ଓଡ଼ିଆ ଭାଷା ବୁଝୁନାହାନ୍ତି ପିଲା

ମାଲକାନଗିରି/ମାଥିଲି, ୨୧।୧୧(ଡି.ଏନ୍‌.ଏ.)(ଦୁର୍ଯ୍ୟୋଧନ ପାତ୍ର/ସୁବାସ ଚନ୍ଦ୍ର ଖୁଡୁପିଆ) : ଓଡ଼ିଆ ଭାଷାରେ ଶିକ୍ଷକ କରୁଛନ୍ତି ଶିକ୍ଷାଦାନ। ହେଲେ କୋୟା ଆଦିବାସୀ ପିଲା ତାହାକୁ ବୁଝିପାରୁନାହାନ୍ତି। ଅନୁରୂପ ସମସ୍ୟା ସୃଷ୍ଟି ହୋଇଛି ଶିକ୍ଷକଙ୍କ କ୍ଷେତ୍ରରେ। ପିଲାମାନେ କୋୟା ଭାଷାରେ କଥା ହେଉଥିବାବେଳେ ସେସବୁ ଶିକ୍ଷକଙ୍କ ମଗଜରେ ପଶୁନାହିଁ। ଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏଭଳି ବ୍ୟବଧାନ ଯେ କେବଳ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲିଦେଇନାହିଁ, ବରଂ ଏଥିରେ ପେଷି ହୋଇଯାଉଛି ଓଡ଼ିଆ ଭାଷା। ଶିକ୍ଷା ବ୍ୟବସ୍ଥାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଆନ୍ଧ୍ର ସୀମାନ୍ତ ମାଲକାନଗିରି ଜିଲାର ମାଥିଲି ବ୍ଲକରେ। କେବଳ ମାଥିଲି ନୁହେଁ, ବହୁଭାଷୀ ଶିକ୍ଷକଙ୍କ ଅଭାବରୁ ଜିଲାର ଅନ୍ୟାନ୍ୟ ଅଞ୍ଚଳରେ ଉପୁଜିଛି ସମାନ ସ୍ଥିତି।
ମାଥିଲି ବ୍ଲକର କମାରପାଲି ପଞ୍ଚାୟତ ଅନ୍ତର୍ଗତ ସୋଡ଼ିଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ୩୨ ଛାତ୍ରୀଛାତ୍ର ପାଠ ପଢୁଥିବାବେଳେ ସେମାନଙ୍କ ପାଇଁ ନିୟୋଜିତ ହୋଇଛନ୍ତି ଏକମାତ୍ର ଓଡ଼ିଆ ଶିକ୍ଷକ ରତ୍ନାକର ପାଳ। ତେବେ କୋୟା ଭାଷାଭାଷୀ ଛାତ୍ରୀଛାତ୍ର ଶିକ୍ଷକଙ୍କ କଥା ବୁଝିପାରୁନାହାନ୍ତି କି ସେମାନେ କ’ଣ କହିବାକୁ ଚାହୁଁଛନ୍ତି ତାହା ବୁଝିପାରୁନାହାନ୍ତି ଶିକ୍ଷକ। ଫଳରେ ସ୍କୁଲରେ ଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷାକୁ ନେଇ ସୃଷ୍ଟି ହୋଇଛି ବ୍ୟବଧାନ। ସମସ୍ୟା କେବଳ ଏତିକିରେ ସରିନାହିଁ। ସମ୍ପୃକ୍ତ ଶିକ୍ଷକଙ୍କୁ ବ୍ଲକ ପ୍ରଶାସନ ଏବେ ନିୟୋଜିତ କରିଛି ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ। ଶିକ୍ଷକ ଜଣକ ସରକାରୀ କାର୍ଯ୍ୟରେ ଗଲେ ସ୍କୁଲରେ ତାଲା ଝୁଲୁଛି। ତେଣୁ ଛତିଶଗଡ଼ ସୀମାନ୍ତ ଏହି ବିଦ୍ୟାଳୟରେ କୋୟା ଭାଷା ଜାଣିଥିବା ଜଣେ ଅଭିଜ୍ଞ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଶିକ୍ଷକ ରତ୍ନାକର ପାଳ ଏବଂ ମାଥିଲି ବ୍ଲକ ଦାୟିତ୍ୱରେ ଥିବା ଖଇରପୁଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଶିଭୂଷଣ ମିଶ୍ରଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଉଭୟଙ୍କ ମତାମତ ମିଳିପାରିନାହିଁ। ଅନ୍ୟପଟେ ଏଭଳି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ବହୁଭାଷୀ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିବାବେଳେ ସଂଖ୍ୟାତ୍ମକ ଦୃଷ୍ଟିରୁ ତାହା ଅତି ନଗଣ୍ୟ। ଏହାର ନିୟମିତ ସମୀକ୍ଷା କରାଯାଉ ନ ଥିବାରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସବୁକିଛି କାମଚଳାରେ ଚାଲିଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି।
ମାଲକାନଗିରି ଜିଲାରେ ସବୁଠି ସମାନ ସ୍ଥିତି
ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ ରାଜ୍ୟ ସୀମାନ୍ତ ମାଲକାନଗିରି ଜିଲାର ଖଇରପୁଟ, ଚିତ୍ରକୋଣ୍ଡା, ମୋଟୁ, କାଲିମେଳା, ପଡ଼ିଆ ବ୍ଲକରେ ଓଡ଼ିଆ ଭାଷାକୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ଆନ୍ଧ୍ର ସରକାର ତେଲୁଗୁ ଭାଷାକୁ ପ୍ରୋତ୍ସାହିତ କରିବାକୁ ଯାଇ ଅଞ୍ଚଳବାସୀଙ୍କୁ ପ୍ରଲୋଭିତ କରୁଛନ୍ତି, ଯାହାର ଶିକାର ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟ। ପଡ଼ୋଶୀ ରାଜ୍ୟର ଲୋଭନୀୟ ଶିକ୍ଷା ବ୍ୟବସ୍ଥାରେ ଆକୃଷ୍ଟ ହୋଇ ସେମାନେ ତେଲୁଗୁ ସ୍କୁଲମୁହଁା ହେଉଥିବା ଅଭିଯୋଗ ହେଉଛି।
ଜିଲା ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ୧,୧୫୬ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀଯାଏ ପାଠ ପଢ଼ିବା ସୁବିଧା ରହିଛି।

ସେହିପରି ହାଇସ୍କୁଲ ସଂଖ୍ୟା ୧୧୩। ଏସବୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ୧ ଲକ୍ଷ ୩୦ ହଜାର ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଅନୁରୂପ ଭାବେ ମଙ୍ଗଳ ବିଭାଗ ଅଧୀନରେ ୪୦ରୁ ଊର୍ଦ୍ଧ୍ୱ ସେବାଶ୍ରମ ବିଦ୍ୟାଳୟରେ ୪୦,୦୦୦ ଛାତ୍ରୀଛାତ୍ର ଅଛନ୍ତି। ମୋଟ ଉପରେ ପ୍ରାୟ ୯୫ ହଜାର ଛାତ୍ରୀଛାତ୍ର ଜନଜାତି ସମ୍ପ୍ରଦାୟର। ତେବେ ମାତ୍ର ୫୩ ବହୁଭାଷୀ ଶିକ୍ଷକ ସମଗ୍ର ଜିଲାରେ ନିଯୁକ୍ତି ଦିଆଯାଇଛି, ଯାହ ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି। ପଡ଼ିଆ ବ୍ଲକ ପାଇଁ ୪୫ ଏବଂ ଖଇରପୁଟ ବ୍ଲକ ପାଇଁ ୮ ଜଣ ଥିବାବେଳେ ଅନ୍ୟ ବ୍ଲକ କଥା ରାଜ୍ୟ ସରକାର ଭୁଲିଯାଇଛନ୍ତି, ଯାହା ଆଦିବାସୀ ପିଲାଙ୍କୁ ଓଡ଼ିଆ ଭାଷାରୁ ବିମୁଖ କରୁଥିବା ଅଭିଯୋଗ ହେଉଛି।
ଏ ସଂକ୍ରାନ୍ତରେ ବହୁଭାଷୀ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେଉଥିବା ଶିକ୍ଷକ ଭୋଳାନାଥ ରାୟ କୁହନ୍ତି, ଆଦିବାସୀ ପିଲା ପଢୁଥିବା ପ୍ରତି ସ୍କୁଲରେ ବହୁଭାଷୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ଆବଶ୍ୟକ। ଫଳରେ ଆଦିବାସୀ ଛାତ୍ରୀଛାତ୍ର ଓଡ଼ିଆ ଲିପି ଏବଂ ଭାଷା ସହିତ ଯୋଡ଼ି ହୋଇପାରିବେ। ଠିକ୍‌ ଭାବେ ଓଡ଼ିଆ ଶବ୍ଦ ଉଚ୍ଚାରଣ ମଧ୍ୟ କରିପାରିବେ। ଏ ଦିଗରେ ଅଭିଭାବକଙ୍କୁ ମଧ୍ୟ ସଚେତନ କରାଇବା ଜରୁରୀ। ତେବେ ଜିଲାରେ ନିଯୁକ୍ତିପ୍ରାପ୍ତ ମାତ୍ର ୫୩ ବହୁଭାଷୀ ଶିକ୍ଷକଙ୍କ ପକ୍ଷେ ପାଖାପାଖି ୧ ଲକ୍ଷ ବଣ୍ଡା, କୋୟା, ଡିଡାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା ଅସମ୍ଭବ। ଫଳରେ ପିଲାମାନେ ଭାଷାଗତ ସମସ୍ୟାରେ ପଢୁଛନ୍ତି। କେତେକ କ୍ଷେତ୍ରରେ ଅଧାରୁ ପାଠ ଛାଡ଼ି ଦେଉଛନ୍ତି ଅଥବା ଓଡ଼ିଆ ଭାଷା ଛାଡ଼ି ଅନ୍ୟ ଭାଷାରେ ପଢ଼ିବା ପାଇଁ ଆଗ୍ରହୀ ହେଉଛନ୍ତି।
ବହୁଭାଷୀ ଶିକ୍ଷା ସହାୟକ ସଂଘ ସଭାପତି ମୁଡ଼ା ମାଡ଼କାମୀ କହିଛନ୍ତି, ଆଦିବାସୀଙ୍କୁ ବହୁମୁଖୀ ଶିକ୍ଷାଦାନ ପାଇଁ ଓଡ଼ିଆ, ବଣ୍ଡା ଏବଂ କୋୟା ଭାଷାରେ ପୁସ୍ତକ ପ୍ରକାଶିତ ହୋଇଛି। ହେଲେ ଶିକ୍ଷକଙ୍କୁ ଦିଆଯାଉଥିବା ପାରିଶ୍ରମିକ ଅତି ସ୍ବଳ୍ପ। ଏ କ୍ଷେତ୍ରରେ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ତେଣୁ ଦୁର୍ଗମ ଅଞ୍ଚଳର ଛାତ୍ରୀଛାତ୍ର ପ୍ରାଥମିକ ଶିକ୍ଷାକୁ ନେଇ ସମସ୍ୟାରେ ପଡୁଛନ୍ତି। ଆନ୍ଧ୍ର ଭଳି ଓଡ଼ିଶା ସରକାର ରାଜ୍ୟର ସୀମାନ୍ତ ଜିଲାରେ ଅଧିକ ସଂଖ୍ୟାରେ ବହୁଭାଷୀ ଶିକ୍ଷକ ନିଯୁକ୍ତି ସହ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଲେ ଜିଲାର ଛାତ୍ରୀଛାତ୍ରମାନେ ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ ହୁଅନ୍ତେ।
ରାଜ୍ୟରେ ୨୨୧ ବହୁଭାଷୀ ଶିକ୍ଷକ
ରାଜ୍ୟରେ ୨୦୦୭-୦୮ରେ ଅନୁସୂଚିତ ଜନଜାତିର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଭିମୁଖୀ କରାଇବା ଉଦ୍ଦେଶ୍ୟରେ ବହୁଭାଷୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ଜନଜାତିବହୁଳ ଅଞ୍ଚଳର ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁକୂଳ ଶିକ୍ଷାଦାନ ଏବଂ ଅନୁସୂଚିତ ଜନଜାତି ପିଲାଙ୍କୁ ନିଜ ମାତୃଭାଷାରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ସୃଷ୍ଟି ପାଇଁ କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାରେ ୨୨୧ ବହୁଭାଷୀ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି। ୨୦୨୦ରୁ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ସେମାନେ ମାସିକ ୩,୨୦୦ ଟଙ୍କା ପାରିଶ୍ରମିକ ପାଉଥିବାବେଳେ ଗତ ନଭେମ୍ବର ୪ରେ ରାଜ୍ୟ ସରକାର ସେମାନଙ୍କ ଦରମା ୫,୩୭୯ ଟଙ୍କାକୁ ବୃଦ୍ଧି କରିଛନ୍ତି। ତଥାପି ସ୍ବଳ୍ପ ଦରମାରେ ସେମାନେ ପରିବାର ଚଳାଇବାରେ ସଂଘର୍ଷ କରୁଛନ୍ତି। ଓଡ଼ିଆ ଭାଷା ସଂରକ୍ଷଣରେ ସମ୍ପୃକ୍ତ ଶିକ୍ଷକମାନେ ଗୁରୁଦାୟିତ୍ୱ ତୁଲାଉଥିବାବେଳେ ଅଧିକ ପାରିଶ୍ରମିକ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେଲେ ଶିକ୍ଷାଦାନରେ ସେମାନଙ୍କ ଉତ୍ସାହ ବୃଦ୍ଧି ପାଇପାରନ୍ତା ବୋଲି ବୁଦ୍ଧିଜୀବୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri