ଢାକା,୭।୨:ବାଂଲାଦେଶରେ ବିକ୍ଷୋଭକାରୀମାନେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ପୁରୁଣା ପୈତୃକ ଘର ଭଙ୍ଗାରୁଜା କରିବା ସହ ସେଥିରେ ନିଆଁ ଲଗାଇଦେଇଛନ୍ତି। ଏଥିସହିତ ହାସିନାଙ୍କ ଦଳର କେତେଜଣ ସଦସ୍ୟଙ୍କ ଘର ମଧ୍ୟ ଭଙ୍ଗାରୁଜା କରାଯାଇଛି। ଗତବର୍ଷ ଜୁଲାଇ-ଅଗଷ୍ଟରେ ଛାତ୍ର ଆନ୍ଦୋଳନ ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ପଳାଇଆସି ରହିଥିବା ହାସିନା ସୋସିଆଲ ମିଡିଆ ଯୋଗେ ବାଂଲାଦେଶ ଜନସାଧାରଣଙ୍କୁ ଉଦ୍ବୋଧନ ଦେବା ଓ ସାମ୍ପ୍ରତିକ ସରକାର ବିରୋଧରେ ଉସୁକାଇବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ହାସିନାଙ୍କ ବାପା ତଥା ବାଂଲାଦେଶର ପ୍ରତିଷ୍ଠାତା ରାଷ୍ଟ୍ରପତି ଶେଖ୍ ମୁଜିବୁର ରହମାନଙ୍କ ଘରକୁ ବିକ୍ଷୋଭକାରୀମାନେ ଜେସିବି ଲଗାଇ ଭାଙ୍ଗିଦେଇଛନ୍ତି। ଉକ୍ତ ବିଲ୍ଡିଂରେ ଏକ ସଂଗ୍ରହାଳୟ ହେବାର ଥିଲା।
ଏହି ଘଟଣାକୁ ହାସିନା ନିନ୍ଦା କରିବା ସହ ସୋସିଆଲ୍ ମିଡିଆ ଜରିଆରେ ନ୍ୟାୟ ଦାବି କରିଛନ୍ତି। ସେମାନେ ବିଲ୍ଡିଂ ଭାଙ୍ଗିଦେଇପାରନ୍ତି, କିନ୍ତୁ ଇତିହାସକୁ ଲିଭାଇପାରିବେ ନାହିଁ ବୋଲି ହାସିନା କହିଛନ୍ତି। ଗତବର୍ଷର ଛାତ୍ର ଆନ୍ଦୋଳନକୁ ଚାପିଦେବା ପାଇଁ ବଳ ପ୍ରୟୋଗ କରିଥିବା ଅଭିଯୋଗରେ ହାସିନାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରାଯାଇଥିଲା।


