ଭୁବନେଶ୍ୱର,୧୯ା୧୦: ବାମ ସମାନ୍ତରାଳ ରାସ୍ତା ନିର୍ମାଣ ପାଇଁ ସାଲିଆ ସାହିରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ବିଏମ୍ସି, ବିଡିଏ, କମିଶନରେଟ୍ ପୋଲିସ, ୱାଟ୍କୋ, ଆର୍ଆଣ୍ଡବି, ଟାଟା ପାୱାରର ମିଳିତ ଟିମ୍ ଘର ଭଙ୍ଗା କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଛି।
ତେବେ ଗୋଟିଏ ଦିନରେ ୩୨୦ରୁ ଊର୍ଦ୍ଧ୍ୱ ଘର ଭଙ୍ଗାଯାଇଛି। ତେବେ ଏହାକୁ ମିଶାଇ ପ୍ରାୟ ୪୦୦ଟି ଘର ଭଙ୍ଗାଯାଇଥିବା ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି। ଘର ଉଚ୍ଛେଦରେ ୧୩ଟି ଜେସିବି ଓ କମିଶନରେଟ୍ ପୋଲିସ ପକ୍ଷରୁ ୧୨ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି।
ଆଗାମୀ ୭ଦିନ ପର୍ଯ୍ୟନ୍ତ ମୋଟ ୫୫୬ଟି ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ଗୁରୁବାର ବାକି ଘର ଭଙ୍ଗା କାର୍ଯ୍ୟ ଶେଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ଆଦିବାସୀ ପଡିଆରେ କିଛି ଲୋକ ଅସ୍ଥାୟୀ କୁଡିଆ କରି ରହୁଥିବା ବେଳେ ସେମାନେ ସେଠାରୁ ଉଠିବାକୁ ରାଜି ହେଉନାହାନ୍ତି। ଉକ୍ତ ପଡିଆରୁ ସେମାନଙ୍କୁ ଉଠାଇବାକୁ ଉଚ୍ଛେଦକାରୀ ଦଳକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ମଙ୍ଗଳବାର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ବେଳେ ପୋଲିସ ଓ ମିଳିତ ଉଚ୍ଛେଦକାରୀ ଟିମ୍ ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲା। ଆନ୍ଦୋଳକାରୀଙ୍କୁ ପୋଲିସ ଉଠାଇ ନେବା ସହ ୨ଜଣଙ୍କୁ ଗିରଫ କରିଥିଲା।


