ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟସ୍ଥ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପରେ ଶନିବାର ଭାଜପା ପକ୍ଷରୁ ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ତଥା ବିଧାନସଭାସ୍ତରୀୟ ସକ୍ରୀୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାଜପା ଜାତୀୟ ସଭାପତି ଜେ.ପି ନଡ୍ଡାଙ୍କ ଆହ୍ବାନ କ୍ରମେ ସକ୍ରିୟ ସଦସ୍ୟତା ଅଭିଯାନର ଉଦ୍ଯାପନୀ ଦିବସରେ ଆୟୋଜିତ ଭାଜପା ଜିଲା ଯୁବମୋର୍ଚ୍ଚା ଉପସଭାପତି ବାପି ପ୍ରଧାନ ସଂଯୋଜନା କରିଥିଲେ। ଭାଜପା ଗଞ୍ଜାମ ଜିଲା ସଭାପତି ସରୋଜ ସାବତ, ଦିଗପହଣ୍ଡି ବିଧାୟକ ଡା.ସିଦ୍ଧାନ୍ତ ମହାପାତ୍ର, ଭାଜପା ରାଜ୍ୟ ପରିଷଦ ସଦସ୍ୟ ପରେଶ ଚନ୍ଦ୍ର ରଥ, ଜିଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ, ଭାଜପା ଜିଲା ସାଧାରଣ ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେଓ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଭାଜପା କାର୍ଯ୍ୟକର୍ତ୍ତା ସନ୍ଧ୍ୟାରାଣୀ ପାତ୍ର, ଜଗନ୍ନାଥ ଗୌଡ, କାହ୍ନୁଚରଣ ପ୍ରଧାନ ପ୍ରମୁଖ ବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଭାଜପାକୁ ତୃଣମୂଳସ୍ତରରେ ଦଳକୁ ଅଧିକ ଦୃଢୀଭୂତ କରିବା, ସଙ୍ଗଠନର ଅଭିବୃଦ୍ଧି ନିମନ୍ତେ ପ୍ରତ୍ୟେକ ପଞ୍ଚାୟତରେ ଦଳୀୟ ସଙ୍ଗଠନକୁ ମଜବୁତ କରିବା ସହ ଜନସାଧାରଣଙ୍କ ନିକଟରେ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚାଇବା, ଦଳରେ ସମନ୍ବୟ ରକ୍ଷା କରିବା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥିବୃନ୍ଦ ଅଭିଭାଷଣ ପ୍ରଦାନ କରିଥିଲେ। ଭାଜପା ଦିଗପହଣ୍ଡି ନଗର ସଭାପତି ପ୍ରଶାନ୍ତ ପୂଜାରୀ, ଜିଲା ସମବାୟ ସମିତି ସମୂହର ପୂର୍ବତନ ସଭାପତି ସନାତନ ସଂଗ୍ରାମ ସିଂ, ଆଇନଜୀବୀ ଏ.ସୋମେଶ୍ୱର ରାଓ, ଦଳୀୟ କର୍ମକର୍ତ୍ତା କେ.ନରସିଂହ ପାତ୍ର, କିଶୋର ସାହୁଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଏବଂ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରୁ ୩୦୧ ସକ୍ରିୟ ସଦସ୍ୟ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ଭାଜପା ଗଞ୍ଜାମ ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଭବାନୀ ଶଙ୍କର ପଣ୍ଡା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦର ବଡ ବ୍ରାହ୍ମଣ ସାହି, ଚିକିଟିଆ ସାହି, ଆଠଗଡ଼ିଆ ସାହି, ରାଣୀ ସାହିରେ ଦୀର୍ଘ ଦେଢ଼ ମାସ ଧରି ପାଇପ ଯୋଗେ ପାନୀୟ ଜଳ ଆସୁନଥିବା ବେଳେ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ସ୍ଥାୟୀ ସମାଧାନ କରି ଯଥାଶୀଘ୍ର ପାନୀୟ ଜଳର ବନ୍ଦୋବସ୍ତ କରାଯିବା ନିମନ୍ତେ ବିଧାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ୨ଦିନ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି।


