ଢେଙ୍କିକୋଟ,୧୭ା୭(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟ୍ ପୋଲିସ ବିଟ୍ ହାଉସ ଅନ୍ତର୍ଗତ ଭୋଳବେଡ଼ା ପଞ୍ଚାୟତ ରାଇକୁଦୁରରେ ବନ୍ୟାପାଣି ଦେଖିବାକୁ ଯାଇଥିବା ଜଣେ ଛାତ୍ର ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ର ଜଣକ ହେଲେ କାଶୀସାହି ଚତୁରା ନାୟକଙ୍କ ପୁଅ ସଞ୍ଜୀବ କୁମାର ନାୟକ (୧୪)। ସେ ମନହରପୁର ପଞ୍ଚାୟତ ଡାଙ୍ଗୁଆ ଆଶ୍ରମ ସ୍କୁଲରେ ୮ମ ଶ୍ରେଣୀରେ ପଢ଼ୁଥିଲେ।
ପ୍ରକାଶ ଯେ, ସଞ୍ଜୀବ ଗୁରୁବାର ଘର ନିକଟ ଦେଇ ଯାଇଥିବା କାଶିଆ ନାଳକୁ ବଢ଼ିପାଣି ଦେଖିବାକୁ ଯାଇଥିଲେ। ପୋଲ ଉପରେ ସାଇକେଲରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ନାଳକୁ ସାଇକେଲ ସହ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଢେଙ୍କିକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ କୌଣସି ସୁବିଧା ନ ଥିବାରୁ ତାଙ୍କୁ ଘଟଗଁଁା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଖବର ପାଇ ଘଟଗାଁ ଥାନା ଆଇଆଇସି ପ୍ରଶାନ୍ତ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତଦେହ ପାଟଣା ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ତଦନ୍ତ ଜାରି ରହିଛି।


