ଗଞ୍ଜାମ,୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍ ଖଣ୍ଡଦେଉଳୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ହୁମା ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ପଞ୍ଚାୟତସ୍ତରୀୟ ପରିପୂର୍ତ୍ତି ଅଭିଯାନ ବୁଧବାର ଅନୁଷ୍ଠିତ ହୋଇଛି। ଏଥିରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ମହାପ୍ରବନ୍ଧକ ଅନିତା ପଟ୍ଟନାୟକ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବ୍ୟାଙ୍କିଙ୍ଗ ସେବା ବର୍ତ୍ତମାନ ଘରେ ବସି ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ସିଡିଓ ରାହୁଲ କାନ୍ତ, ଏସବିଆଇ ଆଞ୍ଚଳିକ ପ୍ରବନ୍ଧକ ଶ୍ୟାମ ସୁନ୍ଦର ଠାକୁର, ଏଲଡ଼ିଏମ ହିମାଞ୍ଚଳ ବେହେରା, ଏସବିଆଇ ସିଏମ ହରିକ୍ରିଷ୍ଣା ବେହେରା, ସ୍ଥାନୀୟ ସରପଞ୍ଚ ବୈରାଗୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଜନ ସୁରକ୍ଷା ଯୋଜନା ଅଧୀନରେ ସମସ୍ତ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଖାତା ଖୋଲିବା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା, ନିଷ୍କ୍ରିୟ ହୋଇଯାଇଥିବା ଆକାଉଣ୍ଟ ପୁନଃ କାର୍ଯ୍ୟକ୍ଷମ, ଡିଜିଟାଲ ଧୋକାବାଡ଼ି ଇତ୍ୟାଦି ଉପରେ ବିସ୍ତୃତ ଭାବେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ। ଏହି ଅବସରରେ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା ଓ ଜୀବନ ଜ୍ୟୋତି ଯୋଜନାରେ ଲାଭାର୍ଣ୍ଣିତ ହିତାଧିକାରୀଙ୍କୁ ୨ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା। ହୁମା ଶାଖା ପରିଚାଳକ ପ୍ରଦୀପ ପରିଡା, ଆସ୍କା ଆରବିଓ ମ୍ୟାନେଜର ଦୁର୍ଯ୍ୟୋଧନ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବ୍ଲକ ପିଇଓ ମାଳିମାନୀ ଏବଂ ବିପିଏମ ଜଳନ୍ଧର ମହାରଣା ଉପସ୍ଥିତ ଥିଲେ।


