ଦାବି ଶୁଣିଲନି, ନୂଆ ଜିଲା ଦିଅ

ଯାଜପୁର ଅଫିସ,୨୮ା୪: ବ୍ୟାସନଗର ନାଗରିକ କମିଟି ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୫ ଦଫା ଦାବି ନେଇ ବିଭିନ୍ନ ସମୟରେ ଆନ୍ଦୋଳନ, ବନ୍ଦ ଆଦି ପାଳନ କରାଯାଉଛି। ଏହି ଆନ୍ଦୋଳନକୁ ଜିଲାର ବହୁ ସଙ୍ଗଠନ ଏବଂ ରାଜନୈତିକ ଦଳଗୁଡିକ ପ୍ରତ୍ୟକ୍ଷ ସମର୍ଥନ କରି ଆସୁଛନ୍ତି। ଏପରି କି ଶାସକ ବିଜେଡିର କେତେଜଣ ବରିଷ୍ଠ ଓ ଯୁବ ନେତା ମଧ୍ୟ ପରୋକ୍ଷରେ ସମର୍ଥନ ଜଣାଇଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ଆଲୋଚନା କିମ୍ବା ଦାବିଗୁଡିକର ସମାଧାନ କରିବାରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହି କ୍ରମରେ ଦାବିଗୁଡିକ ଶୁଣିଲନି, ଏବେ ସ୍ବତନ୍ତ୍ର ଜିଲା ଦିଅ ବୋଲି ଅଞ୍ଚଳବାସୀଙ୍କ ସ୍ବର ତେଜିବାରେ ଲାଗିଛି।
କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ଏକ ସମସ୍ୟା ବହୁଳ ସହର । ହୋଲଡିଂ ଟିକସ ବୃଦ୍ଧି, ଜମିଜମା ବନ୍ଦୋବସ୍ତ, ରେଳବାଇ ଓଭରବ୍ରିଜ ଓ ୧୦୦ ଶଯ୍ୟା ବିଶିଷ୍ଟ ସ୍ପେଶିଆଲିଷ୍ଟ ହସ୍ପିଟାଲ ପାଇଁ କେତେ ଯେ ଆନ୍ଦୋଳନ ହେଉଛି ତାହାର ହିସାବ ନାହିଁ। କିନ୍ତୁ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ସ୍ବତନ୍ତ୍ର ଜିଲା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ୨୦୧୧ ଜନଗଣନା ଅନୁଯାୟୀ ଯାଜପୁର ଜିଲାର ଲୋକସଂଖ୍ୟା ୧୮ ଲକ୍ଷ ୨୭ ହଜାର ୧୯୨ । ବର୍ତ୍ତମାନ ତାହା ପ୍ରାୟ ୨୨ ଲକ୍ଷରୁ ଅଧିକ ହେଲାଣି । ଏହାବାଦ୍‌ ଜିଲା ବିଭାଜନ ସମୟରେ କେନ୍ଦୁଝର ଜିଲା ପୂର୍ବବତ ରହିଛି । ଆନନ୍ଦପୁରଠାରୁ କେନ୍ଦୁଝରର ଦୂରତା ୮୦ କି.ମି । ଆନନ୍ଦପୁର ବ୍ଲକ ସମେତ ଆନନ୍ଦପୁର ମ୍ୟୁନିସିପାଲିଟି, ହାଟଡିହି ଓ ଘସିପୁରା ବ୍ଲକ ଏବଂ ଯାଜପୁର ଜିଲାର କୋରେଇ ଓ ସୁକିନ୍ଦା ନିର୍ବାଚନ ମଣ୍ଡଳିର ପାଣିକୋଇଲି, ଯାଜପୁରରୋଡ, କୋରେଇ, ଯଖପୁରା, କଳିଙ୍ଗନଗର, ଟମକା, ସୁକିନ୍ଦା, କାଳିଆପାଣି ଆଦି ଥାନା ଅଞ୍ଚଳକୁ ନେଇ ଏକ ନୂତନ ଜିଲା ଗଠନ ପାଇଁ ପ୍ରସ୍ତାବ ରହିଛି। ଏହିସବୁ ଅଞ୍ଚଳର ଜନସଂଖ୍ୟା ୧୩ ଲକ୍ଷରୁ ଊର୍ଦ୍ଧ୍ୱ ହେବ । ୨୦୧୧ ଜନଗଣନା ଅନୁଯାୟୀ ଅନୁଗୋଳ ଜିଲାର ଲୋକସଂଖ୍ୟା ୧୨,୭୩,୮୨୧, ନବରଙ୍ଗପୁର ଜିଲାର ୧୨,୨୦,୯୪୬, ଢେଙ୍କାନାଳ ଜିଲାର ୧୧,୯୨,୮୧୧ ଅନୁଯାୟୀ ୧୩ ଲକ୍ଷରୁ କମ ଲୋକସଂଖ୍ୟାରେ ଜିଲା ଗଠନ ହୋଇଛି । ତେଣୁ ପ୍ରଶାସନିକ ସୁବିଧା, ସର୍ବାଙ୍ଗୀନ ଉନ୍ନତି ତଥା ସାଧାରଣ ଲୋକଙ୍କ ସମୃଦ୍ଧି ପାଇଁ ଉପରୋକ୍ତ ଅଞ୍ଚଳକୁ ନେଇ ଏକ ସ୍ବତନ୍ତ୍ର ଜିଲା ଗଠନ କରାଯାଉ ବୋଲି ଦାବି ଜୋର ଧରିଛି।

ନୂଆ ଜିଲା ଏକମାତ୍ର ବିକଳ୍ପ
ବ୍ୟାସନଗରବାସୀଙ୍କ ଦୁଃଖ କହିଲେ ନ ସରେ। ଏଭଳି ଅବସ୍ଥାରେ ଯେଉଁ ଦାବି ସବୁ ଉପସ୍ଥାପନ କରାଯାଇଛି ସେଗୁଡିକୁ ସରକାର ଓ ପ୍ରଶାସନ ହେୟଜ୍ଞାନ କରୁଛନ୍ତି। ତେଣୁ ନୂତନ ଜିଲା ଗଠନ ହିଁ ଏକମାତ୍ର ବିକଳ୍ପ। ଯଦି ଧର୍ମଶାଳା ଓ ବଡ଼ଚଣା ନିର୍ବାଚନ ମଣ୍ଡଳୀ ଜନସାଧାରଣ ଚାହାନ୍ତି ତେବେ ସେମାନେ ପ୍ରସ୍ତାବିତ ବ୍ୟାସନଗର ଜିଲାକୁ ସମର୍ଥନ ଦେଇ ପାରିବେ। ସ୍କୁଲ, କଲେଜ ଛାତ୍ରୀଛାତ୍ର, ଅଫିସ, କଳକାରଖାନା, ଖଣିଖାଦାନ ଶ୍ରମିକ କର୍ମଚାରୀ, ଡାକ୍ତର, ଓକିଲ, ବୁଦ୍ଧିଜୀବୀ, କୃଷକ, ଶ୍ରମିକ, ଯୁବକ, ମହିଳା, ସାଧାରଣ ଜନଗଣ ସମସ୍ତେ ଏକାଠି ହୋଇ ଏକ ସ୍ବରରେ ଦାବି କଲେ ନୂତନ ଜିଲା ମିଳିବା ଅସମ୍ଭବ ନୁହେଁ। ନିର୍ବାଚନ ବେଳେ ପଦ୍ମପୁରକୁ ସରକାର ଜିଲା ଘୋଷଣା କରିଦେଲେ। ତେଣୁ ବ୍ୟାସନଗରକୁ ମଧ୍ୟ ନୂତନ ଜିଲା ଗଠନ କଲେ କୌଣସି ଅସୁବିଧା ହେବ ନାହିଁ।
-ମାୟାଧର ନାୟକ, ବିଶିଷ୍ଟ ଶ୍ରମିକ ନେତା
ବ୍ୟାସନଗର ସବୁକ୍ଷେତ୍ରରେ ପଛରେ ପଡ଼ିଛି
ଯାଜପୁର ଜିଲା ଗଠନ ପରେ ବ୍ୟାସନଗର ପାଇଛି କ’ଣ ? ହେଡକ୍ବାର୍ଟର ନେଲେ, ମେଡିକାଲ କଲେଜ ନେଲେ। ଏବେ ମିନି ସଚିବାଳୟ ଆଳରେ ବ୍ୟାସନଗର ସହରଠାରୁ ଉଠାଜଳସେଚନ ବିଭାଗ, ଶ୍ରମ କାର୍ଯ୍ୟାଳୟ, ଶିଳ୍ପ ଅଫିସ, ଟ୍ୟାକ୍ସ ଆଦି ଅଫିସକୁ ସଦର ମହକୁମାକୁ ଉଠାଇ ନେବାକୁ ଚକ୍ରାନ୍ତ ହେଉଛି। ସହରବାସୀ ଧୂଳିଧୁଆଁରେ ଆଉଟୁପାଉଟୁ ହେଉଥିବାବେଳେ ୨୦୧୫ରୁ ଜିଲା ଖଣିଜ ପାଣ୍ଠି ହୋଇଥିଲେ ହେଁ ବ୍ୟାସନଗରକୁ ୨୦୨୧ରେ ସାମିଲ କରାଯାଇଛି । ତେବେ ଏହି ପାଣ୍ଠିରୁ ୬୪ କୋଟି ଟଙ୍କାରେ ବ୍ୟାସ ସରୋବର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଦଳୀୟ ଲୋକଙ୍କୁ ଲଗାଇ ଏନ୍‌ଜିଟି ଆଳରେ ବାଧା ଦିଆଯାଇଛି। ଦିନେ ସଦର ମହକୁମା ଦାବି କରୁଥିବା ବ୍ୟାସନଗର ଏବେ ସବ୍‌ଡିଭିଜନଟିଏ ହେବାକୁ ପଛରେ ପଡିଛି। ଜିଲାପାଳଙ୍କୁ ହାତ କରି ୫ ଅଙ୍ଗୁଳି ପାଟିରେ ପୁରାଉଛନ୍ତି। କୋରେଇ ସର୍ବଦା ଅବହେଳିତ। ନୂତନ କଳିଙ୍ଗନଗର ଜିଲା ଏହାର ଏକମାତ୍ର ସମାଧାନ।
-ଚନ୍ଦ୍ରଶେଖର ପଣ୍ଡା, ବରିଷ୍ଠ ଆଇନଜୀବୀ।
ଅର୍ଥନୈତିକ ଅବରୋଧ ପରେ ବି କେହି ଚେତିଲେ ନାହିଁ
ସହରର ସର୍ବାଙ୍ଗୀନ ବିକାଶ ପାଇଁ ବ୍ୟାସନଗର ମିଳିତ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ୧୪ ଦିନ ଧରି ସମସ୍ତ ବର୍ଗର ଲୋକେ ଧାରଣାରେ ବସିଥିଲେ। ଏହି ଆନ୍ଦୋଳନକୁ ସହରର ସମସ୍ତ ବର୍ଗର ଲୋକେ ସମର୍ଥନ କଲେ ଓ ଅର୍ଥନୈତିକ ଅବରୋଧ ଶତ ପ୍ରତିଶତ ସଫଳ ହେଲା । ଏଥିରେ ବି ପ୍ରଶାସନର ସଦ୍‌ବୁଦ୍ଧି ଜାଗ୍ରତ ହେଲାନାହିଁ। କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ଆସି ଆଲୋଚନା କଲେ ନାହିଁ । ସମସ୍ୟାଗୁଡିକର ସମାଧାନ କରିବା ପାଇଁ ପ୍ରଶାସନିକସ୍ତରରେ କୌଣସି ଉଦ୍ୟମ ହେଲାନାହିଁ । କଥାରେ ଅଛି ସିଧା ଆଙ୍ଗୁଠିରେ ଘିଅ ଉଠେ ନାହିଁ ଓ ପିଲା ନ କାନ୍ଦିଲେ ମା’ କ୍ଷୀର ପିଆଏ ନାହିଁ । ଯାହା ମନେହୁଏ ବର୍ତ୍ତମାନ ପରିସ୍ଥିତିରେ ବ୍ୟାସନଗର ସହରର ସର୍ବାଙ୍ଗିନ ବିକାଶ ପାଇଁ ନୂତନ ଜିଲା ଗଠନ ଏକମାତ୍ର ବିକଳ୍ପ। ଦୁର୍ବାର ଆନ୍ଦୋଳନ କରି ଏକ ନୂତନ ଜିଲା ସୃଷ୍ଟି କରିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ । ଏହି ବଡ଼ ଦାବି ହାସଲ କରିବା ପାଇଁ ଏବେ ନୁହେଁ ତ କେବେ ନୁହେଁ।
-ପ୍ରସନ୍ନ କୁମାର ସାହୁ, ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ
ପ୍ରଶାସନିକ ଅବହେଳା ଦାୟୀ
ବହୁ ଦିନରୁ ଲୋକମାନେ ନିଜର ସମସ୍ୟାକୁ ନେଇ ଚିନ୍ତାରେ ଅଛନ୍ତି। ଏ ସଂକ୍ରାନ୍ତରେ ଏକାଧିକ ଥର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଆନ୍ଦେଳନ, ଧାରଣା ଓ ବନ୍ଦ ପାଳନ ହୋଇଛି। ତଥାପି ଜିଲା ପ୍ରଶାସନ ଏହାକୁ ହେୟଜ୍ଞାନ କରିଛି। ଶେଷରେ ଜିଲା ଦାବି ଉଠିଛି। ଏଥିପାଇଁ ପ୍ରଶାସନିକ ଅବହେଳା ହିଁ ଦାୟୀ। ଜନସଂଖ୍ୟା ବୃଦ୍ଧି ତଥା ଏସିଆର ବୃହତ୍ତମ ଲୌହନଗରୀ, ବ୍ୟାପକ ଖଣିଜ ସମ୍ପଦ ଭରା ଓ ବିଭିନ୍ନ ଦପ୍ତର, ରେଳ ଯୋଗାଯୋଗ, ଜାତୀୟ ରାଜପଥ ଆଦିର ଅବସ୍ଥିତି ହେତୁ ଆଧୁନିକ କଳିଙ୍ଗନଗରକୁ ଏକ ଜିଲାର ମାନ୍ୟତା ଦେବା ଆବଶ୍ୟକ। ଯାହା ଫଳରେ ସାଧାରଣ ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚି ପାରିବ। ଏହି ଅଞ୍ଚଳର ଲୋକେ ଖୁସିରେ ରହି ପାରିବେ।
-ଦୁଷ୍ମନ୍ତ କୁମାର ନାୟକ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ
ଜିଲା ଗଠନ ପାଇଁ ଉପଯୁକ୍ତ ସମୟ ଆସିଛି
୧୯୩୬ ଏପ୍ରିଲ ୧ରେ ସ୍ବତନ୍ତ୍ର ଓଡ଼ିଶା ଗଠନ ସମୟରେ ରାଜ୍ୟରେ ମାତ୍ର ୫ଟି ଜିଲା ଥିଲା। ଏହା ପରେ ଜିଲା ସଂଖ୍ୟା ବୃଦ୍ଧି ପାଇ ୧୩ ଜିଲା ହେଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ଜିଲା ପୁର୍ନଗଠନ ହୋଇ ୩୦ରେ ପହଞ୍ଚି ଥିଲା। ଫଳତଃ କଟକ ଜିଲାରୁ ଭାଗ ହୋଇ ଯାଜପୁର ସବ୍‌ଡିଭିଜନ ୧୯୯୩ ଏପ୍ରିଲ ୧ରେ ଏକ ନୂତନ ଜିଲାର ମାନ୍ୟତା ପାଇଲା। ଏବେ ସେଦିନର ସ୍ଥିତିରେ ବହୁ ପରିବର୍ତ୍ତନ ହୋଇଛି। କାମ ଧନ୍ଦା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନ ଓ ରାଜ୍ୟ ବାହାରୁ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ବହୁ ଲୋକ କାମ ଅନ୍ବେଷଣରେ ଆସୁଛନ୍ତି। ଫଳତଃ ବ୍ୟାସନଗର ପୌରାଞ୍ଚଳ ସମେତ କଳିଙ୍ଗନଗରର ମାନ ଯଥେଷ୍ଟ ବଢ଼ିଛି। ତେଣୁ କଳିଙ୍ଗନଗର ଜିଲା ଗଠନ ପାଇଁ ଏହା ଉପଯୁକ୍ତ ସମୟ ଆସିଛି। ଏଥିରେ ସମସ୍ତଙ୍କ ସହଯୋଗ ରହିବା ଆବଶ୍ୟକ।
-ଦୁଷ୍ମନ୍ତ କୁମାର ରାଉତ, ସାମାଜିକ କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥତ୍ପତ୍ର ଦାଖଲକୁ ଆଉ ୩ ଦିନ ବାକି: ଖଲ୍ଲିକୋଟ ବିଧାନସଭା ଲାଗି ଛିଣ୍ଡୁନି ବିଜେଡିର ଅଙ୍କ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର): ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷହେବାକୁ ଆଉ ମାତ୍ର ୩ ଦିନ ବାକି...

ଅପରାଜିତାଙ୍କୁ ବିହାର ପଠାଇଦେବି: ଭାଜପା ଛାଡିବା ପରେ ବର୍ଷିଲେ କାଳୁ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିଧାନସଭା ଭାଜପା ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ଟିକେଟ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାଳୁଙ୍କ...

ଭାଜପାକୁ ଶକ୍ତ ଝଟ୍‌କା: ଦଳରୁ ଇସ୍ତଫା ଦେଲେ କାଳୁଙ୍କ ସମେତ ୧୦୦ରୁ ଅଧିକ କର୍ମୀ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ଆସନ୍ତା ୨ରେ ଭାଜପା ଭୁବନେଶ୍ବର ଲୋକ...

ବିଜେଡିରୁ ସବୁ ସମ୍ପର୍କ ଛିନ୍ନ କଲେ ପୂର୍ବତନ ବିଧାୟକ

ଠାକୁରମୁଣ୍ଡା,୩୦।୪(ତାରାକାନ୍ତ ପଟ୍ଟନାୟକ): ମୟୁରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିବା ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ବିଜେଡିରୁ ଇସ୍ତଫା ଦେବା...

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri