କଟକ ବାରବାଟୀ ଷ୍ଟାଡ଼ିୟମ୍ରେ ଆସନ୍ତା ୯ତାରିଖରେ ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ। ଏଥିଲାଗି ବୁଧବାର ଅଫଲାଇନ୍ ଟିକେଟ୍ ବିକ୍ରିବେଳେ ଅସମ୍ଭାଳ ଭିଡ଼ ହେବାରୁ ଧସ୍ତାଧସ୍ତି ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ମଙ୍ଗଳବାର ରାତିରୁ ଅନେକ ବ୍ୟକ୍ତି ଲାଇନ ଲଗାଇଥିବାବେଳେ ଟିକେଟ ନ ମିଳିବାରୁ ଅସନ୍ତୋଷ ବଢ଼ିଥିଲା। ଫଳରେ ଠେଲାପେଲା ଯୋଗୁ ପୋଲିସ ବ୍ୟାରିକେଡ୍ ଭାଙ୍ଗି ଯାଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୃଦୁ ଲାଠି ଚାଳନା କରିଥିଲା। ତେବେ କ୍ରିକେଟ ମ୍ୟାଚ ଦେଖିବା ଲାଗି ପାଗଳାମୀ ଯୋଗୁ ଏଭଳି ଅବସ୍ଥା ଘଟିଛି ବୋଲି ଅନେକେ କହୁଛନ୍ତି।
କଟକ,୬ା୨(କାର୍ତ୍ତିକ ସାହୁ): କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ପାଇଁ ବୁଧବାର ଅଫ୍ଲାଇନ୍ ଟିକେଟ ବିକ୍ରିବେଳେ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା। ଧସ୍ତାଧସ୍ତି, ଠେଲାପେଲା ଯୋଗୁ ଲୋକେ ଟିକେଟ କିଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରି କି ଟିକେଟ କିଣିସାରିବା ପରେ ବ୍ୟାରିକେଡ୍ରୁ ବାହାରକୁ ଆସିବା ବାଟ ବନ୍ଦ ହୋଇଯିବାରୁ ଆହୁରି ସଙ୍ଗିନ ସ୍ଥିତି ସୃଷ୍ଟି ହୋଇଥିଲା। ଟିକେଟ କାଉଣ୍ଟର ନିକଟରେ ଭିଡ଼ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଥିଲା। ପରିସ୍ଥିତି ଏପରି ହେଲା ଯେ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା। ଅପରପକ୍ଷରେ ଦୀର୍ଘ ସମୟ ଧରି ଧାଡ଼ିରେ ଠିଆହୋଇ ରହିବାରୁ କେତେଜଣ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିଲେ। ପୋଲିସ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା। ତେବେ କେନ୍ଦ୍ରାଞ୍ଚଳ ଆର୍ଡିସିଙ୍କ ସ୍ତରରୁ ମଙ୍ଗଳବାର ପ୍ରସ୍ତୁତି ବୈଠକରେ ଟିକେଟ ବିକ୍ରିସ୍ଥଳରେ ପିଇବା ପାଣି ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଥିଲେ ବି ବାସ୍ତବରେ ଲୋକେ ପାଣି ପାଇ ନ ଥିଲେ। ଟିକେଟ କିଣିବାବେଳେ ବହୁ ବିଶୃଙ୍ଖଳା ଫଳରେ ପ୍ରଶାସନିକ ଅବ୍ୟବସ୍ଥାକୁ ନେଇ କ୍ରୀଡ଼ାପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ପୂର୍ବ ସୂଚନା ଅନୁଯାୟୀ, ଆସନ୍ତା ୯ରେ ବାରବାଟୀରେ କ୍ରିକେଟ୍ ମ୍ୟାଚ୍ ହେବ। ଏଥିପାଇଁ ବୁଧବାର ଓ ଗୁରୁବାର ବାରବାଟୀ ଷ୍ଟାଡିୟମ ପରିସରସ୍ଥ ୪ଟି କାଉଣ୍ଟରରେ ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା ହୋଇଥିଲା। ସେଥିମଧ୍ୟରୁ ମହିଳାଙ୍କ ନିମନ୍ତେ ଏକ ସ୍ବତନ୍ତ୍ର କାଉଣ୍ଟର ହୋଇଥିଲା। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ୧୧,୦୮୦ ଟିକେଟ କାଉଣ୍ଟରରେ ବିକ୍ରି ହେବ ବୋଲି ମଙ୍ଗଳବାର ସୂଚନା ଦେଇଥିଲା।
ହେଲେ ବୁଧବାର ଗୋଟିଏ ଦିନରେ ସବୁ ଟିକେଟ ସରିଯାଇଥିବା ଜଣାପଡିଛି। ଟିକେଟ କିଣିବା ପାଇଁ ଦୂରଦୂରାନ୍ତରୁ ଲୋକେ ପୂର୍ବଦିନ ଅର୍ଥାତ୍ ମଙ୍ଗଳବାରରୁ ଷ୍ଟାଡିୟମ ନିକଟରେ ଭିଡ଼ ଲଗାଇଥିଲେ। ଏପରି କି ବ୍ୟାରିକେଡ୍ ଭିତରେ ଧାଡ଼ି ହୋଇ ଠିଆ ହୋଇଥିଲେ। ବିଶେଷକରି ଦୀର୍ଘସମୟ ମହିଳାମାନେ ଧାଡ଼ିରେ କୁନି ପିଲାଙ୍କୁ ଧରି ଠିଆ ହୋଇଥିଲେ। ହେଲେ ପୋଲିସ ସେମାନଙ୍କୁ ରାତିରେ ଘଉଡ଼ାଇ ଦେଇଥିଲା। ବୁଧବାର ସକାଳୁ ଲୋକମାନେ ରୁଣ୍ଡ ହେବାରୁ ଅସମ୍ଭାଳ ଭିଡ଼ ହୋଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଠେଲାପେଲାବେଳେ ଟିକେଟ କାଉଣ୍ଟର ନିକଟରେ ଲାଗିଥିବା ହୋର୍ଡିଂକୁ ଲୋକମାନେ ଭାଙ୍ଗିଦେଇଥିଲେ। କେତେଜଣ ଧାଡ଼ିରେ ନ ଆସି ସିଧା କାଉଣ୍ଟର ନିକଟକୁ ଧସେଇ ପଶିଥିଲେ। ଟିକେଟ ସଂଖ୍ୟାଠାରୁ ବହୁ ଅଧିକ ଲୋକ ରୁଣ୍ଡ ହୋଇଥିଲେ। ପୋଲିସ ବ୍ୟାରିକେଡ୍ ଉପରେ ଠିଆ ହୋଇ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ପୁଣି ଟିକେଟ ବିକ୍ରିସ୍ଥଳରେ ପାନୀୟଜଳ ଯୋଗାଣ ନ ଥିବାରୁ କେତେଜଣ ମୂର୍ଚ୍ଛା ହୋଇଯାଇଥିଲେ। ପୋଲିସ ଲୋକଙ୍କ ମୁହଁରେ ପାଣି ଛାଟୁଥିବା ଦେଖାଯାଇଥିଲା। ତାତିରୁ ରକ୍ଷା ପାଇଁ ପାଣି ସିଞ୍ଚନ ମଧ୍ୟ କରାଯାଇଥିଲା।
କଟକ ଡିସିପି ଜଗମୋହନ ମୀନାଙ୍କ କହିବାନୁସାରେ, ଲୋକମାନେ ଟିକେଟ କିଣିବା ପାଇଁ ଗହଳି ଲଗାଇବାବେଳେ ବିଶୃଙ୍ଖଳା ଦେଖାଦେଇଥିଲା। ଲୋକମାନେ ଧାଡ଼ିରେ ଥିବାବେଳେ ଏପଟସେପଟ ହେବା ସହ କାଉଣ୍ଟର ପାଖରେ ଗହଳି କରୁଥିଲେ। ତେବେ ପରିସ୍ଥିତି ନିୟନ୍ତ୍ରଣ ନିମନ୍ତେ ଲୋକମାନଙ୍କୁ ଡରାଇବାକୁ ପୋଲିସକୁ ଲାଠି ଦେଖାଇବା ପାଇଁ ପଡ଼ିଥିଲା। ମଝିରେ ମଝିରେ ସୁରୁଖୁରୁରେ ଟିକେଟ ବିକ୍ରି ହେଉଥିଲା, ପୁଣି ଭିଡ଼ ହୋଇଯାଉଥିଲା। ଲୋକମାନଙ୍କୁ ପାଣି ସିଞ୍ଚନ କରାଯାଇଥିଲା। ପୋଲିସ ଜଳଦୂତ ଟାଙ୍କି ଯେକୌଣସି ଜାଗାରେ ସହଜରେ ପଶି ଯାଉଥିବାରୁ ଲୋକଙ୍କ ଉପରେ ପାଣି ପକାଇବା ସହଜ ହୋଇଥିଲା। ପାଣି ପିଇବାକୁ ଚାହୁଁଥିବା ଲୋକଙ୍କୁ ପୋଲିସ ପାଣି ଯୋଗାଇ ଦେଉଥିଲା। ପ୍ରତି ସିଫ୍ଟରେ ୮ରୁ ୧୦ ପ୍ଲାଟୁନ୍ ପୋଲିସ ମଙ୍ଗଳବାର ରାତିରୁ ଟିକେଟ ବିକ୍ରି ସରିବା ପର୍ଯ୍ୟନ୍ତ ନିୟୋଜିତ ହୋଇଥିଲେ। ରାତି ସାରା ବରିଷ୍ଠ ଅଧିକାରୀମାନେ ଉଜାଗର ହୋଇଛନ୍ତି। ପ୍ରାୟ ୨୦ ହଜାର ଲୋକ ଏକାଠି ହୋଇଥିଲେ। ତେବେ ସବୁ କାର୍ଯ୍ୟ ସୂଚାରୁରୂପେ ସମ୍ପନ୍ନ ହୋଇଥିବା ଡିସିପି ମୀନା କହିଛନ୍ତି।


