ପୁରୁଣା ଭୁବନେଶ୍ୱର,୨୬ା୨(ସୁବାସ ଚନ୍ଦ୍ର ପ୍ରଧାନ): ଆଜି ମହାଶିବରାତ୍ରି ତଥା ଜାଗର ଯାତ୍ରା। ଏଥିପାଇଁ ଉତ୍ସବ ମୁଖରିତ ହୋଇଉଠିଛି ଏକାମ୍ର କ୍ଷେତ୍ର। ରଙ୍ଗିନ ଆଲୋକମାଳା ସହ ଫୁଲରେ ଝଲସୁଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର। ରାତି ୧୦ଟାରେ ଉଠିବ ମହାଦୀପ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ପ୍ରାତଃ ୩ଟାରୁ ଦ୍ୱାର ଫିଟାଯାଇ ମଙ୍ଗଳ ଆଳତି, ଅବକାଶ ନୀତି ପରେ ସାହଣମେଲା ଦର୍ଶନ ଆରମ୍ଭ ହେବ। ସିଂହଦ୍ୱାର ସମ୍ମୁଖରୁ ବ୍ୟାରିକେଡ୍ ଦେଇ ଶ୍ରଦ୍ଧାଳୁମାନେ ମନ୍ଦିରରେ ପ୍ରବେଶ କରି ଠାକୁରଙ୍କ ଦର୍ଶନ କରିବେ। ଶୃଙ୍ଖଳିତ ଦର୍ଶନ ପଇଁ ସମସ୍ତ ବ୍ୟବସ୍ଥା ହୋଇଛି। ମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରା଼ସ୍ତାରେ ଭାରିଯାନ ପ୍ରବେଶ ଉପରେ ନିଷେଧ କରାଯାଇଛି। ଗ୍ୟାରେଜ ଛକ ସାମନ୍ତରାପୁର ଏବଂ ରବିଟକିଜ କେଦାରଗୌରୀ ଛକରୁ କୌଣସି ଭାରିଯାନ ଆସିପାରିବେ ନାହିଁ। ସେହିପରି ବିନ୍ଦୁସାଗର ନ୍ୟୁ ମାର୍କେଟ ଛକ ଇଲେକ୍ଟ୍ରିକ ଛକରେ ପାର୍କିଂ ବ୍ୟବସ୍ଥା ରହିଛି। ସେହିଭଳି ଭିଭିଆଇପିଙ୍କ ଗାଡ଼ି ରହଣୀ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।


