ପଟ୍ଟାଙ୍ଗି,୧୨ା୭(ଶରତ କୁମାର ଧଳ): କୋରାପୁଟ ଜିଲା ଗସ୍ତରେ ଆସିଥିବା ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ବଳବନ୍ତ ସିଂ ପଟ୍ଟାଙ୍ଗି ବ୍ଲକ୍ କୋଟିଆ ପଞ୍ଚାୟତରେ ବିଭିନ୍ନ କାର୍ଯ୍ୟକ୍ରମର ଶନିବାର ତଦାରଖ କରିଛନ୍ତି।
ସଚିବ ସିଂ ପହଞ୍ଚିବା ପରେ ଜିଲାପାଳ ଭି. କୀର୍ତ୍ତି ୱାସନ, ସିଡିଓ ବେଣୁଧର ଶବର, ଡିଏଫ୍ଓ କେ.ବି. ରାଓ, ଜିଲା ପର୍ଯ୍ୟଟନ ଅଧିକାରୀ ଟାଲିନା ପ୍ରଧାନୀ ଓ ପ୍ରୋଭିଜନାଲ୍ ସନ୍ତୋଷ କୁମାର ପାତ୍ର ପ୍ରମୁଖ ପ୍ରଥମେ ଦେଓମାଳି ପର୍ଯ୍ୟଟନସ୍ଥଳୀରେ ଜଙ୍ଗଲ ବିଭାଗ ପକ୍ଷରୁ ହୋଇଥିବା କଟେଜ୍ ପରିଦର୍ଶନ କରି ପାରିପାଶର୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ।
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କାରୁକାର୍ଯ୍ୟ ଅଧିକ ଉନ୍ନତ ଧରଣର ହୋଇପାରିବା ନେଇ ସଚିବ ସିଂ ଜିଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜାଗା ଚିହ୍ନଟ କରି ପ୍ରକଳ୍ପ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ।
ସେଠାରୁ ସଚିବ ସିଂ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ସଦର ମହକୁମାରେ ପର୍ଯ୍ୟଟନର ବିକାଶ ହେବା ନେଇ ସ୍ଥିତି ଅନୁଧ୍ୟାନ କରିଥିଲେ। ମାଥାଲାମ୍ବା ଗ୍ରାମରେ ହୋଇଥିବା ଆଦର୍ଶ ଗାଈ ଗୁହାଳ ଦେଖି ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ପଟ୍ଟାଙ୍ଗି ବିଡିଓ ରାମକୃଷ୍ଣା ନାୟକ, ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଓ ବ୍ଲକ୍ର ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, କୋଟିଆ ପଞ୍ଚାୟତରେ ପର୍ଯ୍ୟଟନର ବିକାଶ ହୋଇପାରିବା ଓ ରୋଜଗାର ବଢ଼ିବା ନେଇ ସଚିବ ସିଂଙ୍କ ଗସ୍ତର ଗୁରୁତ୍ୱ ଥିବା ଜଣାପଡ଼ିଛି।


