା ସହ ସହଯୋଗୀ ଦଳଗୁଡ଼ିକୁ ଅଧିକ ମନ୍ତ୍ରୀପଦ ମିଳିବ ବୋଲି କୁହାଯାଉଛି। ଶୁକ୍ରବାର ଏନ୍‌ଡିଏ ସଂସଦୀୟ ଦଳ ବୈଠକ ବସି ମୋଦିଙ୍କୁ ଆନୁଷ୍ଠାନିକ ଭାବେ ନେତା ନିର୍ବାଚିତ କରାଯାଇଥିଲା। ଏହାପରେ ସେ ରାଷ୍ଟ୍ରପତି ଭବନ ଯାଇ ସରକାର ଗଠନ ନିମନ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାବି ଜଣାଇଥିଲେ। ରାଷ୍ଟ୍ରପତି ତାଙ୍କୁ ଭାବୀ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବା ସହ ରବିବାର ଶପଥ ଗ୍ରହଣ ପାଇଁ ଆମନ୍ତ୍ରଣ କରିଥିଲେ। ରବିବାର ସନ୍ଧ୍ୟା ୭ଟା ୧୫ ମିନିଟ୍‌ରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବାକୁ ଯାଉଛି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା, ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ସମେତ ୭ ପଡ଼ୋଶୀ ଦେଶ ତଥା ଭାରତ ମହାସାଗର ଅଞ୍ଚଳର ନେତାମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ତେବେ ଚାଇନା ଏବଂ ପାକିସ୍ତାନ ନେତାଙ୍କୁ ଉତ୍ସବକୁ ନିମନ୍ତ୍ରଣ କରାଯାଇ ନାହିଁ। ଇତିମଧ୍ୟରେ ହାସିନା ଏବଂ ସିଚେଲ୍ସ ଉପରାଷ୍ଟ୍ରପତି ଅହମଦ ଆଫିଫ୍‌ ଦିଲ୍ଲୀରେ ପହଞ୍ଚତ୍ ସାରିଛନ୍ତି। ବାହାର ନେତାଙ୍କ ସମେତ ଦେଶର ଶାସକ ଦଳର ବହୁ ନେତା ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉତ୍ସବରେ ଉପସ୍ଥିତ ରହିବେ। ତେବେ କଂଗ୍ରେସ ଓ ଇଣ୍ଡିଆ ବ୍ଲକ୍‌ର ନେତାମାନଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ଲାଗି ଏପର୍ଯ୍ୟନ୍ତ ନିମନ୍ତ୍ରଣ ମିଳିନାହିଁ। କଂଗ୍ରେସ ନେତାମାନେ ନିମନ୍ତ୍ରଣ ପାଇଲେ ଉତ୍ସବରେ ଯୋଗଦେବା ନେଇ ବିଚାର କରିବେ ବୋଲି ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି।
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଦିଲ୍ଲୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷାରେ ଅର୍ଦ୍ଧସାମରିକ ବାହିନୀ, ଏନ୍‌ଏସ୍‌ଜି, ଡ୍ରୋନ୍‌ ଏବଂ ସ୍ନିପରଙ୍କୁ ନିୟୋଜିତ କରାଯିବା ସହ ଅତିଥିମାନଙ୍କୁ ଉତ୍ସବସ୍ଥଳକୁ ଆଣିବା ଲାଗି ସ୍ବତନ୍ତ୍ର ରୁଟ୍‌ ଓ ସୁରକ୍ଷା ବ୍ୟବସ୍ଥା ହୋଇଛି।

ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ଗ୍ରହଣ ଉତ୍ସବକୁ ଅନେକ ଅନ୍ତର୍ଜାତୀୟ ନେତା ଏବଂ ଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଛି। କିନ୍ତୁ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ନେତାମାନଙ୍କୁ ଏଥିରେ ସାମିଲ ହେବାକୁ ଡକାଯାଇନାହିଁ। ଏହାକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବିଦେଶୀ ଅତିଥିମାନଙ୍କୁ ଶପଥ ଗ୍ରହଣ ଉତ୍ସବକୁ ଡକାଯାଇଛି। ଆମକୁ ନିମନ୍ତ୍ରଣ କରାଗଲେ ସାମିଲ ହେବା ନେଇ ଚିନ୍ତା କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri