Posted inଖେଳ

ଆମେରିକାର ଗୋଲ୍‌ ବର୍ଷା

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଆରମ୍ଭ ହୋଇଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌। ଭାରତ ଏହାର ପ୍ରଥମ ମ୍ୟାଚରେ ଉଚ୍ଚ ର଼୍ୟାଙ୍କ୍‌ପ୍ରାପ୍ତ ଆମେରିକା ସମକକ୍ଷ ପ୍ରଦର୍ଶନ କରିପାରିନାହିଁ। ଆମେରିକା ଗୋଲ ବର୍ଷା କରି ଘରୋଇ ଦଳକୁ ୮-୦ ଗୋଲରେ ପରାସ୍ତ କରିଛି। ଫଳରେ ନିଜର ଡେବ୍ୟୁ ମ୍ୟାଚ ଭାରତ ପାଇଁ ଦୁଃସ୍ବପ୍ନ ସଦୃଶ ହୋଇଛି। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଆମେରିକା ୫-୦ ଗୋଲରେ ଅଗ୍ରଣୀ ରହି ଭାରତକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲା। ଏଥିରୁ ଭାରତ ଆଉ ମୁକୁଳିପାରି ନ ଥିଲା। ସବୁ ବିଭାଗରେ ଆମେରିକା ଭଲ ଖେଳିଥିଲା। ବଲ୍‌କୁ ୭୮ ପ୍ରତିଶତ ନିଜ ନିୟନ୍ତ୍ରଣରେ ରଖିଥିଲା ଏହି ଦଳ। ଭାରତ ପକ୍ଷରୁ ମାତ୍ର ୨ଟି ଶଟ୍‌ ଟାର୍ଗେଟ କରାଯାଇଥିବାବେଳେ ଆମେରିକା ୩୦ଟି ଶଟ୍‌ ଭାରତୀୟ ଗୋଲପୋଷ୍ଟକୁ ମାରିଥିଲା। ଏଥିରୁ ୭ଟିକୁ ଗୋଲରେ ପରିଣତ କରିଥିଲା। ଭାରତ ମାତ୍ର ଗୋଟିଏ କର୍ନର ପାଇଥିବାବେଳେ ଆମେରିକା ୧୧ କର୍ନର ପାଇ ଆଗରେ ରହିଥିଲା। ଶଟ୍‌ ଆକୁରେସିି ଦୃଷ୍ଟିରୁ ଭାରତର ଆକ୍ରମଣ ୦ ପ୍ରତିଶତ ଥିବାବେଳେ ଆମେରିକା ୪୬ ପ୍ରତିଶତ ଆକ୍ରମଣାତ୍ମକ ଆଭିମୁଖ୍ୟ ଅବଲମ୍ବନ କରିଥିଲା। କୌଣସି ଦଳର ଖେଳାଳି ୟେଲୋ କିମ୍ବା ରେଡ୍‌ କାର୍ଡ ପାଇ ନ ଥିଲେ।
ଆମେରିକା ପକ୍ଷରୁୁ ଗୋଲ ସ୍କୋରିଂର ଧାରା ଆରମ୍ଭ କରିଥିଲେ ମେଲିନା ରେବିମ୍ବାସ। ମ୍ୟାଚର ୯ମ ମିନିଟରେ ସେ ଜ୍ୟାକସନଙ୍କଠାରୁ ପାଇଥିବା ପାସ୍‌କୁ ଗୋଲରେ ପରିଣତ କରି ଆମେରିକାକୁ ୧-୦ରେ ଅଗ୍ରଣୀ କରାଇଥିଲେ। ୧୫ତମ ମିିନିଟରେ ଦ୍ୱିତୀୟ ଗୋଲ ଦେଇଥିଲେ ଚାର୍ଲୋଟି କୋଲେର। ସେ ମଧ୍ୟ ଜ୍ୟାକସନଙ୍କଠାରୁ ପାଇଥିବା ପାସ୍‌ର ସଦ୍‌ବ୍ୟବହାର କରିଥିଲେ। ୨୩ତମ ମିନିଟରେ ଓନ୍ୟେକା ଗାମେରୋ ଏବଂ ୩୧ତମ ମିନିଟରେ ମେଲିନା ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଦଳ ପକ୍ଷରୁ ୪ର୍ଥ ଗୋଲ ସ୍କୋର କରିଥିଲେ। ୩୯ତମ ମିନିଟରେ ଜିସେଲେ ଥମ୍ପସନ ଗୋଲ ଦେଇ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଆମେରିକାର ଅଗ୍ରଣୀ ବ୍ୟବଧାନକୁ ୫-୦ରେ ପହଞ୍ଚାଇ ଦେଇଥିଲେ। ପଟ ପରିବର୍ତ୍ତନ ହୋଇଥିଲେ ହେଁ ଭାରତର ଭାଗ୍ୟ ବଦଳି ନ ଥିଲା। ଆମେରିକାର ଆଧିପତ୍ୟ ଅବ୍ୟାହତ ରହିଥିଲା। ୫୧ତମ ମିନିଟରେ ଭାରତୀୟ ବଂଶୋଦ୍ଭବ ମିଆ ଭୂତାଙ୍କଠାରୁ ପାସ୍‌ ପାଇ ଇମ୍ରି ଦଳ ପକ୍ଷରୁ ୬ଷ୍ଠ ଗୋଲଟି ସ୍କୋର କରିଥିଲେ। ଏତିକିରେ ଭାରତର ଦୁର୍ଦ୍ଦଶା ସରି ନ ଥିଲା। ୫୯ତମ ମିନିଟରେ ଭାରତର କାଜଲ ଗୋଲ ଏରିଆ ମଧ୍ୟରେ ଫାଉଲ କରି ବସିବାରୁ ଆମେରିକାକୁ ପେନାଲ୍ଟି ଶୁଟ୍‌ ସୁଯୋଗ ମିିଳିିଥିଲା। ଟେଲର ସୁଆରେଜ ଏହାକୁ ଗୋଲରେ ପରିଣତ କରିବାରେ କୌଣସି ଭୁଲ କରି ନ ଥିଲେ। ଏହାପରେ ଆସିଥିଲା ଭାରତୀୟ ବଂଶୋଦ୍ଭବ ମିଆ ଭୂତାଙ୍କ ପାଳିି। ସେ କୋଲେରଙ୍କଠାରୁ ପାଇଥିବା ପାସ୍‌କୁ ଗୋଲକରି ୬୨ତମ ମିନିଟରେ ଆମେରିକାର ଅଗ୍ରଣୀକୁ ୮-୦ରେ ପହଞ୍ଚାଇ ଦେଇଥିଲେ। ମାନସିକ ସ୍ତରରେ ଭାଙ୍ଗିି ପଡ଼ିବା ସହ ଭାରତୀୟ ଖେଳାଳିମାନେ କ୍ଳାନ୍ତ ହୋଇ ଯାଇଥିଲେ ହେଁ ଅବଶିଷ୍ଟ ସମୟ ଗୋଲ ବରଣରୁ ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। ଏଠାରେ ବିଜୟ ଫଳରେ ଆମେରିକା ପୂରା ୩ ପଏଣ୍ଟ ପାଇ ଅଭିଯାନ ଆରମ୍ଭ କରିଛି। ଭାରତ ଏହାର ପରବର୍ତ୍ତୀ ମ୍ୟାଚରେ ଶୁକ୍ରବାର ମରକ୍କୋକୁ ଭେଟିବ। ଗୋଆର ମାର୍ଗାଓରେ ଅନୁଷ୍ଠିତ ଗ୍ରୁପ୍‌ ‘ବି’ର ଅନ୍ୟ ଏକ ମ୍ୟାଚରେ ଜର୍ମାନୀ ୨-୧ ଗୋଲରେ ନାଇଜେରିଆକୁ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri