ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍ନେସ୍ ଏବଂ ବୟସକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ, ୩୫ ବର୍ଷୀୟ ସାମି ପୁଣିଥରେ ଚୟନକର୍ତ୍ତାଙ୍କ ପ୍ରାଥମିକତା ତାଲିକାକୁ ଫେରିଛନ୍ତି। ୨୦୨୭ ଦିନିକିଆ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ତାଙ୍କର ଦଳକୁ ପ୍ରତ୍ୟାବର୍ତ୍ତନ ଏବେ ଏକ ବଡ଼ ସମ୍ଭାବନା ଭାବେ ଉଭା ହୋଇଛି।
ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସାମିଙ୍କ ଘରୋଇ କ୍ରିକେଟ୍ ପ୍ରଦର୍ଶନ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସବିଶେଷ ତଥ୍ୟ ଅନୁଯାୟୀ, ବିଜୟ ହଜାରେ ଓ ସୟଦ ମୁସ୍ତାକ ଅଲି ଟ୍ରଫିରେ ୬ଟି ମ୍ୟାଚରେ ସେ ୧୭ଟି ୱିକେଟ୍ ନେଇଛନ୍ତି। ଚଳିତ ସିଜିନ୍ରେ ମାତ୍ର ୪ଟି ମ୍ୟାଚ୍ ଖେଳି ସେ ୨୦ଟି ୱିକେଟ୍ ହାସଲ କରି ନିଜର ଧାର ବଜାୟ ରଖିଛନ୍ତି।
୨୦୨୫ ମାର୍ଚ୍ଚରେ ଚାମ୍ପିଅନ୍ସ ଟ୍ରଫି ପରଠାରୁ ସାମି ଭାରତ ପାଇଁ କୌଣସି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି। ତେବେ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ ତାଙ୍କୁ ଦଳରେ ସାମିଲ କରାଯାଇପାରେ। ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକର ପୂର୍ବରୁ ସୂଚନା ଦେଇଥିଲେ ଯେ, ଯଦି ସାମି ସମ୍ପୂର୍ଣ୍ଣ ଫିଟ୍ ରୁହନ୍ତି, ତେବେ ତାଙ୍କ ଭଳି ଜଣେ ଅଭିଜ୍ଞ ୱିକେଟ୍-ଟେକର ବୋଲରଙ୍କୁ ଦଳ ବାହାରେ ରଖିବାର କୌଣସି କାରଣ ନାହିଁ।
୨୦୨୩ ବିଶ୍ୱକପ୍ ପରଠାରୁ ସାମି ଆଣ୍ଠୁ ଏବଂ ଗୋଡ଼ର ଆଘାତ ସହ ସଂଘର୍ଷ କରି ଆସୁଛନ୍ତି। ଅସ୍ତ୍ରୋପଚାର ଏବଂ ଦୀର୍ଘ ଦିନର ରିହାବିଲିଟେସନ୍ ପରେ ସେ ଏବେ ପଡ଼ିଆକୁ ଫେରିଛନ୍ତି। ଯଦିଓ ସେ ନିଜକୁ ଫିଟ୍ ବୋଲି ଦାବି କରୁଛନ୍ତି, ଚୟନକର୍ତ୍ତାମାନେ ତାଙ୍କର କାର୍ଯ୍ୟଭାର ଏବଂ ଫିଟ୍ନେସ୍କୁ ନେଇ ସତର୍କ ଅଛନ୍ତି। “ମହମ୍ମଦ ସାମିଙ୍କ ନାମ ନିୟମିତ ଭାବେ ଆଲୋଚନା ହେଉଛି। ତାଙ୍କ ଭଳି ଦକ୍ଷ ବୋଲର ଯେକୌଣସି ସମୟରେ ୱିକେଟ୍ ନେଇପାରିବେ। ୨୦୨୭ ବିଶ୍ୱକପ୍ ପାଇଁ ସେ ଏକ ବିକଳ୍ପ ହୋଇପାରନ୍ତି।”


