ଅକଳରେ ଫସିଛି ୨ ବ୍ରିଜ୍‌: ୩ ବର୍ଷ ବିତିଲା, ଆରମ୍ଭ ହେଉନାହିଁ ପ୍ରକଳ୍ପ

ଢେଙ୍କାନାଳ ଅଫିସ, ୧୮।୮:ନଦୀରେ ଚାଲିବ ପଣ୍ୟବାହୀ ଜାହାଜ। ଶିଳ୍ପ ସମୃଦ୍ଧ ଅଞ୍ଚଳରୁ ଉତ୍ପାଦିତ ସାମଗ୍ରୀ, ବଡ଼ବଡ଼ ମେଶିନ ସହଜରେ ପରିବହନ ହେବ। ଏହାଦ୍ୱାରା କେବଳ ସମୟ ଅପଚୟକୁ ରୋକାଯାଇପାରିବ ତାହା ନୁହେଁ, ଖର୍ଚ୍ଚ ମଧ୍ୟ ବହୁ ପରିମାଣରେ ହ୍ରାସ ପାଇବ। ଏଭଳି ମହତ୍‌ ଉଦ୍ଦେଶ୍ୟ ନେଇ ରାଜ୍ୟର ଦୁଇ ବୃହତ୍ତମ ନଦୀ ମହାନଦୀ ଏବଂ ବ୍ରାହ୍ମଣୀରେ ରାଷ୍ଟ୍ରୀୟ ଜଳମାର୍ଗ କରାଯିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ନିର୍ଦ୍ଦେଶ ପରେ ନଦୀରେ ନିର୍ମିତ ପୁରାତନ ଏବଂ ପ୍ରସ୍ତାବିତ ନୂତନ ବ୍ରିଜ୍‌ଗୁଡ଼ିକୁ ଜାହାଜ ଚଳାଚଳ ଅନୁକୂଳ କରାଯିବ। ଏଥିଲାଗି ପୂର୍ତ୍ତ ବିଭାଗ ପକ୍ଷରୁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ତଦନୁଯାୟୀ ଢେଙ୍କାନାଳ ଜିଲାରେ ୩ଟି ନୂତନ ବ୍ରିଜ୍‌ କାର୍ଯ୍ୟ ଆଗକୁ ବଢୁଛି। ତେବେ ଦୀର୍ଘ ୩ବର୍ଷ ହେଲା ରାଷ୍ଟ୍ରୀୟ ଜଳମାର୍ଗ କେବଳ ଘୋଷଣାରେ ସୀମିତ ରହିଥିବାବେଳେ ଅନ୍ୟ ୨ଟି ପୁରାତନ ସେତୁ ଅକଳରେ ଫସିଯାଇଛି। ଗାଇଡ୍‌ଲାଇନ୍‌ ଅନୁଯାୟୀ ଏହାର ଉଚ୍ଚତା ବୃଦ୍ଧି ହେବ କି ନାହିଁ, ଯଦି ବ୍ରିଜ୍‌ ଭଙ୍ଗାଯାଏ ତେବେ ଏହା କେତେ ଦିନ ମଧ୍ୟରେ ନିର୍ମାଣ ହେବ, ସେତିକି ଦିନ ଯାଏ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ପାଇଁ ଗମନାଗମନର ବିକଳ୍ପ କ’ଣ ହେବ ଏପରି ଅନେକ ପ୍ରଶ୍ନ ଏବେ ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରୁଛି।

ବ୍ରାହ୍ମଣୀ ନଦୀ ମାର୍ଗରେ ଯୋଡ଼ିହେବ ଶିଳ୍ପ ସମୃଦ୍ଧ ଅନୁଗୋଳ-ଢେଙ୍କାନାଳ-ଯାଜପୁର ଜିଲା। ସମାନ୍ତରାଳ ଭାବେ ଓଡ଼ିଶାର ସର୍ବବୃହତ୍ତମ ନଦୀ ମହାନଦୀରେ ମଧ୍ୟ ଚାଲିବ ପଣ୍ୟବାହୀ ବୃହତ୍‌ ଜାହାଜ। ଏହି ଦୁଇନଦୀକୁ ରାଷ୍ଟ୍ରୀୟ ଜଳମାର୍ଗ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ୨୦୧୯ ଫେବୃୟାରୀ ୬ରେ ଢେଙ୍କାନାଳ ଜିଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ୍‌ରେ ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଆସିଥିବାବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଥିଲେ। ରାଜ୍ୟର ପ୍ରଗତି ପାଇଁ ଜଳମାର୍ଗରେ ପରିବହନ ଆବଶ୍ୟକତା ରହିଛି। ଓଡ଼ିଶାରେ ବୃହତ୍‌ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୫,୦୦୦ କୋଟି ପୁଞ୍ଜିନିବେଶ କରିବେ ବୋଲି ସୂଚନା ମଧ୍ୟ ଦେଇଥିଲେ। ଏହାପରେ ଜଳପଥରେ ଆମଦାନୀ, ରପ୍ତାନି କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହେବ ବୋଲି ଆଶା ପ୍ରକାଶ ପାଇଥିଲା, ଯାହାକୁ ନେଇ ବେଶ୍‌ ଉତ୍ସାହିତ ହୋଇପଡ଼ିଥିଲେ ଶିଳ୍ପାଞ୍ଚଳବାସୀ। ଏହି ଘୋଷଣାକୁ ଇତିମଧ୍ୟରେ ୩ ବର୍ଷରୁ ଅଧିକ ସମୟ ବିତିଗଲାଣି। ହେଲେ ପ୍ରସ୍ତାବିତ ରାଷ୍ଟ୍ରୀୟ ଜଳମାର୍ଗର ଗତି କୁଆଡ଼େ, ଏହା କେବେ କାର୍ଯ୍ୟକାରୀ ହେବ ଓ କେମିତି କାର୍ଯ୍ୟକାରୀ ହେବ ତାହାର ରୂପରେଖ ଅଦ୍ୟାବଧି ଅସ୍ପଷ୍ଟ ରହିଛି। କାରଣ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟ କରିବାକୁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖାଯାଇଥିଲେ ମଧ୍ୟ ଏହାର ଉତ୍ତର ଅଦ୍ୟାବଧି ମିଳିନାହିଁ। ତେଣୁ ରାଷ୍ଟ୍ରୀୟ ଜଳମାର୍ଗ ଘୋଷଣା ଏକ ଭେଳିକି ବୋଲି ଢେଙ୍କାନାଳ ଜିଲାର ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ଉଲ୍ଲେଖଯୋଗ୍ୟ, ୨୦୧୬ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା ରାଷ୍ଟ୍ରୀୟ ଜଳମାର୍ଗ ଅଧିନିୟମ। ଏହାକୁ ତାଳଚେର-ଧାମରା ଜଳମାର୍ଗ-୫ ବୋଲି ନାମକରଣ କରାଯାଇଛି। ରେଳ, ସଡ଼କ ପଥରେ ପଣ୍ୟଦ୍ରବ୍ୟ ପରିବହନରେ ଅଧିକ ଖର୍ଚ୍ଚ ଓ ବୋଝ ପଡୁଥିବାରୁ ଏହାକୁ ଯଥାସମ୍ଭବ ହ୍ରାସ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ତଦନୁଯାୟୀ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର କାଲୁରିଆ ଏବଂ ଭୁବନ ବ୍ଲକର ଦିଘି ମଧ୍ୟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଉପରେ ୨୦୫ କୋଟି ଟଙ୍କା ବ୍ୟୟରେ ଏକ ସେତୁ ନିର୍ମାଣ କରାଯାଉଛି। ଜାହାଜ ଯେପରି ସୁବିଧାରେ ଚଳାଚଳ କରିପାରିବ, ସେଥିଲାଗି ଏହାର ଉଚ୍ଚତା ୯ ମିଟର ଏବଂ ଓସାର ୬୨.୭ କରାଯାଇଛି। ଅନୁରୂପ ଭାବେ ପରଜଙ୍ଗ ବ୍ଲକର ବଡକମରଠାରୁ ଓଡ଼ାପଡ଼ା ବ୍ଲକର ଖଡଗପ୍ରସାଦ ମଧ୍ୟରେ ଏବଂ ତାଳଚେର ବହ୍ଲର ଛକରୁ ସରାଙ୍ଗ ମଧ୍ୟରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣାଧୀନ ସେତୁ ରାଷ୍ଟ୍ରୀୟ ଜଳମାର୍ଗ ପ୍ରକଳ୍ପକୁ ନଜରରେ ରଖି ଗାଇଡ୍‌ଲାଇନ୍‌ ଅନୁଯାୟୀ ତିଆରି ଚାଲିଛି। କେନ୍ଦ୍ର ସରକାର ସ୍ପଷ୍ଟ କରିବା ପରେ ଢେଙ୍କାନାଳ-କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ ଓ କମଗରା ମଧ୍ୟରେ ନିର୍ମିତ ସାରଙ୍ଗଧର ସେତୁ ଏବଂ ଗଁଦିଆ ବ୍ଲକ ମନ୍ଦାର ଓ ଭୁବନ ବ୍ଲକ ନୀଳକଣ୍ଠପୁର ମଧ୍ୟରେ ନିର୍ମିତ ବାଜି ରାଉତ ସେତୁର ଆବଶ୍ୟକ ପରିବର୍ତ୍ତନ କରାଯିବ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଢେଙ୍କାନାଳ ଓ ଅନୁଗୋଳ ଜିଲାର ଶିଳ୍ପ, କୃଷି, ପର୍ଯ୍ୟଟନର ବିକାଶ ସାଙ୍ଗକୁ ପରିବେଶର ସୁରକ୍ଷା ମଧ୍ୟ ହୋଇପାରିବ। ତାଳଚେରରେ ନିର୍ମାଣାଧୀନ ସାର କାରଖାନାରୁ ସାର, କୋଇଲା ସମେତ ବିଭିନ୍ନ ଉତ୍ପାଦିତ ସାମଗ୍ରୀ ପରିବହନ କରାଯାଇପାରିବ। ତେବେ କେନ୍ଦ୍ର ସରକାର ୩ବର୍ଷ ହେଲା ନୀରବ ଥିବାରୁ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏ ସଂକ୍ରାନ୍ତରେ ଢେଙ୍କାନାଳ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କୁହନ୍ତି, ବ୍ରାହ୍ମଣୀ ନଦୀରେ ରାଷ୍ଟ୍ରୀୟ ଜଳମାର୍ଗ ପାଇଁ ଗାଇଡ୍‌ଲାଇନ ଅନୁଯାୟୀ ୩ଟି ସେତୁ ନିର୍ମାଣ କରାଯାଉଛି। ନିର୍ଦ୍ଦେଶ ମିଳିବା ପରେ ୨ ପୁରାତନ ସେତୁର ଉନ୍ନତୀକରଣ କରାଯିବ। ନୂତନ ପ୍ରସ୍ତାବିତ ସେତୁଗୁଡ଼ିକ ରାଷ୍ଟ୍ରୀୟ ଜଳମାର୍ଗ ଗାଇଡ୍‌ଲାଇନ ଅନୁଯାୟୀ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କୁହନ୍ତି, ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ଲାଗି ପ୍ରାୟ ବର୍ଷେ ତଳେ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖାଯାଇଥିଲା। ତଥାପି କୌଣସି କାର୍ଯ୍ୟ ଆଗେଇ ନ ଥିବା ଜଣାପଡ଼ିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

(ରତନ ନାୟାର)


Enter your email to get our daily news in your inbox.

All Right Reserved By Dharitri.Com

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri