ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଝାଡ଼ଖଣ୍ଡ ୬୯ ରନରେ ହରିୟାଣାକୁ ପରାସ୍ତ କରି ପ୍ରଥମ ଥର ପାଇଁ ସୟଦ ମୁସ୍ତାକ ଅଲି ଟ୍ରଫି (SMAT) ହାସଲ କରିଛି।
ଜାତୀୟ ଚୟନକର୍ତ୍ତାଙ୍କ ଉପସ୍ଥିତିରେ ଇଶାନ କିଶନ ମାତ୍ର ୪୯ ବଲ୍ରୁ ୧୦୧ ରନର ଏକ ଦମଦାର ଶତକୀୟ ପାଳି ଖେଳିଥିଲେ। ଅନ୍ୟତମ ବ୍ୟାଟର କୁମାର କୁଶାଗ୍ର (୮୧ ରନ୍, ୩୮ ବଲ୍)ଙ୍କ ସହ ମିଶି ସେ ଦ୍ୱିତୀୟ ୱିକେଟ ପାଇଁ ୧୭୭ ରନର ଭାଗିଦାରୀ କରିଥିଲେ। ଏହା ବଳରେ ଝାଡ଼ଖଣ୍ଡ ୩ ୱିକେଟ ହରାଇ ୨୬୨ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା, ଯାହା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସର୍ବାଧିକ ସ୍କୋର।
ଅନୁକୂଳ ରୟ ଓ ରୋବିନ ମିଞ୍ଜ୍ଙ୍କ ଅପରାଜିତ ୭୫ ରନର ଭାଗିଦାରୀ ଦଳକୁ ୨୦୦ ରନ୍ ପାର୍ କରିବାରେ ସାହାଯ୍ୟ କରିଥିଲା। ପୂରା ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ ପାଇଁ ଅନୁକୂଳଙ୍କୁ ‘ପ୍ଲେୟାର ଅଫ୍ ଦି ସିରିଜ୍’ ଘୋଷିତ କରାଯାଇଛି।
୨୬୩ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ହରିୟାଣା ଆରମ୍ଭରୁ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବିକାଶ ସିଂହ ଓ ଅନୁକୂଳ ରୟଙ୍କ ଶାଣିତ ବୋଲିଂ ଆଗରେ ହରିୟାଣା ବ୍ୟାଟରମାନେ ତିଷ୍ଠି ପାରିନଥିଲେ।
ଦୀର୍ଘ ଦିନ ଧରି ଭାରତୀୟ ଦଳରୁ ବାହାରେ ଥିବା ଇଶାନ କିଶନ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୫୧୭ ରନ୍ ସଂଗ୍ରହ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆସନ୍ତା ଶନିବାର ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଚୟନ ହେବାକୁ ଥିବା ବେଳେ ଇଶାନଙ୍କ ଏହି ଶତକ ତାଙ୍କ ପାଇଁ ଦଳର ଦ୍ୱାର ଖୋଲିପାରେ ବୋଲି ଆଶା କରାଯାଉଛି।
ବିଜୟ ପରେ ଝାଡ଼ଖଣ୍ଡ ଦଳର ଖେଳାଳିମାନେ ଭାବପୂର୍ଣ୍ଣ ହୋଇ ଉତ୍ସବ ପାଳନ କରିଥିଲେ। ପୂର୍ବତନ କ୍ରିକେଟର ସୌରଭ ତିୱାରୀ ଓ ଶାହବାଜ ନଦୀମ ମଧ୍ୟ ଦଳର ଏହି ଐତିହାସିକ ସଫଳତାରେ ସାମିଲ ହୋଇଥିଲେ।


