ନୂଆଦିଲ୍ଲୀ, ୧୭।୧୧: ନିକଟରେ ଲାଲକିଲ୍ଲା ନିକଟରେ ହୋଇଥିବା ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ ପୂର୍ବରୁ ଆତଙ୍କବାଦୀ ମଡ୍ୟୁଲ୍ ଡ୍ରୋନ୍କୁ ଅସ୍ତ୍ରରେ ପରିଣତ କରି ଏବଂ ରକେଟ୍ ତିଆରି କରି ବଡ଼ଧରଣର ଆକ୍ରମଣ କରିବାକୁ ଯୋଜନା କରୁଥିଲେ ବୋଲି ତଦନ୍ତକାରୀମାନେ ପ୍ରକାଶ କରିଛନ୍ତି।
ଏହି ଯୋଜନା ଅକ୍ଟୋବର ୭, ୨୦୨୩ ରେ ଇସ୍ରାଏଲ୍ ବିରୁଦ୍ଧରେ ହମାସର ଆକ୍ରମଣ ସହିତ ସମାନ ହୋଇଥାନ୍ତା, ଯେଉଁଥିରେ ସେମାନେ ମୁଖ୍ୟ ଅସ୍ତ୍ର ଭାବରେ ଡ୍ରୋନ୍ ବ୍ୟବହାର କରିଥିଲେ।
ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ଉମର ଉନ୍ ନବୀଙ୍କ ସହ କାମ କରୁଥିବା ଦ୍ୱିତୀୟ ସନ୍ଦିଗ୍ଧ ଆତଙ୍କବାଦୀ ଜାସିର ବିଲାଲ ୱାନି ଓରଫ ଦାନିଶ୍ଙ୍କୁ ଗିରଫ କରିବା ପରେ ଏହି ବଡ଼ ଧରଣର ବିପଦ ବିଷୟରେ ଜାଣିବାକୁ ପାଇଛି।
ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାର ବାସିନ୍ଦା ଦାନିଶ୍, ଡ୍ରୋନ୍କୁ ପରିବର୍ତ୍ତନ କରିବା ଏବଂ କାର୍ ବୋମା ବିସ୍ଫୋରଣ ପୂର୍ବରୁ ରକେଟ୍ ତିଆରି କରି ଆତଙ୍କବାଦୀ ଆକ୍ରମଣ ପାଇଁ ବୈଷୟିକ ସହାୟତା ଯୋଗାଇଥିବା ଏନଆଇଏ କହିଛି।
ସେ ଶକ୍ତିଶାଳୀ ଡ୍ରୋନ୍ ତିଆରି କରିବାକୁ ଚେଷ୍ଟା କରୁଥିଲେ ଯେଉଁଥିରେ ବଡ଼ ବ୍ୟାଟେରୀ ଲାଗିବ ଏବଂ ଅଧିକ ଓଜନର ବୋମା ବୋହି ପାରିବ। ସର୍ବାଧିକ କ୍ଷତି ଘଟାଇବା ପାଇଁ ଜନଗହଳିପୂର୍ଣ୍ଣ ସ୍ଥାନ ଉପରେ ଏହି ଡ୍ରୋନ୍ ପଠାଇବାକୁ ଏହି ଆତଙ୍କବାଦୀ ମଡ୍ୟୁଲ ଯୋଜନା କରିଥିଲା। ଏନଆଇଏ ଏହି ମାମଲାରେ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛି।


