ବିଶ୍ୱ ଶିକ୍ଷକ

ବିଶ୍ୱର ସର୍ବଶ୍ରେଷ୍ଠ ଅସାଧାରଣ ଶିକ୍ଷକ ସମ୍ମାନ ପାଇବା ଲାଗି ଯୋଗ୍ୟତା କୌଣସି ଶିକ୍ଷାର ଡିଗ୍ରୀରେ ମପାଯାଇପାରି ନ ଥାଏ। ଅନ୍ୟମାନଙ୍କଠାରୁ ଅନନ୍ୟ ହେବାକୁ ହେଲେ ଜଣଙ୍କ ଚିନ୍ତାଧାରା ଓ ଆଦର୍ଶ ତାହା ଦର୍ଶାଇଦିଏ। ନିକଟରେ ଗ୍ଲୋବାଲ ଟିଚର ପ୍ରାଇଜ୍‌ ପାଇଥିବା ରଣଜିତ୍‌ସିଂ ଦିସାଲେ ଏଭଳି ଉଦାହରଣ ସୃଷ୍ଟି କରିଥିବାରୁ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣିବା ଲାଗି ସମସ୍ତଙ୍କ ଆଗ୍ରହ ରହିବା ସ୍ବାଭାବିକ। ଉଲ୍ଲେଖଯୋଗ୍ୟ, ଗ୍ଲୋବାଲ ଟିଚର ପ୍ରାଇଜ୍‌ ବା ବିଶ୍ୱ ଶିକ୍ଷକ ସମ୍ମାନ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଭାର୍କି ଫାଉଣ୍ଡେଶନ ପକ୍ଷରୁ ୫ ବର୍ଷ ହେବ ଦିଆଯାଇଆସୁଅଛି। ଏଥିଲାଗି ପୁରସ୍କାର ରାଶି ୧ ମିଲିୟନ ଆମେରିକୀୟ ଡଲାର ରଖାଯାଇଛି। ଶିକ୍ଷା କ୍ଷେତ୍ରରେ ଏହି ସମ୍ମାନକୁ ନୋବେଲ ସହ ତୁଳନା କରାଯାଇଥାଏ। ଶିକ୍ଷକମାନଙ୍କୁ ତାରକା ସ୍ତରରେ ରଖିବା ସହ ଗୁଣାତ୍ମକ ଶିକ୍ଷାର ପ୍ରସାର କରିବା ଦିଗରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଭାର୍କି ଫାଉଣ୍ଡେଶନ ପକ୍ଷରୁ କୁହାଯାଇଛି। ଅନ୍ତର୍ଜାତୀୟ ସ୍ତରରେ ଶିକ୍ଷାଦାନକୁ ସର୍ବଶ୍ରେଷ୍ଠ ବୃତ୍ତିର ମାନ୍ୟତା ଦିଆଯିବା ସହିତ ଶିକ୍ଷକମାନଙ୍କୁ ଯଥୋଚିତ ସମ୍ମାନ ଦିଆଯିବା ଦରକାର ବୋଲି ଫାଉଣ୍ଡେଶନ ଦୃଢ଼ ଆଶା ପୋଷଣ କରେ।
୩୨ ବର୍ଷୀୟ ଦିସାଲେ ଅଧାରୁ ଇଞ୍ଜିନିୟରିଂ ଛାଡ଼ିଥିଲେ। ଶିକ୍ଷକ ହେବା ଲାଗି ପିତା କହିବା ପରେ ସେ ଟ୍ରାକ୍‌ ବଦଳାଇଥିଲେ। ଶିକ୍ଷକ ପ୍ରଶିକ୍ଷଣ ପାଠ୍ୟକ୍ରମ ଶେଷ କରିବା ପରେ ବିଧିବଦ୍ଧ ଭାବେ ହୋଇଥିଲେ ମାଷ୍ଟର। ମହାରାଷ୍ଟ୍ରର ସୋଲାପୁରସ୍ଥିତ ପରିତଓ୍ବୋଡିର ଜିଲା ପରିଷଦ ପ୍ରାଥମିକ ସ୍କୁଲରେ ଯୋଗଦେବା ପରେ ଅଭିନବ ଉପାୟରେ ପିଲାଙ୍କୁ ପାଠ ପଢ଼ାଇ ଚାଲିଲେ। ଦୁର୍ଭିକ୍ଷ ଅଞ୍ଚଳ ପରିତଓ୍ବୋଡିରେ ସେ ୧୧ ବର୍ଷ ଧରି ଶିକ୍ଷକତା କରି ଆସୁଛନ୍ତି। ସେଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୧୧୦ ଛାତ୍ରଙ୍କୁ ୫ ଜଣ ଶିକ୍ଷକ ପଢ଼ାଉଛନ୍ତି। ଶିକ୍ଷାଦାନ ବେଳେ ଦିସାଲେ ବାଳିକା ଶିକ୍ଷାର କିଭଳି ବିକାଶ ହୋଇପାରିବ, ତା’ ଉପରେ ଧ୍ୟାନ ଦେଲେ। ଏଥିସହିତ କ୍ୱିକ୍‌ ରେସ୍‌ପନ୍ସ (କ୍ୟୁଆର୍‌) କୋଡ୍‌ ଟେକ୍ଟବୁକ୍‌ ରିଭୋଲ୍ୟୁଶନ ବା ପାଠ୍ୟପୁସ୍ତକ ବିପ୍ଳବ ଆରମ୍ଭ କଲେ, ଯାହା ଜିଲା, ରାଜ୍ୟ ଏବଂ ଶେଷରେ ସମଗ୍ର ଭାରତରେ ପହଞ୍ଚିଗଲା। ଡିଜିଟାଲ ମାଧ୍ୟମରେ ପାଠକୁ ସହଜ ଓ ସୁଗମ କରିବା ଲକ୍ଷ୍ୟରେ ସେ କାର୍ଯ୍ୟ କଲେ। ପାଠ୍ୟପୁସ୍ତକକୁ ମାତୃଭାଷାରେ ସେ ଅନୁବାଦ କରି ସେଥିରେ ଏକକ କ୍ୟୁଆର୍‌ କୋଡ୍‌କୁ ସନ୍ନିବେଶିତ କରିଦେଲେ। ପିଲାମାନେ ସେହି କୋଡ୍‌କୁ ଦେଖି ସଙ୍ଗେ ସଙ୍ଗେ ଅଡିଓରେ କବିତା ଶୁଣିବା, ଭିଡିଓରେ ଶିକ୍ଷା ଗ୍ରହଣ କରିବା ସହଜ ହୋଇଗଲା। ଏହା କରିବା ପଛରେ ଦିସାଲେଙ୍କ ଚିନ୍ତା ରହେ ଯେ, ପିଲାମାନେ ଖୁସି ମିଜାଜରେ ପାଠ ପଢ଼ିପାରିବେ। ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ଛାତ୍ରୀଛାତ୍ର ଆଗ୍ରହର ସହ ସ୍କୁଲକୁ ଆସିଥିବା ଦେଖାଯାଉଛି। ଫଳରେ ଦିସାଲେଙ୍କ ସ୍କୁଲରେ ଶତ ପ୍ରତିଶତ ଉପସ୍ଥାନ ହେବାରୁ ଜିଲାରେ ଶ୍ରେଷ୍ଠ ବିଦ୍ୟାଳୟର ମାନ୍ୟତା ପାଇଛି। କେବଳ ସେତିକି ନୁହେଁ, ତାଙ୍କ ଅଭିନବ ଚିନ୍ତାଧାରାକୁ ୨୦୧୭ରେ ମହାରାଷ୍ଟ୍ର ସରକାର ଗ୍ରହଣ କରି ସବୁ ଗ୍ରେଡ୍‌ର ପାଠ୍ୟପୁସ୍ତକରେ କ୍ୟୁଆର୍‌ କୋଡ୍‌ ସଂଲଗ୍ନ କରିବା ଯୋଜନା କାର୍ଯ୍ୟକାରୀ କରିଥିଲେ। ୨୦୧୮ରେ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ମନ୍ତ୍ରଣାଳୟ ଏହାକୁ ଅନୁକରଣ କରି ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ସମସ୍ତ ପାଠ୍ୟକ୍ରମରେ କ୍ୟୁଆର୍‌ କୋଡ୍‌ ଲଗାଇବାକୁ ଘୋଷଣା କରିଥିଲେ।
ଏହିଭଳି ନୂଆ ଚିନ୍ତାଧାରା ଆପଣାଇବା ସହ ଛାତ୍ରୀଛାତ୍ରଙ୍କ ପାଇଁ ପଢ଼ା ସହଜ କରିବାରେ ଦିସାଲେଙ୍କ ଉଲ୍ଲେଖନୀୟ ଅବଦାନ ରହିବାରୁ ସେ ବିଶ୍ୱ ଶିକ୍ଷକ ହେବାର ଗୌରବ ଅର୍ଜନ କରିଛନ୍ତି। ଗ୍ଲୋବାଲ ଟିଚର ପ୍ରାଇଜ୍‌ ଏକାଡେମୀରେ ବିଚାରକ ଆସନରେ ବିଭିନ୍ନ ଦେଶର ପ୍ରଧାନ ଶିକ୍ଷକ, ଶିକ୍ଷା ବିଶେଷଜ୍ଞ, ଭାଷ୍ୟକାର, ସାମ୍ବାଦିକ, ସରକାରୀ ଅଧିକାରୀ, ବୈଷୟିକ ଉଦ୍ୟୋଗୀ, କମ୍ପାନୀ ନିର୍ଦ୍ଦେଶକ ଏବଂ ବୈଜ୍ଞାନିକମାନେ ରହିଥାଆନ୍ତି। ଗ୍ଲୋବାଲ ଟିଚର ପ୍ରାଇଜ୍‌ ୨୦୨୦ ଲାଗି ତାଲିକାରେ ୧୦ ଜଣଙ୍କୁ ବଛାଯାଇଥିଲା। ସେମାନଙ୍କ ମଧ୍ୟରୁ ଦିସାଲେ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ତାଙ୍କୁ ୧ ମିଲିୟନ ଆମେରିକୀୟ ଡଲାର ମିଳିଥିଲା। କିନ୍ତୁ ସେ ପୁରସ୍କାର ରାଶିର ଅଧା ଅନ୍ୟ ୯ ଶିକ୍ଷକଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ପୁରସ୍କାର ରାଶି ଭାଗ କରିବା ନେଇ ସେ ମତ ଦିଅନ୍ତି ଯେ, ଜଣେ ଏକାକୀ ସବୁକିଛି କରିପାରିବ ନାହିଁ। ଶିକ୍ଷକମାନେ ସମାଜରେ ବାସ୍ତବ ପରିବର୍ତ୍ତନ ଆଣିପାରିବେ। ସେଥିଲାଗି ସମସ୍ତଙ୍କ ସହଯୋଗ ଲୋଡ଼ା। ପୁଣି ମନେପକାଇଛନ୍ତି, ଏହି ସମ୍ମାନ ପାଇବା ପୂର୍ବରୁ ସେ କିଭଳି ଲମ୍ବା ପ୍ରକ୍ରିୟା ଦେଇ ଗତି କରିଥିଲେ। ପ୍ରଥମେ ଟପ୍‌ ୧୦୦ ଭିତରେ ରହିଥିଲେ। ସାକ୍ଷାତ୍‌କାର ଓ ବିଭିନ୍ନ ପ୍ରକାର ତନଖିର ସାମ୍ନା କରିବା ବେଳେ ବହୁ ମାସ ଅତିକ୍ରାନ୍ତ ହୋଇଥିଲା। ନିକଟରେ ଯେତେବେଳେ ସେ ପୈତୃକ ଗୃହରୁ ଅନ୍‌ଲାଇନ୍‌ରେ ଉତ୍ସବରେ ଭାଗ ନେଇ ଶ୍ରେଷ୍ଠ ଶିକ୍ଷକର ସମ୍ମାନ ପାଇଲେ, ଖୁସିରେ ଆତ୍ମହରା ହୋଇ କାନ୍ଦି ପକାଇଥିଲେ। ମାତାପିତାଙ୍କୁ ପ୍ରଥମେ କୁଣ୍ଢେଇ ପକାଇବା ସହ ତାଙ୍କ ମାସକର ଶିଶୁକୁ ସ୍ନେହରେ କୋଳେଇ ନେଇଥିଲେ।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri