ଦାରିଙ୍ଗବାଡ଼ି,୧୯ା୭ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍ କିରିକୁଟି ପଞ୍ଚାୟତ ପାଟାଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ୬ଜଣ ଛାତ୍ରୀଛାତ୍ର ଅସୁସ୍ଥ ଘଟଣାରେ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶକ୍ରମେ ଜିଲା ଅତିରିକ୍ତ ସ୍ବାସ୍ଥ୍ୟଧିକାରୀ ପ୍ରସନ୍ନ କୁମାର ତ୍ରିପାଠୀ ତଦନ୍ତ କରିବାକୁ ପାଟାଙ୍ଗି ବିଦ୍ୟାଳୟ ସମେତ ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ କରିଛନ୍ତି। ସେ ବିଦ୍ୟାଳୟରେ ଅସୁସ୍ଥ ଥିବା ଛାତ୍ରୀଛାତ୍ରଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟପରୀକ୍ଷା କରି କହିଥିଲେ। ସେମାନଙ୍କୁ ଭୁତାଣୁ ଜନିତ ଜ୍ୱର, ଥଣ୍ଡା, କାଶ, ବ୍ୟଥା ଆଦି ରହିଥିବା ସେ କହିଛନ୍ତି। ଟିକା ଯୋଗୁ କୌଣସି ହାନି ହୋଇନାହିଁ। ଏହାସହ ଛାତ୍ରୀଛାତ୍ରଙ୍କ ମ୍ୟାଲେରିଆ ମଧ୍ୟ ପରୀକ୍ଷା କରାଯାଇଥିଲା। କିନ୍ତୁ ସେଭଳି କିଛି ସମସ୍ୟା ନାହିଁ। ଅଞ୍ଚଳରେ ବର୍ଷା ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ଥଣ୍ଡା ଜ୍ୱର ରହିଛି।


