କାଏମା,୧୬ା୧(ଡି.ଏନ.ଏ.) :ଗରିବ ବିଧବାଙ୍କୁ ସରକାରୀ ସହୟତା ଯୋଜନାରେ ସାମିଲ କରିବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ଏଥିରୁ ସବିତାଙ୍କ ଅସହାୟ ପରିବାର ବଞ୍ଚିତ ହୋଇଛନ୍ତି। ଧର୍ମଶାଳା ବ୍ଲକ ବଡକାଏମା ପଞ୍ଚାୟତର ଗୋଗଳ ଗ୍ରାମର ଅସହାୟ ବିଧବା ସବିତା ସାମଲଙ୍କ ଛୋଟ ପୁଅ ଓ ଝିଅଙ୍କୁ ନେଇ ତେଲଲୁଣର ସଂସାର। ଆଜକୁ ୧ ବର୍ଷ ୮ ମାସ ହେବ ସ୍ବାମୀ ନରେନ୍ଦ୍ର ସାମଲଙ୍କ ପରଲୋକ ହୋଇ ସାରିଛି ା କିନ୍ତୁ ପ୍ରଶାସନିକ କଳର ଅବହେଳାରୁ ସେ ଆଜି ପର୍ଯ୍ୟନ୍ତ ବିଧବା ଭତ୍ତା ପାଇ ନାହାନ୍ତି। ନରେନ୍ଦ୍ର ଟ୍ରକରେ ହେଲପର କାମ କରି ମାସିକ ୪ହଜାର ଟଙ୍କା ପାଉଥିଲେ ଏବଂ ସେଥିରେ ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା ଏମିତି ହେଲା ଯେ ଗାଡ଼ିରେ ଯିବା ସମୟରେ ଅସୁସ୍ଥ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ସବିତାଙ୍କ ଜମି ଖଣ୍ଡେ ନାହିଁ। ପାହାଡ଼ ପାଦଦେଶରେ ଭଙ୍ଗା କୁଡିଆରେ ଦୟନୀୟ ଅବସ୍ଥାରେ ରହୁଛନ୍ତି। ଘର ଖଣ୍ଡେ କରିବାକୁ ସକ୍ଷମ ହୋଇପାରି ନ ଥିଲେ ନରେନ୍ଦ୍ର। ସବିତା ମାଗିଯାଚି ପରିବାର ପ୍ରତିପୋଷଣ କରୁଥିବା କହିଛନ୍ତି । ନରେନ୍ଦ୍ରଙ୍କ ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ମିଳି ନ ଥିବା ସବିତା ଅଭିଯୋଗ କରିଛନ୍ତି ା ହେଲେ ପୂର୍ବତନ ସରପଞ୍ଚ ଏହାକୁ ମିଥ୍ୟା ବୋଲି କହି ତାଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଦିଆଯାଇଛି ବୋଲି କହିଛନ୍ତି। କିଛି ଦିନ ପୂର୍ବରୁ ଅସହାୟ ବନ୍ଧୁ ସଙ୍ଗଠନ ପକ୍ଷରୁ ଏ ବିଷୟର ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପହଞ୍ଚି ଆବଶ୍ୟକ କାଗଜ ପତ୍ର ଯାଞ୍ଚ କରିବା ସହ ଯଥା ଶୀଘ୍ର ସରକାରୀ ସହାୟତା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିବା ସବିତା କହିଛନ୍ତି ।


