ନ୍ୟୁୟର୍କ,୧୦ା୫(ପି.ଟି.):ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଥିବାବେଳେ ଆମେରିକା ଯୁଦ୍ଧରେ ସାମିଲ ହେବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି। ଏହା ଆମ କାମ ନୁହେଁ ବୋଲି ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ କହିଛନ୍ତି। ଆମେ ଭାରତ ଓ ପାକିସ୍ତାନକୁ ନିୟନ୍ତ୍ରଣ କରିପାରିବୁ ନାହିଁ। କେବଳ ଉତ୍ତେଜନା ହ୍ରାସ ଲାଗି ଆମେ ୨ ଅଣୁଅସ୍ତ୍ର କ୍ଷମତାଧାରୀ ପଡୋଶୀ ରାଷ୍ଟ୍ରଙ୍କୁ ପ୍ରୋତ୍ସାହିତ କରିପାରିବୁ। ଯଥାଶୀଘ୍ର ସମ୍ଭବ ଉତ୍ତେଜନା ହ୍ରାସ ଓ୍ବାଶିଂଟନ ଚାହେଁ ବୋଲି ଭାନ୍ସ କହିଛନ୍ତି।
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ୨୨ ଏପ୍ରିଲରେ କଶ୍ମୀରର ପହଲଗାମରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଭାରତ ପାକିସ୍ତାନ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ପାକିସ୍ତାନ ଏବଂ ପିଓକେ ଭିତରେ ୯ଟି ସ୍ଥାନରେ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ଭାରତର ଏହି କାର୍ଯ୍ୟରେ ପାକିସ୍ତାନ ଚିନ୍ତିତ ହୋଇ ଭାରତ ଉପରେ ଆକ୍ରମଣ ଆରମ୍ଭ କରିଦେଲା। କିନ୍ତୁ ଭାରତ ପାକିସ୍ତାନର ଏହି ଆକ୍ରମଣକୁ ବିଫଳ କରିଥିଲା।


