ରୁଦ୍ରପ୍ରୟାଗ,୨୬ ।୫: ଦୀର୍ଘ ପ୍ରାୟ ୨ ବର୍ଷ ପରେ ଚଳିତ ବର୍ଷ ଆରମ୍ଭ ହୋଇଥିବା ଚାରଧାମ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ହୃଦଘାତରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ କେବଳ କେଦାରନାଥରେ ୪ ଜଣ, ଯମୁନେତ୍ରୀରେ ୩ ଓ ବଦ୍ରିନାଥରେ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ଏହାସହ ଚଳିତ ବର୍ଷ ଚାରଧାମ ଯାତ୍ରାରେ କେଦାରନାଥରେ ଏବେ ପର୍ଯ୍ୟନ୍ତ ୩୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଯମୁନେତ୍ରୀରେ ୨୩ ଓ ବଦ୍ରିନାଥରେ ୧୩ ଶ୍ରଦ୍ଧାଳୁଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ରିଷିକେଶ ସମେତ ଏହି ସଂଖ୍ୟା ଏବେ ୮୨ରେ ପହଞ୍ଚିଲାଣି ।
ସୂଚନାଯୋଗ୍ୟ, ଦୀର୍ଘ ପ୍ରାୟ ୨ ବର୍ଷ ହେବ କରୋନା ମହାମାରୀ ଯୋଗୁ ଚାରଧାମ ଯାତ୍ରା ବନ୍ଦ ରହିଥିଲା । ଚଳିତ ବର୍ଷ ଏହା ପୁଣିଥରେ ଆରମ୍ଭ କରାଯାଇଥିବାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଏପଟେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ପ୍ରଶାସନ ପକ୍ଷରୁ ଏହାକୁ ରୋକିବାକୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ଯେମିତିକି ବରିଷ୍ଠ ନାଗରିକଙ୍କୁ ଯାତ୍ରା ବାରଣ କରାଯାଇଥିବା ବେଳେ ହୃଦଘାତରେ ପୀଡିତ ବ୍ୟକ୍ତିଙ୍କୁ ବି ଏହି ଯାତ୍ରା ମନା କରାଯାଇଛି ।