ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଭୋରରୁ ସାର ପାଇଁ ୫ ଶହରୁ ଊଦ୍ଧର୍ବ ଚାଷୀଙ୍କ ଭିଡ଼ ଲାଗିରହିଥିଲା। ସେମାନେ ନିଜ ନିଜର ଆଧାରକାର୍ଡକୁ ତଳେ ଲାଇନରେ ରଖି ଅପେକ୍ଷା କରିଥିଲେ। ଆବଶ୍ୟକ ଅନୁସାରେ ସାର ନ ଥିବାରୁ ଚାଷୀଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୂର୍ବାହ୍ନ ପ୍ରାୟ ସାଢେ ୯ ଟାରେ କାର୍ଯ୍ୟାଳୟ ଖୋଲାଯିବା ପରେ ସାର ନେବାକୁ ଚାଷୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ସେବତୀ ଦୋରା ନାମ୍ନୀ ଜଣେ ଠେଲାପେଲାରେ ଅଣ ନିଃଶ୍ୱାସୀ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ଉପସ୍ଥିତ କିଛି ବ୍ୟକ୍ତି ପରିବାର ଲୋକଙ୍କ ସହାୟତାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ହେବାରୁ ଘରକୁ ଫେରିଥିଲେ। ଖବରପାଇ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସମବାୟ ସମ୍ପାଦକ କମଳ କାନ୍ତ ମିଶ୍ରଙ୍କ ସହ ଆଲୋଚନା କରିବା ପରେ ଚାଷୀଙ୍କୁ ସାର ବଣ୍ଟନ କରାଯାଇଥିଲା। ସମବାୟ ସମ୍ପାଦକଙ୍କୁ ଏନେଇ ପଚାରିବାରୁ ଗତ ୧ ତାରିଖରେ ମାତ୍ର ୨୨୫ ବସ୍ତା ୟୁରିଆ ସାର ସୋସାଇଟିକୁ ଆସିଥିଲା। ଚଳିତବର୍ଷ ଆଗୁଆ ବର୍ଷା ଯୋଗୁ ଚାଷୀ ଶୀଘ୍ର ଧାନ ଚାଷ ଆରମ୍ଭ କରିଦେଇଛନ୍ତି। ଫଳରେ ଚାଷୀଙ୍କୁ ୟୁରିଆ ସାର ଆବଶ୍ୟକ। ଚାଷୀ ସାର ଯୋଗାଣ ସ୍ଥିତିକୁ ଅନୁଭବ ନକରି ସାର ପାଇଁ ସୋସାଇଟିକୁ ଧାଇଁ ଆସୁଛନ୍ତି। ଗୁରୁବାର ସକାଳେ ବହୁ ସଂଖ୍ୟକ ଚାଷୀ ସୋସାଇଟିକୁ ଆସିବାରୁ ସେ ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ପୋଲିସକୁ ଜଣାଇଥିଲେ। ପରେ ତହସିଲଦାରଙ୍କ ଉପସ୍ଥିତିରେ ପ୍ରଥମ ପର୍ଯ୍ୟାୟରେ ସମବାୟ ସମିତିରୁ କୃଷି ଋଣ ନେଇଥିବା ଚାଷୀଙ୍କୁ ଅଗ୍ରାଧିକାର ଭିତ୍ତିରେ ସାର ବଣ୍ଟନ କରାଯାଇଥିଲା। ଦିନେ ଦୁଇଦିନ ମଧ୍ୟରେ ୬୭୫ ବସ୍ତା ୟୁରିଆ ସାର ସୋସାଇଟିକୁ ଆସିବ। ଯେଉଁ ଚାଷୀମାନେ ଆଦୌ ସାର ପାଇ ନାହାନ୍ତି ସେମାନଙ୍କୁ ସାର ଯୋଗାଇଦିଆଯିବ ବୋଲି ସେ କହିଛନ୍ତି। ଗହଳିରେ ଜଣେ ମହିଳା ଚାଷୀ ଚେତାଶୂନ୍ୟ ହୋଇ ତଳେ ପଡ଼ିଯିବା ଖବର ସମ୍ପର୍କରେ ସେ କିଛି ଜାଣିନଥିବା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତହସିଲଦାରଙ୍କ ନିର୍ଦ୍ଦେଶ ଅନୁସାରେ ଚାଷୀଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ସମବାୟ କାର୍ଯ୍ୟାଳୟ ସମ୍ମୁଖରେ ଖୁବଶୀଘ୍ର ବ୍ୟାରିକେଟ ନିର୍ମାଣ କରାଯିବ ବୋଲି ସେ ଜଣାଇଛନ୍ତି।


