କୋକସରା,୧୯।୩: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ବଡକେନ୍ଦୁଗୁଡ଼ା ଗ୍ରାମରେ ଶୁକ୍ରବାର ଏକ ବନ୍ଦ କୋଠରିରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଆମପାଣି ପୋଲିସ ଜବତ କରିଛି। ସେ ହେଲେ ବଡକେନ୍ଦୁଗୁଡା ଗ୍ରାମର ଟଙ୍କଧର ପୂଝାରୀଙ୍କ ସ୍ତ୍ରୀ ଚନ୍ଦ୍ରିକା ପୂଝାରୀ(୩୦)। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଚନ୍ଦ୍ରିକାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ସାହଯ୍ୟରେ ପୋଲିସ ତଦନ୍ତ ଚଳାଇଛି। ପୋଲିସ ସୂଚନା ଅନୁଯାୟୀ, ଚନ୍ଦ୍ରିକା ଶୁକ୍ରବାର ସକାଳେ ଶୋଇବା କୋଠରିରେ ବେକରେ ଶାଢୀ ଲଗାଇ ଝୁଲୁଥିବା ଅବସ୍ଥାରେ ଶାଶୁଘର ଲୋକେ ଦେଖି ତାଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଶାଶୁ ଘର ଲୋକେ ଆମପାଣି ପୋଲିସ ଓ ବୋହୂଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ଏ ନେଇ ଆମପାଣି ଥାନାରେ ଏକ ମାମଲା (ନଂ.୨୪/୨୧) ରୁଜୁ ହୋଇଛି।


