ବାଘର ଠିକଣା ବାଘୁଆମେଦ

ମହାକାଳପଡ଼ା,୯।୪: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଞ୍ଚଳରେ ଅତୀତର ଅନେକ କାହାଣୀ ଏବେବି ସତେଜ ହୋଇରହିଛି। କାଳକ୍ରମେ ଅନୁପ୍ରବେଶକାରୀଙ୍କ ଯୋଗୁ ହେନ୍ତାଳବଣ ଧ୍ୱଂସ ପାଇ ଜନବସତି ଗଢିଉଠିଛି। ଜଙ୍ଗଲ ଧ୍ୱଂସ ଯୋଗୁ ବସବାସ କରୁଥିବା ଜୀବଜନ୍ତୁ ଲୋପ ପାଇଯାଇଛନ୍ତି। କୁଜଙ୍ଗ ରାଜାଙ୍କ ଅଧୀନରେ ମହାକାଳପଡ଼ା ଅଞ୍ଚଳର ବାଘୁଆମେଦ ଜଙ୍ଗଲ ଥିଲା। ବହୁ ବାଘ ଜଙ୍ଗଲରେ ରହୁଥିବାରୁ ନାଁ ହୋଇଥିଲା ବାଘୁଆମେଦ। ହେଲେ ବାଘ ବଂଶ ଲୋପ ପାଇଯାଇଥିବା ବେଳେ କେବଳ ନାଁ ରହିଛି। ଏହି ଜଙ୍ଗଲକୁ ଶିକାର ପାଇଁ କୁଜଙ୍ଗ ରାଜା ଘୋଡାରେ ଆସି ପଲ୍ଲୀଗଡ଼ ଗାଁରେ କଚେରି ଗୃହରେ ରହୁଥିଲେ। ଏବେ ରାଜାଙ୍କ କଚେରି ଡିହବାଡି କେବଳ ମୂକ ସାକ୍ଷୀ ହୋଇରହିଛି। ଗୋପାଳକମାନେ ଜଙ୍ଗଲରେ ନିଜ ଗୋ, ମଇଁଷି ଚରିବାକୁ ଛାଡି ବଡ ଗଛରେ ମଞ୍ଚା ବାନ୍ଧି ରାତିରେ ଜଗି ରହୁଥିଲେ। ରାତିରେ ବାଘ, ହରିଣ, ବାର୍‌ହା, ହେଟାବାଘ, ଶିଙ୍ଗାଳ ଓ ଅନ୍ୟ ଜନ୍ତୁ ସାହେବ ପୋଖରୀକୁ ପାଣି ପିଇବାକୁ ଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି।
ବାଘୁଆମେଦ ଜଙ୍ଗଲ ନିକଟରେ ହବାଳିପାହି, କିଆବାରିଆ, ପେଟଛେଲା, ଅହଳାପାହି ଆଦି ଜଙ୍ଗଲରେ ବହୁ କିଆବୁଦା ରହିଥିଲା। ଏହି ବୁଦା ମୂଳେ ବାଘମାନେ କୋରଡ କରି ରହୁଥିଲେ। ସ୍ଥାନୀୟ ଅଞ୍ଚଳର କେତେଜଣ ବୃଦ୍ଧଙ୍କୁ ଭେଟିବାରୁ ନିଜର ପୁରୁଣା ଦିନର ଅନୁଭୂତି ସମ୍ପର୍କରେ ବଖାଣିଥିଲେ। ଜଙ୍ଗଲରେ ଗାଈ ମଇଁଷି ଚରିବାକୁ ଯାଉଥିଲେ। ଦିନେ ଅପରାହ୍ନରେ ଏକ ବାଘ ବାଛୁରୀକୁ ନେଇ କିଆ ବୁଦା ମୂଳେ ଖାଇଥିଲା। ଏପଟେ ଭୟରେ ମଞ୍ଚା ଉପରେ ବସି ବାଘର ଗତିବିଧି ଦେଖିଥିଲି। କିଛିଦିନ ପରେ ମଇଁଷି ପଲ ଜଙ୍ଗଲରେ ଯାଉଥାନ୍ତି, ହଠାତ୍‌ ଏକ କଲରା ପତରିଆ ବାଘ ବାଛୁରୀକୁ ନେବାକୁ ମାଡ଼ି ଆସିଲା, କିନ୍ତୁ ନିକଟ ଗାଁର ନରି ଦାସ ମଇଁଷିଆଳ ବାଡ଼ିକୁ ବାଘ ପାଟିରେ ପୂରାଇ ଦେବାରୁ ସେ ଜଙ୍ଗଲକୁ ଚାଲିଗଲା। ସ୍ଥାନୀୟ ଗାଁକୁ ରାତିରେ ବାଘ ଆସି ଶିକାର କରିଥାଏ ବୋଲି ପୁରୁଖା ଲୋକେ କୁହନ୍ତି। ଏହି ଗାଁର ନନ୍ଦ ଦାସ (୯୮) କୁହନ୍ତି, ଦିନେ ତାଙ୍କ ବାପା ହରି ଜଙ୍ଗଲରେ ମଇଁଷି ଜଗିଥିବା ବେଳେ ବାହାର ଲୋକମାନେ ତାଙ୍କୁ ବାଘ ଦେଖିବାକୁ କହିଲେ। ହରି ମଞ୍ଚା ଉପରେ ସେମାନଙ୍କୁ ବସାଇ ବାଛୁରୀକୁ ଏକ କିଆ ବୁଦା ମୂଳେ ବାନ୍ଧି ଥାନ୍ତି। ନିକଟ ବୁଦା ମୂଳରୁ ୪ ବାଘ ବାଛୁରୀକୁ ଶିକାର କରିବାକୁ ଆସିଥିଲେ ବୋଲି ନନ୍ଦ କହିଛନ୍ତି। ସ୍ଥାନୀୟ ଅଞ୍ଚଳର ଗୋପୀନାଥ ସ୍ବାଇଁ (୧୧୨) ନିଜ ଅନୁଭୂତିରୁ କୁହନ୍ତି, ପ୍ରତି ରାତିରେ କିଆବରିଆ ଜଙ୍ଗଲ ପୋଖରୀକୁ ଜୀବଜନ୍ତୁ ପାଣି ପିଇବାକୁ ଆସିଥାନ୍ତି, ଦିନେ ରାତିରେ ଅଞ୍ଚଳର ଲୋକମାନେ ଏକ ମହାବଳ ବାଘକୁ ଶିକାର କରି କାନ୍ଧେଇ କେନ୍ଦ୍ରାପଡ଼ାକୁ ନେଇ ଲୋକଙ୍କୁ ଦେଖାଇଥିଲେ। ବାଘ ଦେଖି ତା’ର ବଦଳରେ କିଛି ପଇସା ମିଳୁଥିବା ସେ କହିଛନ୍ତି। ସେତେବେଳେ ପ୍ରାଣୀ ଶିକାର ଉପରେ ଏତେ ଆଇନ, କଟକଣା ନ ଥିଲା। ପୂର୍ବରୁ ଶହଶହ ଏକର ଘଞ୍ଚ ହେନ୍ତାଳ ଜଙ୍ଗଲ, ଯୋରୀ, ନଦୀ, ଖାଲ ପାଟରୁ ମାଛ, କଙ୍କଡା, ଧରି ଖାଇ ଥାଉ। ଚାଷ ଜମିରେ ଲୁଣା ଜଳ ମାଡୁଥିବାରୁ ଅଞ୍ଚଳର ଧାନ ଫସଲ ନଷ୍ଟ ହୋଇଥାଏ। ଆଜିକା ଦିନରେ ବାଘୁଆମେଦରେ ଥିବା ଶତାଧିକ ଏକର ହେନ୍ତାଳ ବଣ ଅନୁପ୍ରବେଶକାରୀଙ୍କ ଦଖଲରେ। ସେମାନେ ରାଜସ୍ବ ବିଭାଗ କର୍ମଚାରୀଙ୍କୁ ହାତବାରିଶ କରି ଜଙ୍ଗଲ କିସମ ଜମିକୁ ହାତେଇଛନ୍ତି। ଏଠାରେ କେତେଜଣ ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ବଳରେ ପ୍ରଶାସନଠାରୁ ସ୍ଥାୟୀ ଘରବାଡ଼ି ପଟ୍ଟା ପାଇଛନ୍ତି। ଅଞ୍ଚଳରେ ବଙ୍ଗୀୟ ଲୋକମାନେ ଜବରଦଖଲ କରି ବସବାସ କରୁଛନ୍ତି। ବାଘୁଆମେଦ ଗାଁର ଏକ ଛୋଟ ଚୁଆଥିଲା। ଏଥିରେ ମଧୁରଜଳ ଥିବାରୁ ବାଘମାନେ ଅପରାହ୍ନରେ ପାଣି ପିଇବାକୁ ଆସୁଥିଲେ। ବ୍ରିଟିଶ ସାହେବ ଉକ୍ତ ପାଣି ଚୁଆକୁ ପୋଖରୀରେ ପରିଣତ କରିଥିଲେ। ସେଥିପାଇଁ ଏହି ପୋଖରୀକୁ ସାହେବ ପୋଖରୀ କୁହାଯାଉଛି। ସାହେବମାନେ ସେହି ପୋଖରୀ ନିକଟ ହେନ୍ତାଳ ବଣରେ ଛକି ବାଘକୁ ଶିକାର କରୁଥିଲେ। ସନ୍ଧ୍ୟା ହେଲେ ବାଘ ରଡ଼ି ଶୁଭୁଥିଲା ବୋଲି ପୂର୍ଣ୍ଣ ସିଂ, ମକର ସିଂ ପ୍ରମୁଖ କହିଛନ୍ତି। ଏମାନଙ୍କ ବାପା ପ୍ରତାପ ସିଂ କହୁଥିଲେ, ଅଞ୍ଚଳରେ ୩୦ରୁ ଅଧିକ ଚିତାବାଘ ଥିଲେ। ସଞ୍ଜ ନଇଁଲେ ଘରେ ତାଟି କବାଟ ପଡ଼େ। ବାଘ କବଳରୁ ବଞ୍ଚତ୍ବାକୁ ରାତିରେ ଘର ଆଗରେ କାଠ ଗଣ୍ଡିରେ ନିଆଁ ଲଗାଇ ରାତିସାରା ଅନିଦ୍ରା ରହିବାକୁ ପଡୁଥିଲା ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ପରିବେଶ ପ୍ରେମୀ ସମରେନ୍ଦ୍ର ମାହାଳି କୁହନ୍ତି, ୫୦ ଦଶକ ପୂର୍ବରୁ ଅଞ୍ଚଳ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ପରିବେଶ ଅନୁକୂଳ ଯୋଗୁ ବାଘମାନେ ବଂଶ ବିସ୍ତାର କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ, ହେନ୍ତାଳ ଜଙ୍ଗଲ ଧ୍ୱଂସ, ଶିକାର ଯୋଗୁ ବାଘ ବଂଶ ଲୋପ ପାଇଛି। ଏବେ ଯଦି ସରକାର ମହାକାଳପଡ଼ା ବନାଞ୍ଚଳକୁ ସଂରକ୍ଷିତ ଜଙ୍ଗଲ ଘୋଷଣା କରି ବାଘ ଛାଡିବାର ବ୍ୟବସ୍ଥା କରନ୍ତେ ତେବେ ବଂଶ ବୃଦ୍ଧି ସହ ଜଙ୍ଗଲ ସୁରକ୍ଷିତ ରହିପାରନ୍ତା ବୋଲି ସେ କହିଛନ୍ତି।

ପ୍ରତାପ ଚନ୍ଦ୍ର ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri