ନୂଆଦିଲ୍ଲୀ,୨।୨: କ’ଣ ଦୁଇ ଜଣ ପୁରୁଷ ସନ୍ତାନ ଜନ୍ମ କରିପାରିବେ? କ’ଣ ମହିଳାଙ୍କ ବିନା ଏହା ସତରେ ସମ୍ଭବ? ଦେଖିବାକୁ ଗଲେ ଅନେକ ଦିନ ଧରି ବୈଜ୍ଞାନିକ ମାନେ ଏହି ଦାବି କରିଆସୁଛନ୍ତି ଯେ ଏହା ସମ୍ଭବ ବୋଲି, କିନ୍ତୁ କେବେ ଏନେଇ କୌଣସି ରିସର୍ଚ୍ଚ ବା ଅଧ୍ୟୟନରୁ ଜଣାପଡିନି। ନିକଟରେ ଚାଇନାରେ ଏକ ବିରଳ ରିସର୍ଚ୍ଚ କରାଯାଇଛି । ଯେଉଁଥିରେ ବୈଜ୍ଞାନିକମାନେ ଦୁଇ ପୁରୁଷ ମୂଷାଙ୍କ ମିଳନରୁ ଏକ ମୂଷା ସନ୍ତାନ ଜନ୍ମ ହୋଇଥିବା ଦାବି କରିଛନ୍ତି।
କହିରଖୁଛୁ କି, ଚାଇନିଜ ଏକାଡେମୀ ଅଫ ସାଇନ୍ସେସ (CAS) ର ମଲିକୁଲାର୍ ବାୟୋଲୋଜିଷ୍ଟ ଜି କୁନ ଲି ଏବଂ ତାଙ୍କ ଟିମ ଏହି ଅଧ୍ୟୟନ କରିଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ବୈଜ୍ଞାନିକମାନେ ଦୁଇ ପୁରୁଷଙ୍କ ମିଳନରୁ ସନ୍ତାନ ଜନ୍ମ କରିବାକୁ ଚେଷ୍ଟା କରିଛନ୍ତି। ଏହାପୂର୍ବରୁ ୨୦୨୩ ମସିହାରେ ଜାପାନୀ ବୈଜ୍ଞାନିକମାନେ ମଧ୍ୟ ଏପରି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦୁଇ ପୁରୁଷ ମୂଷାଙ୍କ ମିଳନରୁ ଜନ୍ମିତ ମୂଷାର ଆୟୁଷ ବହୁତ କମ ଥିଲା । ପୁରୁଷ ଷ୍ଟେମ କୋଷରୁ ଅଣ୍ଡା ବିକାଶ ପାଇଁ ଏପର୍ଯ୍ୟନ୍ତ ସମସ୍ତ ଚେଷ୍ଟା ବିଫଳ ହୋଇଛି । ତେବେ ସରୋଗେସି ମାଧ୍ୟମରେ ଜୈବିକ ମା ବିନା ସନ୍ତାନକୁ ଜନ୍ମ ଦେବା ସମ୍ଭବ କିନ୍ତୁ ଏହି ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ।
ଯେତେବେଳେ ଜଣେ ପୁରୁଷର ଶୁକ୍ରାଣୁ ଏକ ଅଣ୍ଡାକୁ ଫର୍ଟିଲାଇଜ କରେ, ସେତେବେଳେ ସେଥିରେ ଯୁଗଳ ଜିନ ସୃଷ୍ଟି ହୁଏ, କିନ୍ତୁ ଏହି ଯୋଡିର ଏକ ଅଂଶ ନିଷ୍କ୍ରିୟ ହୋଇଯାଏ । ଯଦି ଉଭୟ ଶୁକ୍ରାଣୁରୁ ଏକ ଶିଶୁ ସୃଷ୍ଟି ହୁଏ, ତେବେ ଏହି ନିଷ୍କ୍ରିୟତା ଦୁଇଥର ଘଟିଥାଏ, ଯାହା ଅନେକ ଜେନେଟିକ ସମସ୍ୟା ସୃଷ୍ଟି କରିଥାଏ । ବୈଜ୍ଞାନିକଙ୍କ ଭାଷାରେ ଏହାକୁ ଜିନ ଇମ୍ପ୍ରିଟିଙ୍କ ତ୍ରୁଟି କୁହାଯାଏ । ଏହି ସମସ୍ୟାର ସମାଧାନ ପାଇଁ ଲି ଏବଂ ତାଙ୍କ ଦଳ ଜିନ ଡେଲିଶନ, ରିଜନ ଏଡିଟିଂ ଏବଂ ଜିନ ବେସ ପେୟର ଏଡିସନ-ରିମୁଭଲ ଭଳି ଅନେକ କୌଶଳ ବ୍ୟବହାର କରିଥିଲେ । ଫଳରେ ଜନ୍ମିତ ମୂଷା ସନ୍ତାନ ସୁସ୍ଥତାର ସହ ବଡ ହୋଇ ଚଳପ୍ରଚଳ କରୁଛି । ବୈଜ୍ଞାନିକମାନେ ଦାବି କରୁଛନ୍ତି ଯେ ମୂଷାଟି ବର୍ତ୍ତମାନ ତା’ର ଯୁବାବସ୍ଥାରେ ଅଛି ଏବଂ ସମ୍ପୁର୍ଣ୍ଣ ସୁସ୍ଥ ଅଛି । ତେବେ ଏହାପୂର୍ବରୁ ବୈଜ୍ଞାନିକମାନେ ଦୁଇ ମହିଳାଙ୍କ ମିଳନରୁ ସନ୍ତାନ ଜନ୍ମ କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ । ଜାପାନର ବୈଜ୍ଞାନିକମାନେ ୨୦୦୪ରେ ଏହି ରିସର୍ଚ୍ଚ କରିଥିଲେ ।


