ବେଜିଂ: ଗତ କିଛିବର୍ଷ ଧରି ବିଶ୍ବର ବିଭିନ୍ନ ଦେଶ ପକ୍ଷରୁ ବିଶେଷ ପ୍ରକାରର ରୋବୋଟିକ୍ ଡଗ୍ ପ୍ରସ୍ତୁତ କରାଯାଉଛି। ଏହି ରାବୋଟିକ୍ ଡଗ୍ଗୁଡ଼ିକ ଅନେକ କ୍ଷେତ୍ରରେ ସୈନ୍ୟବାହିନୀକୁ ସାହାଯ୍ୟ କରିଥାଏ। ଭାରତୀୟ ସେନା ମଧ୍ୟ ‘ମୁଲ’ ନାମକ ଏକ ରୋବୋଟିକ୍ ଡଗ୍କୁ ସେନାରେ ସାମିଲ କରିଛି, ଯାହା କଠିନ ପରିସ୍ଥିତି ଓ ଅଞ୍ଚଳରେ ସେନା ପାଇଁ ବିଭିନ୍ନ କ୍ଷେତ୍ରରେ ସହାୟକ ହୋଇପାରୁଛି। ଚାଇନା ଏବଂ ଆମେରିକା ମଧ୍ୟ ପୂର୍ବରୁ ଏହିପରି ଅନେକ ରୋବୋଟିକ୍ ଡଗ୍ ପ୍ରସ୍ତୁତ କରିସାରିଛନ୍ତି। ସମ୍ପ୍ରତି ଚାଇନାର ଏକ ନୂଆ ରୋବୋଟିକ୍ ଡଗ୍ ବିଷୟରେ ଚର୍ଚ୍ଚା ଲାଗିରହିଛି। ଲିଙ୍କ୍ସ ନାମକ ଏହି ରୋବୋଟିକ୍ ଡଗ୍ର ଗୋଡରେ ଚକ ରହିଛି, ଯାହାଦ୍ୱାରା ଏହା ନାଚିବା ସହ ବ୍ୟାକ୍ଫ୍ଲିପ୍ ପରି ବିଭିନ୍ନ କୌଶଳ ମଧ୍ୟ କରିପାରୁଛି। ସେହିପରି ଲିଙ୍କ୍ସ ପହଁରି ମଧ୍ୟ ପାରିବ ବୋଲି ଏହାକୁ ପ୍ରସ୍ତୁତ କରିଥିବା ଚାଇନା କମ୍ପାନୀ ଡିପ୍ ରୋବୋଟିକ୍ସ ପକ୍ଷରୁ କୁହାଯାଇଛି।
ରୋବୋଟିକ୍ ଡଗ୍ ସମସ୍ତ ପ୍ରକାରର ଭୂମିରେ ଗତି କରିପାରୁଥିବା ସହ ବିଭିନ୍ନ କଷ୍ଟସାଧ୍ୟ ଅଞ୍ଚଳରେ ଏହାର ନୃତ୍ୟ ଏବଂ ବିଭିନ୍ନ କୌଶଳ ଏବେ ଭାଇରାଲ ହେବାରେ ଲାଗିଛି। ଏହି ରୋବୋଟିକ୍ ଡଗ୍ ପୃଥିବୀର ପ୍ରତ୍ୟେକ କଠିନ ଅଞ୍ଚଳରେ ବାସ କରିବା ପାଇଁ ଉପଯୁକ୍ତ ବୋଲି ଡିପ୍ ରୋବୋଟିକ୍ସ କହିଛି। ସନ୍ଧାନ, ଉଦ୍ଧାର କାର୍ଯ୍ୟ ଏବଂ ବୈଜ୍ଞାନିକ ଅନୁସନ୍ଧାନ ପରି କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଲିଙ୍କ୍ସକୁ ଡିଜାଇନ୍ କରାଯାଇଛି।
ରୋବୋଟିକ୍ ଡଗ୍ର ସବୁଠାରୁ ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଏହାର ୪ ଗୋଡ଼ ତଳେ ଚକ ଫିଟ୍ ହୋଇଛି। ଏହାଦ୍ବାରା ଲିଙ୍କ୍ସ ପ୍ରତ୍ୟେକ କଷ୍ଟଦାୟକ ଅଞ୍ଚଳରେ ଚାଲିପାରି ଥାଏ। ଏହା ପାହାଚ ଉପରକୁ ଚଢ଼ିପାରେ ଓ ତଳକୁ ମଧ୍ୟ ଓହ୍ଲାଇପାରେ। ଡିପ୍ ରୋବୋଟିକ୍ସ ପକ୍ଷରୁ ୟୁଟ୍ୟୁବରେ ଲିଙ୍କ୍ସ ରୋବୋଟିକ୍ ଡଗ୍ର ଏକ କ୍ଲିପ୍କୁ ଶେୟାର କରାଯାଇଛି। ଉକ୍ତ ଭିଡିଓରେ ଲିଙ୍କ୍ସକୁ ବିଭିନ୍ନ ପ୍ରକାର ପରିବେଶରେ ଚାଲି ପାରୁଥିବା, ଦୌଡ଼ି ପାରୁଥିବା ସହ ନାଚି ବିଭିନ୍ନ କୌଶଳ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି। ତେବେ ଗୋଡ଼ରେ ଚକ ରହିବା ସତ୍ତ୍ୱେ ମଧ୍ୟ ଏହା ବିନା କୌଣସି ବାଧାବିଘ୍ନରେ ଉପରକୁ ଚଢ଼ି ପାରିଥାଏ। ସେହିପରି ଲିଙ୍କ୍ସ
୨ ଗୋଡରେ ଠିଆ ହୋଇ ଚାଲିପାରିବା ସହ ବ୍ୟାକ୍ଫ୍ଲିପ୍ ପରି ବିଭିନ୍ନ ଆକର୍ଷଣୀୟ କୌଶଳ କରି ସମସ୍ତଙ୍କୁ ଚକିତ କରିଥାଏ। ୧୫ ଲକ୍ଷ ୮୨ ହଜାର ଟଙ୍କା ମୂଲ୍ୟର ଏହି ରୋବୋଟିକ୍ ଡଗ୍କୁ ‘ଆଇପି ୫୪’ ପ୍ରୋଟେକ୍ସନ ସହ ପ୍ରସ୍ତୁତ କରାଯାଇଛି, ଯାହାଫଳରେ ଲିଙ୍କ୍ସ -୨୦ ଡିଗ୍ରୀ ସେଲସିୟସରୁ ୫୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଚରମ ତାପମାତ୍ରାକୁ ମଧ୍ୟ ସହ୍ୟ କରିପାରି ଥାଏ।


