ଦିଗପହଣ୍ଡି, ୩୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଜିଉରା ଗ୍ରାମରେ ମା ‘ ରତ୍ନେଇ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ଶୁକ୍ରବାର ଉଭୟ ଗୋଷ୍ଠୀ ବିବାଦର ସମାଧାନ ପାଇଁ ପାଟପୁର ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ଗ୍ରାମର ଦୁଇ ଗୋଷ୍ଠୀର ମୁଖିଆ ମାନେ ନିଜ ନିଜର ସମର୍ଥକଙ୍କୁ ନେଇ ପାଟପୁର ଥାନାରେ ଅଭିଯୋଗ କରିଛନ୍ତି। ଆଇଆଇସି ଦୀପ୍ତି ରଞ୍ଜନ ବେହେରା,ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ଉଭୟ ଗୋଷ୍ଠୀର ମୁଖିଆ ମାନଙ୍କୁ ବୁଝା ଶୁଝା କରି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ମିଳିମିଶି କରିବା ପାଇଁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ମା ‘ ରତ୍ନେଇ ଠାକୁରାଣୀ ମନ୍ଦିର ଜୀଉରା ଗ୍ରାମର ବଡ ସାହିରେ ଥିବା ବେଳେ ସେହି ସାହିର ପ୍ରାୟ ଶତାଧିକ ପରିବାର ମିଳିତ ଭାବେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଗ୍ରାମର ଅନ୍ୟ ଗୋଷ୍ଠୀ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଗ୍ରାମବାସୀ ସମ୍ମିଳିତ ଭାବେ ମିଳିମିଶି କରିବା ପାଇଁ ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିରେ ସାହି ବାସିନ୍ଦା ସମ୍ମତି ପ୍ରଦାନ ନକରିବାରୁ ବିବାଦ ଉଗ୍ରରୂପ ନେଇଥିଲା। ଶୁକ୍ରବାର ରାତିରେ ଗ୍ରାମରେ ହେବାକୁ ଥିବା ଶାନ୍ତି କମିଟି ବୈଠକରେ ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା, ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ଜିଉରା ଗ୍ରାମର ଗୋଟିଏ ଗୋଷ୍ଠୀ କଂଗ୍ରେସ ସମର୍ଥକ ଭାବେ ବହୁବର୍ଷ ହେଲା ରହିଥିବା ବେଳେ ଅନ୍ୟ ଗୋଷ୍ଠୀ ବିଜେଡି ସମର୍ଥକ ବୋଲି ଜଣାପଡିଛି।


