ଗଞ୍ଜାମ, ୧୫।୫ (ଅନାଥ ତରାଇ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ୨୦୨୬ ବର୍ଷର +୩ ଶେଷ ବର୍ଷ ପରୀକ୍ଷାର ଫଳାଫଳରେ ଗଞ୍ଜାମ କଲେଜର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରକାଶିତ ଶ୍ରେଷ୍ଠ ଦଶଜଣିଆ ଟପ୍ପର ତାଲିକାରେ ଏହି କଲେଜର ତିନିଜଣ କୃତୀ ଛାତ୍ରୀ ଛାତ୍ର ରି କଲେଜ ପାଇଁ ଗୌରବ ଆଣିଛନ୍ତି।
ଉଦ୍ଭିଦ ବିଜ୍ଞାନ ବିଭାଗରେ କଲେଜର ଦୁଇଜଣ ଛାତ୍ରୀ ଚମତ୍କାର ପ୍ରଦର୍ଶନ କରିଛନ୍ତି। କୁମାରୀ ଡି. ଖୁସି ରେଡ୍ଡୀ ବିଶ୍ୱବିଦ୍ୟାଳୟରେ ୪ର୍ଥ ସ୍ଥାନ ଅଧିକାର କରିଥିବାବେଳେ, କୁମାରୀ ଆର୍. ସ୍ମୃତି ଡୋରା ୧୦ମ ସ୍ଥାନ ହାସଲ କରିଛନ୍ତି।
ସେହିପରି, ଇଂରାଜୀ ବିଭାଗରେ ଛାତ୍ର ସମୀର ବେହେରା ନିଜ ପ୍ରତିଭା ପ୍ରଦର୍ଶନ କରି ବିଶ୍ୱବିଦ୍ୟାଳୟ ସ୍ତରରେ ୫ମ ସ୍ଥାନ ଅଧିକାର କରିଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ଗୌରବମୟ ସଫଳତା ପାଇଁ କଲେଜ ପରିସରରେ ଉତ୍ସାହର ମାହୋଲ ଦେଖାଯାଇଛି। କଲେଜର ଅଧ୍ୟକ୍ଷା ସ୍ମରଣିକା ହୋତା ସହ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ କୃତୀଛାତ୍ରୀ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

