ଜଳବାୟୁ ଓ ଯୁବଗୋଷ୍ଠୀ

ସାମ୍ପ୍ରତିକ ସମୟର ସର୍ବବୃହତ୍‌ ଆହାନକାରୀ ବୈଶ୍ୱିକ ସମସ୍ୟା ମଧ୍ୟରେ ଅନ୍ତର୍ଭୁକ୍ତ ବିଶ୍ୱତାପନ ଏବଂ ତଜ୍ଜନିତ ଜଳବାୟୁ ପରିବର୍ତ୍ତନ। ଶିଳ୍ପ ବପ୍ଳବ ପରବର୍ତ୍ତୀ ସମୟରେ ଯେପରି କ୍ଷିପ୍ର ବେଗରେ ଶିଳ୍ପାୟନ ସହିତ ସାମାଜିକ ଓ ଅର୍ଥନୈତିକ ପ୍ରଗତି ଅସହନୀୟ ମାର୍ଗରେ ସାଧିତ ହେଲା ଏବଂ ଏହି ପ୍ରକ୍ରିୟାରେ ଶକ୍ତିର ବହୁଳ ବିନିଯୋଗ ଘଟିଲା, ତାହା ହିଁ ଆଜି ପରିଦୃଷ୍ଟ ହେଉଥିବା ପ୍ରମୁଖ ପରିବେଶଜନିତ ସମସ୍ୟାଗୁଡ଼ିକର ମୂଳ କାରଣ ହୋଇଛି। ଜୀବନଶୈଳୀରେ ଉନ୍ନତି ସାଧନ ଲକ୍ଷ୍ୟରେ ଅଜ୍ଞତାର ବଶବର୍ତ୍ତୀ ହୋଇ ମାନବଜାତି ଯେପରି ପ୍ରକୃତି ଓ ପରିବେଶ ଉପରେ କ୍ଷତିକାରକ ପ୍ରଭାବ ବିସ୍ତାର ଏବଂ ବର୍ଦ୍ଧିତ ଚାପ ସୃଷ୍ଟି କରିଚାଲିଛି ଏବଂ ପ୍ରାକୃତିକ ସନ୍ତୁଳନରେ ବ୍ୟାଘାତ ଘଟାଉଛି, ତାହାର ପରିଣାମ ହେଉଛି ଗମ୍ଭୀର ରୂପ ଧାରଣ କରୁଥିବା ଆଜିର ସମସ୍ତ ପରିବେଶ ସମସ୍ୟା। ଏପର୍ଯ୍ୟନ୍ତ ଶକ୍ତି ଉତ୍ପାଦନର ପ୍ରଧାନ ଉତ୍ସ ସାଜିଛି କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ପରି ଜୀବାଶ୍ମ ଇନ୍ଧନ। ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ, ଉତ୍ତାପ ବ୍ୟବହାର, ଶିଳ୍ପ-କାରଖାନା, ଯାନବାହନ ପରିବହନ ଏବଂ ଅନ୍ୟାନ୍ୟ ପ୍ରକ୍ରିୟାରେ ଜୀବାଶ୍ମ ଇନ୍ଧନ ସବୁର ମାତ୍ରାଧିକ ବ୍ୟବହାରରୁ ନିର୍ଗତ ବିଭିନ୍ନ ପ୍ରଦୂଷକ ପଦାର୍ଥ ପରିବେଶ ଅବକ୍ଷୟର କାରଣ ହେଉଛି। ଅଧିକନ୍ତୁ, ଏଥିରୁ ଅଙ୍ଗାରକାମ୍ଳ ପରି ସବୁଜଗୃହ ବାଷ୍ପ (ଗ୍ରୀନ୍‌ହାଉସ ଗ୍ୟାସ) ସବୁର ବାୟୁମଣ୍ଡଳକୁ ଅଧିକ ମାତ୍ରାରେ ନିର୍ଗମନ ତାପମାତ୍ରା ବୃଦ୍ଧିର କାରକ ସାଜିଛି। ଏହା ସହିତ ଜଡ଼ିତ ରହିଛି ବର୍ତ୍ତମାନ କ୍ରମଶଃ ଗମ୍ଭୀର ରୂପ ଧାରଣ କରୁଥିବା ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟା ଏବଂ ଏହାର ପ୍ରଭାବରେ ସଂଘଟିତ ହେଉଥିବା ବହୁବିଧ ପ୍ରାକୃତିକ ବିପର୍ଯ୍ୟୟ ଘଟଣା। ଏସବୁ ବିପର୍ଯ୍ୟୟର ବାରମ୍ବାରତା ଓ ତୀବ୍ରତା ସମଗ୍ର ବିଶ୍ୱରେ ପ୍ରାକୃତିକ ପରିସଂସ୍ଥାମାନଙ୍କର କ୍ଷତିସାଧନ କରୁଛି ଏବଂ ସେସବୁଥିରେ ବସବାସ କରୁଥିବା ବିବିଧ ଜାତିର ଉଦ୍ଭିଦ ଏବଂ ପ୍ରାଣୀମାନେ ବିପଦଗ୍ରସ୍ତ ହେଉଛନ୍ତି। ପରିଣାମରେ, ମାନବ-ପ୍ରବର୍ତ୍ତିତ ଏସବୁ ଘଟଣାମାନ ପୃଥିବୀ ପୃଷ୍ଠରେ ଜୀବଜଗତର ଭବିଷ୍ୟତ ତିଷ୍ଠି ରହିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ବିଶ୍ୱ ଦୃଶ୍ୟପଟ୍ଟରେ ଆଜି ମାନବଜାତି ନିମନ୍ତେ ଆତ୍ମ-ବିଶ୍ଳେଷଣର ସମୟ ଉପନୀତ ହୋଇଛି, ଯେତେବେଳେ ଆମ ମାନସିକତା ଏବଂ ବ୍ୟବହାରରେ ପରିବର୍ତ୍ତନ ଘଟିବା ଯଥେଷ୍ଟ ଅବଶ୍ୟମ୍ଭାବୀ ବୋଧ ହେଉଛି। ପରବର୍ତ୍ତୀ ପିଢ଼ିକୁ କେଉଁ ଗୁଣାତ୍ମକ ମାନର ଧରିତ୍ରୀ ହସ୍ତାନ୍ତର କରିବା ଆମ ପାଇଁ ବିଧେୟ ହେବ, ଏହାକୁ ଗମ୍ଭୀରତାର ସହ ବିଚାର ବିମର୍ଷ କରିବା ଆମ ବିଜ୍ଞତାର ପରିଚାୟକ ହେବ। ଏହି ପରିପ୍ରେକ୍ଷୀରେ, ବିଶ୍ୱ ପରିବେଶରେ ଏକ ସକାରାତ୍ମକ ପରିବର୍ତ୍ତନର ପ୍ରାରମ୍ଭ ଏବଂ ଜଳବାୟୁ ଆହ୍ବାନକୁ ପ୍ରତିହତ କରିବା କ୍ଷେତ୍ରରେ ଆଜିର ଯୁବଗୋଷ୍ଠୀ ଉଜ୍ଜ୍ୱଳ ସମ୍ଭାବନା ବହନ କରନ୍ତି। ସେମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ଏବଂ ନିଶ୍ଚିତ କରିବା ନିମନ୍ତେ ସ୍ବିଡେନର ସକ୍ରିୟ ଯୁବ ପରିବେଶକର୍ମୀ ଏବଂ 'ଭବିଷ୍ୟତ ପାଇଁ ଶୁକ୍ରବାର' ଆନ୍ଦୋଳନର ସୂତ୍ରଧର ଗ୍ରେଟା ଥନ୍‌ବର୍ଗଙ୍କ ପରି ଚିନ୍ତାଧାରାର ଯୁବବର୍ଗ ହିଁ ସମାଧାନର ପନ୍ଥା ନିରୂପଣରେ ସଫଳ, ସୁଦୃଢ଼ ନେତୃତ୍ୱ ଗ୍ରହଣ କରିପାରିବେ। ଅଧୁନା ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତର ପାଠ୍ୟକ୍ରମରେ ପରିବେଶର ବିଭିନ୍ନ ଦିଗ ଉପରେ ଜ୍ଞାନ ଆହରଣ କରୁଛନ୍ତି। ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟ ପରିବେଶ ସମସ୍ୟା ପ୍ରସଙ୍ଗରେ ପିଲାମାନଙ୍କ ମନରେ ବୟସ୍କଙ୍କ ତୁଳନାରେ ଅନେକ ଭାବନା ଜାଗ୍ରତ ହେଉଛି। କାରଣ ଏହାକୁ ନେଇ ସେମାନେ ଅଧିକ ଅନୁଭବ କରୁଛନ୍ତି। ସେମାନେ ଏବେ ଚିନ୍ତିତ, ଭୟଭୀତ, ଦୁଃଖିତ ଏବଂ କ୍ରୋଧିତ ମଧ୍ୟ। ନିଜ ପରିବେଶ ପ୍ରତି ସମ୍ବେଦନଶୀଳତାରେ ପରିପୂର୍ଣ୍ଣ ଏପରି ଅନୁଭବୀ ଯୁବପିଢ଼ି ହିଁ ହେଉଛି ଆଜିର ଆବଶ୍ୟକତା। ସମସ୍ୟାର କାରଣ, ନିରାକରଣ ଏବଂ ସମାଧାନର ସୂତ୍ର ନିରୂପଣ ଦିଗରେ ପ୍ରତିବଦ୍ଧତାର ସହ କାର୍ଯ୍ୟ ସମ୍ପାଦନ କରିବା ସେମାନଙ୍କର ଈପ୍ସିତ ଲକ୍ଷ୍ୟ ହେବା ବାଞ୍ଛନୀୟ। ପରିବେଶ ବିଜ୍ଞାନ/ଶିକ୍ଷାର ବିଦ୍ୟାର୍ଥୀମାନେ ସମସ୍ୟାକୁ ବୁଝି ନବସୃଜନର ପ୍ରବର୍ତ୍ତନରେ, ନୂତନ ଚିନ୍ତାଧାରାରେ ଉଦ୍ଭାସିତ ହୋଇ ସମଗ୍ର ଜନସାଧାରଣଙ୍କୁ ପରିବେଶ ସୁରକ୍ଷା ଆନ୍ଦୋଳନରେ ସାମିଲ କରାଇବା ନିମନ୍ତେ ବ୍ରତୀ ହୁଅନ୍ତୁ। ସେମାନେ ଜଳବାୟୁ ସମ୍ବନ୍ଧୀୟ ନୂତନ ତଥ୍ୟ ଆବିଷ୍କାର କରନ୍ତୁ ଏବଂ ଆବଶ୍ୟକ ଗବେଷଣା ଜାରି ରଖନ୍ତୁ। ଜାଣନ୍ତୁ ଯେ ସକାରାତ୍ମକ କାର୍ଯ୍ୟକ୍ରମ ଗ୍ରହଣର ଯାତ୍ରାରେ ସେମାନେ ଏକା ନୁହନ୍ତି ଏବଂ ନିଶ୍ଚିତ କରନ୍ତୁ ଯେ ନୂତନ ପିଢ଼ି ପରିବେଶ ସୈନିକ ସେମାନଙ୍କ ଅଭିଯାନରେ ବହୁ ସଂଖ୍ୟାରେ ସାମିଲ ଅଛନ୍ତି। ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗର ବାସ୍ତବତା ଏବଂ ତୀବ୍ରତାକୁ ଅଣଦେଖା ନ କରି ଏହି ବିଷୟରେ ସମାଜର ସବୁ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ବାଣ୍ଟନ୍ତୁ।
ଚନ୍ଦ୍ର ବା ମଙ୍ଗଳ ଗ୍ରହକୁ ମହାକାଶ ଯାନ ଉତ୍‌କ୍ଷେପଣ କିମ୍ବା ମାନବୀୟ ଯାତ୍ରା ପୃଥିବୀବାସୀଙ୍କ ନିମନ୍ତେ ଯେତିକି ଗୁରୁତ୍ୱ ବହନ ନ କରେ, ଅଧିକ ତାତ୍ପର୍ଯ୍ୟ ରଖେ ଆମେ ଜୀବନଯାପନ କରୁଥିବା ଗ୍ରହର ପ୍ରକୃତିର ସୁରକ୍ଷା ଏବଂ ଏହାର ଗୁଣାତ୍ମକ ମାନକୁ ବଜାୟ ରଖିବା। ତ୍ରୁଟିଯୁକ୍ତ ମାନବୀୟ କାର୍ଯ୍ୟକଳାପର ପ୍ରତିଫଳନରେ ଯେତେବେଳେ ଆଜି ବିଶ୍ୱ ଜଳବାୟୁରେ ପ୍ରଭୂତ ପରିବର୍ତ୍ତନ ଘଟି ଜୀବଜଗତକୁ ବିଲୁପ୍ତି ପଥରେ ଅଗ୍ରସର କରାଉଛି, ସେତେବେଳେ ଯୁବପିଢ଼ିର ନୈତିକ କର୍ତ୍ତବ୍ୟ ହେଉଛି ବୃତ୍ତିଗତ ଜୀବନ ବାହାରେ ପ୍ରକୃତି, ପରିବେଶ ଏବଂ ସମାଜର ସମସ୍ୟାକୁ ହୃଦୟଙ୍ଗମ କରି ସମାଧାନ ନିମନ୍ତେ ନିଜର ଅଙ୍ଗୀକାରବଦ୍ଧତା ପ୍ରକାଶ କରିବା। ବିଜ୍ଞାନ ଓ ବୈଷୟିକ ଗବେଷଣା କ୍ଷେତ୍ରରେ କାର୍ଯ୍ୟରତ ଯୁବପିଢ଼ି 'ସବୁଜ ପ୍ରଯୁକ୍ତି 'ର ଉଦ୍ଭାବନ ମାଧ୍ୟମରେ ପ୍ରଦୂଷଣରେ ହ୍ରାସ ଘଟାଇ, ବିଶେଷ ରୂପେ ସବୁଜଗୃହ ବାଷ୍ପ ନିର୍ଗମନକୁ ପ୍ରତିହତ କରିବାର ମାର୍ଗ ନିର୍ଦ୍ଧାରିତ କରିପାରିବେ। ସେହିପରି ବର୍ଦ୍ଧିତ ଶକ୍ତି ଆବଶ୍ୟକତାର ପୂରଣ ନିମନ୍ତେ ସୌରଶକ୍ତି, ପବନ ଶକ୍ତି, ସମୁଦ୍ର ଢେଉ ଶକ୍ତି, ଜୈବିକ ଶକ୍ତି, ଉଦ୍‌ଜାନ ଶକ୍ତି, ନାଭିକୀୟ ଶକ୍ତି ପରି ବିବିଧ ସ୍ବଚ୍ଛ, ଅକ୍ଷୟ ଶକ୍ତି ବା ନବୀକରଣକ୍ଷମ ଶକ୍ତିର ଉତ୍ସକୁ ଅଧିକ ପ୍ରସାରିତ କରି ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ସମ୍ପୂର୍ଣ୍ଣ ସଙ୍କୁଚିତ କରିବା ହେବ ଶ୍ରେଷ୍ଠ ପନ୍ଥା। ଏଥିସହ, ପ୍ରାକୃତିକ ପରିସଂସ୍ଥା, ଜଙ୍ଗଲ, ସବୁଜିମା, ଜଳଉତ୍ସ ଏବଂ ଜୈବବିବିଧତାର ସୁରକ୍ଷା ଓ ସଂରକ୍ଷଣକୁ ପ୍ରାଥମିକତା ପ୍ରଦାନ ଯୁବଗୋଷ୍ଠୀର ଲକ୍ଷ୍ୟ ହେଉ।
ଜଳବାୟୁ ଅନିଶ୍ଚିତତା ପରିପ୍ରେକ୍ଷୀରେ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ନିମନ୍ତେ ଯୁବ କୃଷି ବୈଜ୍ଞାନିକମାନେ ବିକଳ୍ପ କୃଷି ଓ କୃଷି ପଦ୍ଧତି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଆବଶ୍ୟକ। ପ୍ରାକୃତିକ ବିପର୍ଯ୍ୟୟର ଅନୁମାନରେ ପ୍ରଭାବଶାଳୀ ପ୍ରଯୁକ୍ତିର ବିନିଯୋଗ ସହ କ୍ଷୟକ୍ଷତିକୁ ସର୍ବନିମ୍ନ ସ୍ତରରେ ସୀମିତ ରଖିବାର ପ୍ରୟାସକୁ ଗୁରୁତ୍ୱ ପ୍ରଦାନ ଏକାନ୍ତ ଅପରିହାର୍ଯ୍ୟ। ଯୁବ ପ୍ରଶାସନିକ ଅଧିକାରୀମାନେ ଜଳବାୟୁ ଦୁଃସ୍ଥିତିରେ ପ୍ରଭାବିତ ଲୋକଙ୍କୁ ଦୃଷ୍ଟିରେ ରଖି ସହାୟକ ସରକାରୀ ନୀତି ଓ ଯୋଜନାର ପ୍ରଣୟନ ଏବଂ କାର୍ଯ୍ୟକାରୀ କରିବା ସହିତ ସେମାନଙ୍କ ପ୍ରତି ହୃଦୟରୁ ସମବେଦନା ପ୍ରଦର୍ଶନରେ ବ୍ରତୀ ହେବା ଆବଶ୍ୟକ। ଜଳବାୟୁ କ୍ଷତିଗ୍ରସ୍ତ ଓ ସ୍ଥାନାନ୍ତରିତ ହେଉଥିବା ଜନସାଧାରଣଙ୍କୁ ସହାୟତାର ହାତ ବଢ଼ାଇ ବେସରକାରୀ ଅନୁଷ୍ଠାନଗୁଡ଼ିକରେ କାର୍ଯ୍ୟରତ ଯୁବଗୋଷ୍ଠୀ ସେମାନଙ୍କର ନିକଟତର ହେବା ଏବଂ ମାନସିକ ସ୍ତରରେ ସେମାନଙ୍କୁ ସଶକ୍ତ କରିବା ଦିଗରେ ଚେଷ୍ଟିତ ହେବା ବିଧେୟ। ଆମ ଗ୍ରହର ସୁରକ୍ଷାକୁ ନିଶ୍ଚିତ କରିବା ଏବଂ ଏଥିନିମନ୍ତେ ଜନସାଧାରଣଙ୍କର ଯୋଗଦାନ ଓ ସରକାରୀ କଳକୁ ଅଧିକ ସକ୍ରିୟ କରିବା ଲକ୍ଷ୍ୟରେ ଯୁବଗୋଷ୍ଠୀ ଅଗ୍ରଦୂତର ଭୂମିକା ନିର୍ବାହ କରିବା ହେଉଛି ଆଜିର ଆହ୍ବାନ। ଜଳବାୟୁ ପରିବର୍ତ୍ତନ ପରି ବୈଶ୍ୱିକ ସମସ୍ୟାର ମୁକାବିଲା ନିମନ୍ତେ ସ୍ଥାନୀୟ ତୃଣମୂଳ ସ୍ତରରୁ ବିଶ୍ୱ ପର୍ଯ୍ୟନ୍ତ ଉପଯୁକ୍ତ କାର୍ଯ୍ୟପନ୍ଥାର ଅବଲମ୍ବନ ହେଲେ ଏହି ଅନନ୍ୟ ଗ୍ରହ ଆଗାମୀ ପିଢ଼ି ନିମନ୍ତେ ସୁସ୍ଥ ପରିବେଶ ବଜାୟ ରଖିବାରେ ସମର୍ଥ ହେବ।
-ଡ. ଜୟକୃଷ୍ଣ ପାଣିଗ୍ରାହୀ                                                                                          ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri