୨ମାସର ଗହମ ପାଇନାହାନ୍ତି ରାଶନକାର୍ଡଧାରୀ

ରସୁଲପୁର,୨୦ା୬(ଡି.ଏନ୍‌.ଏ.): ରସୁଲପୁର ବ୍ଲକରେ ରାଶନକାର୍ଡଧାରୀଙ୍କୁ ଗହମ ମିଳୁନି। ଗତ ଏପ୍ରିଲ ଓ ମେ’ରେ ବ୍ଲକର ଅଧିକାଂଶ କାର୍ଡଧାରୀ ଗହମ ପାଇବାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ରାଶନକାର୍ଡରେ ପଞ୍ଜୀକୃତ ହିତାଧିକାରୀଙ୍କୁ ଜୁନ୍‌ ମାସରୁ ଗହମ ମିଳିବ ନାହିଁ ବୋଲି ସରକାରୀସ୍ତରରେ ଘୋଷଣା ହୋଇସାରିଛି। ତେବେ ଉକ୍ତ ଘୋଷଣାର ରିଟେଲରମାନେ ଫାଇଦା ଉଠାଉଛନ୍ତି। ଜୁନ୍‌ ପୂର୍ବରୁ ୨ମାସ କୋଟାରୁ ଗହମ ମିଳିବା ବନ୍ଦ ହୋଇଗଲାଣି। ରିଟେଲରଙ୍କସ୍ତରରେ ଗହମର କୃତ୍ରିମ ଅଭାବ ଯୋଗୁ ଏଭଳି ସ୍ଥିତି ଉପୁଜିଛି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ବ୍ଲକ ଅଞ୍ଚଳର କେତେକ ରିଟେଲର ଗହମ ଉଠାଣ କରିଥିଲେ ମଧ୍ୟ ତାହାକୁ ବାଣ୍ଟୁ ନାହାନ୍ତି। ଏପରି କି ଗହମ ନ ଦେଇ ହିତାଧିକାରୀଙ୍କ ଖାତାରେ ୨ମାସର ଦିଆଯାଇଛି ବୋଲି ଉଲ୍ଲେଖ କରୁଛନ୍ତି। ଏହାକୁ ହିତାଧିକାରୀ ବିରୋଧ କରିବାରୁ ଗହମ ଆସିଲେ ଦିଆଯିବ ବୋଲି ସଫେଇ ଦେଉଛନ୍ତି। ଗହମ ବଦଳରେ ଚାଉଳ ପାଇଁ ଦାବି କରୁଥିବା କାର୍ଡଧାରୀଙ୍କୁ ସେ ସୁବିଧା ମିଳୁନାହିଁ। ଏ ବାବଦକୁ ଆଲଟମେଣ୍ଟ ଆସିଲେ ଚାଉଳ ଦିଆଯିବ ବୋଲି କହୁଛନ୍ତି। ଏଭଳି ସ୍ଥିତିକୁ ନେଇ କାର୍ଡଧାରୀ ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି। ଅନ୍ୟପକ୍ଷରେ ପିଏଚ୍‌ଏଚ୍‌(ପ୍ରାୟରିଟି ହାଉସ ହୋଲ୍ଡ), ଏସ୍‌ଏଫ୍‌ଏସ୍‌(ଷ୍ଟେଟ୍‌ ଫୁଡ ସିକ୍ୟୁରିଟି ସ୍କିମ୍‌), ଏଏୱାଇ(ଅନ୍ତ୍ୟୋଦୟ ଅନ୍ନ ଯୋଜନା) ଜରିଆରେ ସରକାର ଯୋଗାଇ ଦେଉଥିବା ମାଗଣା ରାଶନ ସାମଗ୍ରୀରେ ଗହମ ବନ୍ଦ ହେବା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ମାଗଣା ଖାଦ୍ୟସାମଗ୍ରୀ ଯୋଗାଣ ବାବଦକୁ ଗହମ ମିଳିଲେ ହିତାଧିକାରୀ ଆହୁରି ୩ ମାସ ଗହମ ପାଇପାରିବେ ଅର୍ଥାତ୍‌ ଆସନ୍ତା ୩ ମାସକୁ ମୁଣ୍ଡ ପିଛା ୫କେଜି ହିସାବରେ ମୋଟ୍‌ ୧୫କେଜି ଲେଖାଏ ଗହମ ମିଳିବା ସମ୍ଭାବନା ରହିଛି। ମାଗଣା ଗହମ ଆସିଲେ ସେଥିରେ କୋଟା ଗହମକୁ ଆଡ୍‌ଜଷ୍ଟ କରିଦେବାକୁ ମସୁଧା କରାଯାଉଛି। ଏସବୁ ସତ୍ତ୍ୱେ କାର୍ଡଧାରୀଙ୍କ ମନରେ ଗହମ ମିଳିବାକୁ ନେଇ ଦ୍ୱନ୍ଦ୍ୱ ଦୂର ହୋଇପାରୁନାହିଁ। ପ୍ରକାଶ ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ ବ୍ଲକ ଅଞ୍ଚଳରୁ ୧ ଲକ୍ଷ, ୬ ହଜାର, ୩୪୦ଜଣଙ୍କ ପାଇଁ ୫୩୧୭ କୁଇଣ୍ଟାଲ, ୨୧୯୭ଟି ଅନ୍ତ୍ୟୋଦୟ ଅନ୍ନ ଯୋଜନା କାର୍ଡ ପାଇଁ ୭୬୯ କୁଇଣ୍ଟାଲ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୮,୧୬୦ଜଣଙ୍କୁ ୪୦୮ କୁଇଣ୍ଟାଲ ଚାଉଳ ଦିଆଯାଉଛି। ସେହିପରି କେବଳ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୧୭,୧୦୦ଜଣଙ୍କୁ ୮୫୫ କୁଇଣ୍ଟାଲ ଗହମ ଦିଆଯାଉଛି। ଅନ୍ତ୍ୟୋଦୟ ଅନ୍ନ ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ କେବଳ ଚାଉଳ ମିଳୁଛି। ଏହି ଆଧାରରେ ଯୋଜନାରେ ସାମିଲ ହିତାଧିକାରୀଙ୍କ ମଧ୍ୟରୁ ଗହମ ପାଇବା ପାଇଁ ଇଚ୍ଛାପ୍ରକଟ କରିଥିବା ବ୍ୟକ୍ତିଙ୍କୁ ଗହମ ପ୍ରଦାନ କରାଯାଉଛି। ବଜାରରେ ଅଟା ଦର ଆକାଶଛୁଆଁ ହୋଇଥିବାରୁ ଗହମର ଚାହିଦା ଅଧିକ ରହୁଛି। ଖାଉଟିମାନେ ବଜାରରୁ ଅଟା ଖରିଦ ନ କରି ରାଶନକାର୍ଡରେ ମିଳୁଥିବା ଗହମକୁ ପେଷି ଅଟା ଭାବେ ବ୍ୟବହାର କରୁଛନ୍ତି।
ତେଣେ ଗହମ ବନ୍ଦ ହେବା ନେଇ ସରକାର ଘୋଷଣା କରିଦେବା ପରେ ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ଆସୁଥିବା ଟଙ୍କିକିଆ ଗହମ କଳାବଜାର ହେବା ସମ୍ଭାବନା ସୃଷ୍ଟି ହୋଇଛି। ଏହାର ମାଧ୍ୟମ ରିଟେଲରମାନେ ସାଜିଛନ୍ତି। ରିଟେଲରମାନେ ଗହମ ଉଠାଇ ବାହାରେ ବିକ୍ରି କରିଦେବେ ବୋଲି ଭିତିରି ଯୋଜନା କରି ଗହମର କୃତ୍ରିମ ଅଭାବ ସୃଷ୍ଟି ହେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏହି କ୍ରମରେ ଦେଖିବାକୁ ଗଲେ ବ୍ଲକ ଅଞ୍ଚଳରେ ପ୍ରାୟତଃ ୮୦ରୁ ଊର୍ଦ୍ଧ୍ୱ ରିଟେଲର ରାଶନ ସାମଗ୍ରୀ ବାଣ୍ଟିବା ଦାୟିତ୍ୱରେ ଅଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କେତେଜଣ ରିଟେଲର ଏପ୍ରିଲ ଓ ମେ’ ମାସ ପାଇଁ ଗହମ ଉଠାଣ କରି ସୁଷମ ବଣ୍ଟନ କରିଛନ୍ତି କି ନାହିଁ ତା’ର ଯାଞ୍ଚ କରିବାକୁ ହିତାଧିକାରୀ ଦାବି କରିଛନ୍ତି। ସେହିପରି ଗହମ ବଦଳରେ ଚାଉଳ କେବେ ମିଳିବ ସେ ନେଇ ଖାଉଟିମାନଙ୍କୁ ସ୍ପଷ୍ଟ ସୂଚନା ଦିଆଯାଉ ବୋଲି ରାଶନ କାର୍ଡଧାରୀ କହିଛନ୍ତି। ଏ ଦିଗରେ ବ୍ଲକ ଭାରପ୍ରାପ୍ତ ଯୋଗାଣ ଅଧିକାରୀ ମାନସ ସିଅଙ୍କୁ ପଚାରିବାରୁ ସେ କହିଛନ୍ତି, ଜୁନ୍‌ ମାସରୁ ଗହମ ବନ୍ଦ ହୋଇଯିବ। ମାତ୍ର ଏପ୍ରିଲ୍‌ ଓ ମେ’ରେ ଗହମ ହିତାଧିକାରୀଙ୍କୁ ଦିଆଯିବ। ଯଦି କୌଣସି ରିଟେଲର ଗହମ ଉଠାଇ ନାହାନ୍ତି, ତେବେ ଗହମ ଉଠାଇଲା ପରେ ତାହାକୁ ବାଣ୍ଟିବେ ଓ ସେବେ ଯାଇ ଖାତାରେ ଉଲ୍ଲେଖ କରିବେ। ପୂର୍ବରୁ ଖାତାରେ ଉଲ୍ଲେଖ ପାଇଁ କୌଣସି ନିୟମ ନାହିଁ। ସେଭଳି ଘଟୁଥିବା ନେଇ ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଅ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri