ରାଜନୀତି କେଳେଙ୍କାରିର ସଂସ୍କୃତିକୁ ଉଧୋଉଛି

ସହଦେବ ସାହୁ

 

ଭାରତର ଆଇନ ନ ମାନୁଥିବା ଅର୍ଥବ୍ୟବସ୍ଥା କେଳେଙ୍କାରିର ସଂସ୍କୃତିକୁ ଉଧୋଉଛି। କର୍ପୋରେଟ୍‌ ପରିଚାଳନାରେ ମାଲ୍‌ ପ୍ରାକ୍ଟିସ୍‌ (ଅବୈଧ କାରବାର) ଯଥା କମ୍ପାନୀର ମାଲିକ ଓ କମ୍ପାନୀ ଚାଲୁ କରିଥିବା ଲୋକ ପୁଞ୍ଜି ଲଗାଇଥିବା ଲୋକମାନଙ୍କୁ ଠକନ୍ତି। ରାଜନେତାଙ୍କ ପ୍ରଭାବ ଲଗାଇ ସହଜରେ ବ୍ୟାଙ୍କରୁ ଶହ ଶହ କୋଟି ଟଙ୍କା ଋଣ ନେଇପାରନ୍ତି, କିନ୍ତୁ ଋଣ ପରିଶୋଧରେ ଖିଲାପ କଲେ ଆଇନ-ଜାଲକୁ ଏଡ଼ାଇ ଯାଆନ୍ତି। ନୈତିକ ଆଚରଣ ଓ ସାଧାରଣ ଦାୟିତ୍ୱବୋଧ ଏତେ କମିଯିବାର କାରଣ ସରକାର ଚଳାଉଥିବା ରାଜନେତାମାନେ ପ୍ରୋତ୍ସାହନ ଦେଉଛନ୍ତି!
ଭାତହାଣ୍ଡିରୁ ଗୋଟିଏ ଚିପିଲେ ସହି। ଯୁକ୍ତରାଷ୍ଟ୍ର ଆମେରିକା ଅନୁକରଣରେ ଆମ ଦେଶରେ କର୍ପୋରେଟ୍‌ କଲ୍‌ଚର ଆରମ୍ଭ ହେଲା ବେଳକୁ ଦେଶରେ ରାଜନୀତି ଏତେ ଗୋଳମାଳିଆ ଆଉ ଅର୍ଥନୀତି ଏତେ ସଙ୍କଟାପନ୍ନ ହୋଇଥିଲା ଯେ ହର୍ଷଦ୍‌ ମେହେଟ୍ଟାର କାରନାମାକୁ କେଳେଙ୍କାରି ବୋଲି କେହି କହୁ ନ ଥିଲେ। ଘଟଣା(episode)ଟି ତତ୍କାଳୀନ ପରିସ୍ଥିତିର ଦାସ ଥିଲା, ତାକୁ ଲୋକେ ଏବେ ପ୍ରସଙ୍ଗକୁ ଆଣୁନାହାନ୍ତି। ଏବେ ସ୍କାମ୍‌ ବା କେଳେଙ୍କାରି ଆମ ଅର୍ଥନୀତିର ଏକ ଅଙ୍ଗ ହୋଇଗଲାଣି। ଆଇନର ପବିତ୍ରତା ସରକାର ରକ୍ଷା କରୁନାହାନ୍ତି, ଆଇନ ରାଜନେତାମାନେ ଦେଖାଉଥିବା ରାସ୍ତାରେ ଯାଉଛି। ଯଦି କେହି ଆଇନ ଲାଗୁ କରୁଥିବା ଅଧିକାରୀ(ରେଗୁଲେଟର) ଆଇନକୁ ତା’ ବାଟରେ ନେବାକୁ ଚେଷ୍ଟା କରୁଥାନ୍ତି ସେ ଅଫିସରକୁ କାମ ଅଧାରୁ ବଦଳିକରି ନିଜ ମର୍ଜି ଅନୁଯାୟୀ ଯିଏ କାମ କରିବ ତାକୁ ନେଇଆସନ୍ତି। ଅବାଧ ବଜାର (ଫ୍ରି ମାର୍କେଟ) ରାଜନେତାଙ୍କ ଲୋଭ ଆଗରେ ବଳିପଡ଼େ, ବିବେକ (ପ୍ରୁଡେନ୍ସ) ଓ ନ୍ୟାୟ (ଫେଆର୍‌ନେସ୍‌) ଉଭେଇଯାଏ।
ଲୋକେ ଦେଖିଲେ, ୧୯୯୦ ମାର୍ଚ୍ଚରେ ମୁମ୍ବାଇର ଭିକ୍ରୋଲିରେ ଏକ କୁଡ଼ିଆରେ ରହୁଥିବା ୩୬ ବର୍ଷର ମେହେଟ୍ଟା ମାସକ ଭିତରେ ୱର୍ଲିରେ ଏକ ୧୦ କୋଟି ଟଙ୍କିଆ ପ୍ରାସାଦକୁ ଉଠିଗଲା, ସେଠି ଥିଲା ଗଲ୍ଫ କୋର୍ଷ, ମେହେଟ୍ଟାର ଗଣ୍ଡା ଗଣ୍ଡା ଗାଡ଼ି ରଖିବା ଜାଗା ଆଉ ଜାପାନୀ ଉଦ୍ୟାନ: ମେ’ ମାସରେ ଆଇଏମ୍‌ଏଫ୍‌ କହିଲା ଇଣ୍ଡିଆରେ ଷ୍ଟକ୍‌ ମାର୍କେଟର ଯୁଗ ଆସିଗଲା, ଅଗଷ୍ଟରେ ମାର୍କିନ୍‌ ସିଟି ବ୍ୟାଙ୍କ ଲିଙ୍କଲଦ୍ଭର ଇଣ୍ଡିଆ କ୍ୟାପିଟାଲ ମାର୍କେଟର ସ୍ବର୍ଗ ହୋଇଯିବ। ୧୯୯୨ରେ ‘ହର୍ଷଦ୍‌ ମେହେଟ୍ଟା କେଳେଙ୍କାରିର ଖୁଲାସା ହୋଇଗଲା ପରେ ବି ଲୋକେ ଶେୟାର କିଣିବା ପାଇଁ ବ୍ୟାଙ୍କ ଦ୍ୱାରରେ ଭିଡ଼ ଜମାଇଲେ। ୧୯୯୧ ଅଗଷ୍ଟରେ ପି.ଭି. ନରସିଂହରାଓଙ୍କ ଅର୍ଥମନ୍ତ୍ରୀ ମନମୋହନ ସିଂ ଆମଦାନୀ ଓ ଶିଳ୍ପ ଉପରୁ କଟକଣା ଉଠାଇ ଦେଇଥିଲେ ବି ଆବଶ୍ୟକ ମାନବ ସମ୍ବଳ ଏବଂ ଭିତ୍ତିଭୂମି ଅଭାବରୁ ଶିଳ୍ପ ତ ଆସିଲା ନାହିଁ ବରଂ ବିଶୃଙ୍ଖଳ ପୁଞ୍ଜିବାଦୀ ବଜାର ଉଧେଇଲା। ମେହେଟ୍ଟାର ସଫଳତା ଦେଖି ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନେ ତାକୁ ବିନାସୁଧରେ ପାଣ୍ଠି ଯୋଗାଇଲେ, ଷ୍ଟେଟ୍‌ ବ୍ୟାଙ୍କ ମଧ୍ୟ ୫୦୦ କୋଟି ଦେଇଥିଲା, କିନ୍ତୁ ସମ୍ପୃକ୍ତ ଅଧିକାରୀମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ। ବ୍ୟାଙ୍କମାନଙ୍କୁ ଇନ୍‌ସ୍ପେକ୍ସନ କରିଥିବା ରିଜର୍ଭ ବ୍ୟାଙ୍କର ଅଫିସରମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ। ମେହେଟ୍ଟା ଅକାଳରେ ମରିଯିବାରୁ ଶେୟାର୍‌ ବଜାରରେ ଜୀବନଯାକର ସଞ୍ଚୟ ହରାଇ ଆତ୍ମହତ୍ୟା କରିଥିବା ଲୋକଙ୍କ ଅଭିଶାପ ବୋଲି କୁହାଗଲା ସିନା, ସ୍ପଷ୍ଟ ଦିବାଲୋକରେ ଠକିବା ଲୋକଙ୍କ ଅଭ୍ୟାସରେ ପଡ଼ିଗଲା, ରାଜନେତାମାନଙ୍କ ବାହୁତଳେ ଠକିବା ବଢ଼ିଗଲା। ରାତାରାତି ଧନୀ ହେଉଥିବା ଲୋକେ କହିଲେ, ବେଶି ପଇସା କରିବା କ’ଣ ପାପ? ସେମାନେ ଯେ ରାଜନେତାମାନଙ୍କ ହାତମୁଠାରେ ଥିବା କୋଅପରେଟିଭ୍‌ ବ୍ୟାଙ୍କମାନଙ୍କରୁ ସହଜରେ ଋଣ ଉଠାନ୍ତି। କମ୍ପାନୀର ଶେୟାର ମୂଲ୍ୟ ବଢୁଥିଲେ ବି ଋଣର ଖିଲାପ କରନ୍ତି। ତାହା କେତନ ପାରେଖ ମାଧବପୂରା ମର୍କାଣ୍ଟାଇଲ୍‌ କୋଅପରେଟିଭ୍‌ ବ୍ୟାଙ୍କକୁ ବ୍ୟବହାର କରିଥିବା ପ୍ରମାଣ କରେ।
ମେହେଟ୍ଟା ପାଖରେ କାମ କରିଥିବା ୩୫ ବର୍ଷୀୟ କେତନ ପାରେଖ କେତେକ ଅଖ୍ୟାତ ଆଇଟି ଓ କମ୍ୟୁନିକେଶନ କମ୍ପାନୀର ସବୁ ଶେୟାର ନିଜ ହାତରେ ରଖି ଅଳ୍ପ କିଛି ଶେୟାର କିଣାବିକା ପାଇଁ ଛାଡ଼ି(ଫ୍ଲୋଟିଂ ଷ୍ଟକ୍‌) ଦର ଏତେ ବଢ଼ାଇଦେଲା ଯେ ୨୦୦୧ରେ ତାହାର କେଳେଙ୍କାରି ଧରାପଡ଼ିଲା ବେଳକୁ ସେ ବିଲିଅନେୟାର ହୋଇଯାଇଥିଲା। ଆମ ଦେଶର କର୍ପୋରେଟ୍‌ ଶାସନ ଭିତରେ ଏତେ ମୂଷାଗାତ ଅଛି ଯେ କମ୍ପାନୀର ମାଲିକ ଓ ପ୍ରମୋଟରମାନେ ସହଜରେ ପୁଞ୍ଜି ନିବେଶକାରୀମାନଙ୍କୁ ଠକିପାରୁଛନ୍ତି। କେତନ ଆରମ୍ଭରେ ଗୌତମ ଆଦାନୀଙ୍କ କର୍ମଚାରୀମାନଙ୍କ ସହ କାମ କରିଥିଲେ। ଯେଉଁ ମରିସସ୍‌ ନିଜ ଦେଶର କମ୍ପାନୀମାନଙ୍କ ଉପରେ ଟିକସ ବସାଏ ନାହିଁ, ସେଠାରେ ନାମକୁମାତ୍ର କମ୍ପାନୀ ବସାଇ ଭାରତକୁ ରପ୍ତାନି କରୁଥିବା ଦେଖାଇ ଆଦାନୀଙ୍କ ଷ୍ଟକ୍‌ ମୂଲ୍ୟ ବଢ଼ାଇଥିଲା। ମରିସସ୍‌ରୁ ଭାରତ ଆସୁଥିବା ପୁଞ୍ଜି ବା ଆମଦାନୀ ଉପରେ ଆଉ ଟିକସ ବସିବ ନାହିଁ ବୋଲି ଭାରତ ସରକାର ୧୯୮୩ରୁ ଏକ ଚୁକ୍ତି କରିଥିଲେ। ବିଦେଶୀ ପୁଞ୍ଜି ଆସିଲା ବୋଲି ଆଦାନୀ କମ୍ପାନୀ ଦେଖାଉଥିଲା। ୨୦୦୩ରେ ସେବି(ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ) ଜରିମାନା କଲା ଓ ବାରଣ କଲା। ତା’ ସତ୍ତ୍ୱେ ପାରେଖ ତା’ କାରବାର ଜାରି ରଖିଥିଲା ବୋଲି ୨୦୧୮ରେ ସ୍ବତନ୍ତ୍ର କୋର୍ଟ ପାରେଖକୁ ୩ ବର୍ଷ ଜେଲ୍‌ଦଣ୍ଡ ଦେଲେ। କାରଣ ସେ ସେବିକୁ ଜରିମାନା ଅର୍ଥ ଦେଲାନାହିଁ। ଏ ସବୁଥିରେ ରାଜନେତାମାନେ ପାରେଖକୁ ସାହାଯ୍ୟ କରିଥିଲେ। ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ଦୋଷ ଧରିଥିଲେ ବି ଏମ୍‌ପିମାନେ ପାରେଖ ସହ ମିଳାମିଶା ବେଶ୍‌ ଚାଲୁ ରଖିଥିଲେ। ଫାଇନାନ୍ସ ସେକ୍ରେଟାରି (ମଣ୍ଟେକ୍‌ ସିଂ ଆହଲୁୱାଲିଆ) ୧୯୯୩ ନଭେମ୍ବରରେ ଓ ପରେ ରେଭିନ୍ୟୁ ସେକ୍ରେଟାରି ପାରେଖର କାରବାରକୁ ବନ୍ଦ କରିବାକୁ କହିଲେ ମଧ୍ୟ ଅର୍ଥମନ୍ତ୍ରୀ ମନମୋହନ ସିଂ ଟାଳଟୁଳ କଲେ। ସୁପ୍ରିମ୍‌କୋର୍ଟ ବି ମରିସସ୍‌ ସହ ଟିକସଛାଡ଼ ଚୁକ୍ତି ଉପରେ ହସ୍ତକ୍ଷେପ କରିବାକୁ ମନାକଲେ। ୨୦୧୨ରେ ଠକ କମ୍ପାନୀମାନଙ୍କୁ ଟିକସଛାଡ଼ରୁ ବଞ୍ଚତ୍ତ କରିବାକୁ ଯାଞ୍ଚ ଆରମ୍ଭ ହେଲା, ୨୦୧୬ ମେ’ରେ ‘ପାନାମା ପେପର୍ସ’ ସରକାରଙ୍କୁ ବାଧ୍ୟକଲା-ସ୍ବଳ୍ପ ସମୟର ପୁଞ୍ଜି ଆହରଣ (କ୍ୟାପିଟାଲ ଗେନ୍ସ) ଉପରେ ୧୫% ଟିକସ ଜାରି କଲା। ମରିସସ୍‌ରୁ ପୁଞ୍ଜି ଆସିବା କମିଗଲା ସିନା, କିନ୍ତୁ ଅନ୍ୟ ଟ୍ୟାକ୍ସ ହାବେନ୍‌ରୁ ବଢ଼ିଗଲା। ତା’ମାନେ ଠକ ନିବେଶକାରୀଙ୍କ ଉପରେ କଟକଣା ଏକ ଛଳନା ଥିଲା। ଯୁକ୍ତରାଷ୍ଟ୍ର ଆମେରିକାରେ ତ ଶହ ଶହ କମ୍ପାନୀ ନିବେଶକାରୀର ପରିଚୟ ଲୁଚାନ୍ତି, ଗୋଲ୍ଡମ୍ୟାନ୍‌ ସାକ୍ସ ଓ ମୋର୍ଗାନ୍‌ ଷ୍ଟାନ୍‌ଲି ଭଳି ବଡ଼ ବଡ଼ ଅର୍ଥସଂସ୍ଥା ବି। ସରକାର ଅଯଥା ଟିକସ ହରାଉଛନ୍ତି। କେତନ ପାରେଖ ତ ଗଲାଣି, କିନ୍ତୁ ତାଙ୍କ କାରନାମାରେ ପ୍ରଭାବିତ ହୋଇ ଏବେ ବି ଶେୟାର ବଜାର (ଷ୍ଟକ୍‌ ମାର୍କେଟ) ଚାକ୍ସ ହାବେନ୍‌ ବାଟେ ଆମଦାନୀ, ରପ୍ତାନି ଦେଖାଇ ସେମାନଙ୍କ ଷ୍ଟକ୍‌ ପ୍ରାଇସ୍‌ ବଢ଼ାଉଛନ୍ତି। ସରକାର କୋଟି କୋଟି ଟଙ୍କା ଟିକସ ହରାଉଛନ୍ତି ଜାଣି ସୁଦ୍ଧା ରାଜନେତାମାନେ ଗଳାବାଟକୁ ବନ୍ଦ କରିବାର ଆଇନକୁ କଡ଼ାକଡ଼ି ଭାବେ ପାଳନ କରାଇ ଦେଉନାହାନ୍ତି। ୨୦୨୩ ଜାନୁଆରୀରେ ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ସଂସ୍ଥା ପ୍ରକାଶ କଲା ଯେ, ଆଦାନୀ ଗୋଷ୍ଠୀ ମରିସସ୍‌ ଓ ଅନ୍ୟ ଦରିଆପାରି ଟ୍ୟାକ୍ସ ହାବେନ୍‌କୁ ଲଗାଇ ତାଙ୍କ କମ୍ପାନୀର ଷ୍ଟକ୍‌ ପ୍ରାଇସ୍‌ ହେରଫେର କରୁଛି। ବିଦେଶୀ ପୁଞ୍ଜି ଆଶାରେ ପାଗଳ ସରକାର କର୍ପୋରେଟ୍‌ ସେକ୍ଟରରେ ଚାଲିଥିବା କେଳେଙ୍କାରିକୁ ପ୍ରଶ୍ରୟ ଦେଉଛନ୍ତି। ଏପରିକି ହିଣ୍ଡେନ୍‌ବର୍ଗ ମାମଲାରେ ଆମର ଉଚ୍ଚତମ ନ୍ୟାୟାଳୟ ସରକାରଙ୍କ ବିଦେଶୀ ପୁଞ୍ଜି ଆହରଣ ନିଶାରେ ସରକାରଙ୍କ ଏପରି ଆଚରଣ ଉପରେ ରୋକ୍‌ ଲଗାଇନାହାନ୍ତି। ଏ ପରିପ୍ରେକ୍ଷୀରେ ସେନ୍‌ସେକ୍ସ ଉଚ୍ଚକୁ ଉଠିଲେ ଆର୍ଥିକ ବିଶୃଙ୍ଖଳା ଓ ଭ୍ରଷ୍ଟାଚାର ସେହି ପରିମାଣରେ ବଢ଼ିଛି ବୋଲି ଭାବିବାକୁ ପଡ଼ିବ।
sahadevas@yahoo.mail


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରାୟ ଏକ ଦଶନ୍ଧି ପୂର୍ୱରୁ ମହାରାଷ୍ଟ୍ର ପଶ୍ଚିମଘାଟ ପର୍ୱତମାଳା ଆଖପାଖ ଗାଁଗୁଡ଼ିକରେ ଜଳସଙ୍କଟ ଯୋଗୁ କୃଷିରେ ବାଧା ଉପୁଜୁଥିଲା। ସେଠାକାର ବୋର୍‌ଓ୍ୱେଲ କାମ କରୁ ନ...

ଖଜୁରି ଗଛର କି ଗୁଣ ଗାଇବି

ଦେଶର ସମ୍ୱିଧାନ କହେ ଆଇନ ଦୃଷ୍ଟିରେ ସମସ୍ତେ ସମାନ। ହେଲେ ବାସ୍ତବ କ୍ଷେତ୍ରରେ ତାହାର କାର୍ଯ୍ୟାନ୍ୱୟନ ବା ଅନୁପାଳନ ବେଳେ ହୁଏ କିନ୍ତୁ ଠିକ୍‌ ତା’ର...

ବିଲୁପ୍ତି ପଥେ ନୀଳରକ୍ତ କଙ୍କଡ଼ା

ମାନବ ଜାତି ପାଇଁ ପରମ ଉପକାରୀ ବନ୍ଧୁ ହେଉଛି ବିରଳ ନୀଳରକ୍ତ କଙ୍କଡ଼ା। ତା’ର ନୀଳରକ୍ତର କଣିକାରେ ଭରି ରହିଛି ଅମୂଲ୍ୟ ଔଷଧୀୟ ଗୁଣ। ବାଲେଶ୍ୱର...

ସମୟ ଧାରାରେ ଚକ୍ରବୃଦ୍ଧି ସୁଧ

ଚକ୍ରବୃଦ୍ଧି ସୁଧ (କମ୍ପାଉଣ୍ଡ ଇଣ୍ଟରେଷ୍ଟ)ର ଧାରଣା ମାନବ ଇତିହାସରେ ସବୁଠୁ ଶକ୍ତିଶାଳୀ ତଥା ବିପଜ୍ଜନକ ଆବିଷ୍କାର। ଏହି ଶବ୍ଦ ସଂସ୍କୃତ ଶବ୍ଦକୋଷ ଓ ବୈଧ-ଅର୍ଥନୈତିକ ସାହିତ୍ୟରେ...

ଦରମା ଦେଇପାରୁନି ଆମେରିକା

ଶ୍ବର ବିକଶିତ ଦେଶ ଆମେରିକାରେ ଅଚଳାବସ୍ଥା। ୧୪ ଲକ୍ଷରୁ ଅଧିକ ଫେଡେରାଲ କର୍ମଚାରୀଙ୍କୁ ବେତନ ନ ମିଳବା , ୪୧ ଲକ୍ଷ ନିମ୍ନ ଆୟକାରୀ ଆମେରିକୀୟଙ୍କ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri