ଗାଁ ଅବଧାନ

ଅଲେଖ ଚନ୍ଦ୍ର ସାମଲ

ଚାଟଶାଳୀ ଆଉ ‘ଅବଧାନ’ଙ୍କ କଥା କହିଲେ ଆମକୁ ପୁରୁଣା ଦିନକୁ ଫେରି ଯିବାକୁ ହେବ। ସ୍ବାଧୀନତା ପୂର୍ବ ଏବଂ ଗ୍ରାମାଞ୍ଚଳରେ ଶିକ୍ଷାର ପ୍ରସାର ଘଟି ନ ଥିବା ବେଳେ ଅବଧାନ ହିଁ ଥିଲେ ସମସ୍ତଙ୍କ ଦୃଷ୍ଟିରେ ଯେମିତି ମାନ୍ୟ, ସେମିତି ଗୁଣୀ, ଜ୍ଞାନୀ ମଧ୍ୟ। ହୁଏତ ସେ ଦିନର ଚାଟଶାଳୀରେ ଅବଧାନଙ୍କ ପାଠପଢ଼ା। ଆଜିର ପିଲାମାନଙ୍କୁ ଅପସନ୍ଦ ଲାଗୁଥାଇପାରେ, କିନ୍ତୁ ସେତେବେଳର ପରିସ୍ଥିତିରେ ଲୋକ ବିଦ୍ୟାକୁ ଘରେ ଘରେ ପହଞ୍ଚାଇବାରେ ଅବଧାନଙ୍କର ଭୂମିକା ଥିଲା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଅଷ୍ଟାଦଶ ଶତାବ୍ଦୀ ସୁଦ୍ଧା ପୁରାଣ ଶାସ୍ତ୍ର ବ୍ୟତିରେକେ ଗଣିତ, ଜ୍ୟୋତିଷ ଓ ସାହିତ୍ୟ କ୍ଷେତ୍ରରେ ଲୋକଙ୍କୁ ଜ୍ଞାନର ପ୍ରସାରିତ ଦିଗରେ ଆଗେଇ ନେବା ପାଇଁ ଓଡ଼ିଶାରେ ଯେଉଁ ଚିନ୍ତାଶୀଳ ଗୋଷ୍ଠୀ ଅଭ୍ୟୁଦୟ ହୋଇଥିଲା- ସେମାନଙ୍କ ମଧ୍ୟରେ ଥିଲେ ଖଡ଼ିବଂଶ ଅବଧାନ, ମାଟିବଂଶ ଅବଧାନ ଓ ଖଡ଼ିରତ୍ନ ବା ମାଟିଆ ନାହକ।
ଏହି ଅବଧାନେ ଗଁା ଗହଳିରେ ଛୋଟଛୋଟ ପିଲାଙ୍କୁ ବ୍ରହ୍ମା-ବିଷ୍ଣୁ-ମହେଶ୍ୱର ଠୁ ଆରମ୍ଭ କରି ପଣକିଆ ବର୍ଣ୍ଣବୋଧ ପୋଥି ବା ପୁରାଣପଢ଼ା, ଚିଠି ଲେଖା ଚାଣକ୍ୟ ଶ୍ଲୋକ ଓ ହିସାବ ପତ୍ର ଶିଖାଇବା ଯାଏ ଗଣିତ ଏବଂ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ଶିକ୍ଷାଦାନ କରୁଥିଲେ। ବାପା ଓ ମା’ଙ୍କ ପରେ ଅବଧାନ ଥିଲେ ପିଲାଙ୍କୁ ମଣିଷ କରିବାର ଜଣେ ପ୍ରମୁଖ ତଥା ଦାୟିତ୍ୱବାନ ବ୍ୟକ୍ତି। ଅବଧାନମାନେ ଅନେକ ଶାସ୍ତ୍ର ମୁଖସ୍ତ କରିଥାନ୍ତି। ଅନେକସ୍ଥଳେ ଅସମୟରେ ଲୋକଙ୍କୁ ତୁଟୁକା ଚେରମୂଳି ଔଷଧ ଦେଇ ଆରୋଗ୍ୟ କରାଉଥିଲେ। ଗାଁରେ ଅବଧାନଙ୍କୁ ସମ୍ମାନ କହିଲେ ନ ସରେ। ଯେଉଁଦିନ ପିଲା ବିଦ୍ୟା ଅନୁକୂଳ କରିବ, ସେଦିନ ପିଲାର ପରିବାର ପକ୍ଷରୁ ଅବଧାନଙ୍କ ପାଖକୁ ପଠାଯିବ ଶ୍ରଦ୍ଧା ଡାଲା। ଆଉ ଏହି ଡାଲାରେ ଥିବ ଚାଉଳ ଓ ପରିବାପତ୍ର। କେତେକ ଧନୀ ଓ ଚଳିବା ବାଲାଲୋକ, ସେମାନଙ୍କର ପିଲାଙ୍କୁ ପାଠ ପଢ଼ାଇବା ନେଇ ଅବଧାନଙ୍କୁ ଆଣି ଗାଁରେ ରଖୁଥିଲେ। ଆଉ ଅବଧାନେ ମଧ୍ୟ ଗାଁ ଲୋକଙ୍କ ସହ ମିଶି ସାରା ଜୀବନ ସେଠାରେ ହିଁ ରହି ଯାଉଥିଲେ। କୁହାଯାଏ – ଯେଉଁମାନେ ଅବଧାନର ଛାଟ ପାହାର ଖାଇଛନ୍ତି, ସେମାନଙ୍କର ଜୀବନ ସାର୍ଥକ ହୋଇଛି ଓ ସେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ ପାରିଛନ୍ତି। ବର୍ତ୍ତମାନ ସମୟରେ ଅବଶ୍ୟ ଅବଧାନର ଛାଟ ଅପ୍ରାସଙ୍ଗିକ ଲାଗିପାରେ। କିନ୍ତୁ ସମାଜରେ ମଣିଷ ତିଆରିରେ ସେମାନଙ୍କର ଛାଟ ଅତୀତରେ ଲୋକଙ୍କୁ ମାର୍ଗଦର୍ଶନ କରିଆସୁଥିଲା।
ଗଣିତ ଓ ଜ୍ୟୋତିଷଙ୍କୁ ଖଡ଼ି ବିଦ୍ୟାରେ ନ୍ୟସ୍ତ କରିବାରେ ଖଡ଼ିରତ୍ନଙ୍କ କାର୍ଯ୍ୟ ଥିଲା ସମାଜ ଅଭିପ୍ରେତ। ଏହା ପଛରେ ସାମାଜିକ ସ୍ବୀକୃତି ରହିଥିଲା। ଖଡ଼ି ପକାଇ ଅବଧାନେ କହିଦେଇ ପାରୁଥିଲେ ଲୋକଙ୍କ ଜିଜ୍ଞାସାର ଉତ୍ତର। ଖଡ଼ିଶାସ୍ତ୍ର ଥିଲା ଅନୁମାନର ଗଣିତ। ଖଡ଼ିରତ୍ନଙ୍କ ଅଙ୍କକଷାର ଏକ କାବି୍ୟକ ଦୃଷ୍ଟାନ୍ତ ହେଲା – ଖନି ପଡ଼ିବା ଅଙ୍କ ତଳେ ଥୋଇ ବତିଶେ ପୁଣି ଷାଠିଏ ମିଶାଇ। ସାତରେ ହରିଲେ ଅଂଶ ରହିବ, ବିଚାରି କାର୍ଯ୍ୟ ଭଲମନ୍ଦ ଜାଣିବ, ଏକ ରହିଲେ ରାଜୁସି ସମ୍ପଦ, ଦୁଇ ରହିଲେ ବ୍ୟାଧି କି ପ୍ରମାଦ ।
ତିନି ରହିଲେ ଗଲା ଦ୍ରବ୍ୟ ପାଇ, ଚାରି ରହିଲେ ଶତ୍ରୁ ନପୀଡ଼ଇ। ପାଞ୍ଚ, ଛ’ ରହିଲେ ହରଇ ଧନ, ସପ୍ତେ ଅଇରି କରଇ ନିଧନ। ତେଣୁ ଅବଧାନଙ୍କ ଦ୍ୱାରା ପାଠପଢ଼ା, ଜ୍ୟୋତିଷ ଶାସ୍ତ୍ର, ଖଡ଼ିପାଠ- ସବୁକିଛି ସଂପାଦିତ ହେଉଥିଲା ପୂରାକାଳରେ। ଅବଧାନଙ୍କୁ ନେଇ ଓଡ଼ିଆ ଢଗ ଢମାଳିରେ ଅଛି – ‘ଅବଧାନେ ଛାମୁଁ ବିଲେଇ ତୁମର ମାମୁ, କୁକୁର ତୁମର ଅଜା, ଖାଇବ ଖଣ୍ଡ ଖଜା।’ ଚାଟଶାଳୀରେ ଅବଧାନଙ୍କଠାରୁ ଛାଟ ମାଡ଼ ଖାଇଥିବା ବୟସ୍କ ବ୍ୟକ୍ତିଙ୍କର ଏପରି ଭକ୍ତି ଆକ୍ଷେପମୂଳକ ସତ, ମାତ୍ର ଏହା ବି ସତ୍ୟ ଯେ – ଛାତ୍ରଙ୍କଠାରେ ଶୃଙ୍ଖଳା, ଶିଷ୍ଟତା, ଗୁରୁଙ୍କ ପ୍ରତି ଭକ୍ତି, ବୟସ୍କଙ୍କୁ ସମ୍ମାନ ଓ ସେମାନଙ୍କୁ ପାଠ ପଢ଼ାରେ ମନସ୍କ କରିବା ଉଦ୍ଦେଶ୍ୟ ନେଇ ଅବଧାନେ ପିଲାଙ୍କୁ କୋମଳ ଶାସନ କରିଥାନ୍ତି। ଏମିତି କି ଅବଧାନଙ୍କୁ କୁଣ୍ଡାଦେଇ ପାଠ ପଢ଼ାଇବା ଉକ୍ତିଟି ଅବଧାନଙ୍କୁ କିଛି ନ ଦେଇ ପାଠ ପଢ଼ାଉଥିବା ବ୍ୟକ୍ତିର ପିଲା ଦୁଷ୍ଟାମି କଲେ କୁହାଯାଇଥାଏ।
ଅଷ୍ଟାଦଶ ଶତାବ୍ଦୀ ସୁଦ୍ଧା ମାଟି ଅବଧାନେ ଓ ଖଡ଼ିରତ୍ନ ଲୋକଗଣିତ ତଥା ବ୍ୟବହାରିକ ଗଣିତର ବିକାଶକ୍ଷେତ୍ରରେ ଯଥେଷ୍ଟ ଭୂମିକା ନେଇଥିଲେ। ଗଣିତକୁ ଭାଷାର ଛନ୍ଦରେ ଗୁନ୍ଥି – ଲାଳିତ୍ୟ ଓ ସାବଲୀଳ କରିବା ସହ ଏହାର ଉଭୟ ଗାଣିତିକ ଓ ସାହିତି୍ୟକ ମୂଲ୍ୟବୋଧକୁ ବଜାୟ ରଖି ଛାତ୍ର ତଥା ପାଠକଙ୍କ ଭିତରେ ଏସବୁକୁ ଆଦୃତ କରାଇଥିଲେ। ଜଣେ ଗଣିତଜ୍ଞ ଯେ ଜଣେ କବି ହୋଇପାରେ ଏହି ବିରଳ ଦୃଷ୍ଟାନ୍ତ ଦେଖିବାକୁ ମିଳେ ଓଡ଼ିଆ ଅବଧାନଙ୍କଠାରେ। ଅବଧାନଙ୍କଠାରୁ ହିଁ ଆରମ୍ଭ ହୋଇଥିଲା ଆଙ୍ଗୁଠି ଗଣନା ଓ ମାନସ ସ୍ପଷ୍ଟ ଅଙ୍କ ମାନସାଙ୍କ। ଆଜି ଅବଧାନ ନାହାନ୍ତି, କି ଚାଟଶାଳୀ ନାହିଁ। ଆଉ ଏହି ଅବଧାନଙ୍କ ଓଡ଼ିଆ ଭାଷା ସାହିତ୍ୟ, ଗଣିତ ଓ ଜ୍ୟୋତିଷ ଶାସ୍ତ୍ରକୁ ମହନୀୟ ଅବଦାନ, ଇତିହାସର ପୃଷ୍ଠାରେ ଅନାଲୋଚିତ ହୋଇ ରହିଛି। ସବୁ କଥାକୁ ଅନ୍ଧବିଶ୍ୱାସ, ଅପ୍ରାସଙ୍ଗିକ ଓ ଅଯଥା ମନେକରୁଥିବା ଉତ୍ତରପିଢ଼ି ହୁଏତ ଏଇ ଅବଧାନଙ୍କୁ ନିଜ ବିଜ୍ଞତାର ଚିନ୍ତାଧାରାରେ କେତେଦୂର ବୁଝିପାରିବେ ତାହା ସନ୍ଦେହ।

ପୂର୍ବତନ ଡିଏଫ୍‌ଓ (କେନ୍ଦୁଲିଫ୍‌), ପଲାଇ, ବାଲିଚନ୍ଦ୍ରପୁର, ଯାଜପୁର, ମୋ: ୯୪୩୭୨୫୭୧୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri