ଶବ୍ଦର ରୂପକାର

କୁହାଯାଏ ସମୟ ସ୍ରୋତରେ ସବୁ କିଛି ବିଲୀନ ହୋଇଯାଏ। ଆଜି ଯିଏ ଦୁଃଖରେ ଅଛି କାଲି ତା’ ପାଇଁ ଆନନ୍ଦ ଆସିପାରେ। ସେହିପରି ଖୁସିରୁ ଆରମ୍ଭ ହୋଇଥିବା ଜୀବନ ସର୍ବଦା ଦୀର୍ଘସ୍ଥାୟୀ ହୋଇ ନ ପାରେ। ଆପେକ୍ଷିକ ଦୃଷ୍ଟିକୋଣରୁ ଦେଖିଲେ ଦୁଃଖ ଓ ସୁଖକୁ ସମସ୍ତଙ୍କ ପାଇଁ ସମାନ ଭାବେ ତଉଲି ହେବ ନାହିଁ। ତେଣୁ ଆଦ୍ୟ ଅବସ୍ଥାରେ ଦୁଃଖ ଓ ଯନ୍ତ୍ରଣା ଦେଖାଦେଲେ ମଣିଷ ଭାଙ୍ଗିପଡ଼ିବା ଠିକ୍‌ ନୁହେଁ। କାରଣ ଭାବିବା ଦରକାର ଯେ, ଆଗକୁ କିଛି ଭଲ ଅଛି। ସମ୍ଭବତଃ ପିଲାଟି ବେଳେ ଏହି ଚିନ୍ତାଧାରା ଆମେରିକୀୟ କବି ଲୁଇସ୍‌ ଗ୍ଲକ୍‌ଙ୍କ ମନକୁ ଆସିଥିଲା। ରୋଗ ଯୋଗୁ ଶାରୀରିକ କଷ୍ଟ ପାଇ ଲୁଇସ୍‌ ମୃତ୍ୟୁଯନ୍ତ୍ରଣା ଭୋଗୁଥିଲେ ମଧ୍ୟ ଦୃଢ଼ ମନୋବଳ ଯୋଗୁ ସେଥିରୁ ବର୍ତ୍ତି ଯାଇଥିଲେ। ପରବର୍ତ୍ତୀ ସମୟରେ ଜୀବନରେ ବଢ଼ିବା ଲାଗି ଯନ୍ତ୍ରଣା ସତେ ଯେମିତି ତାଙ୍କୁ ପ୍ରେରଣା ଦେଇଥିଲା ବୋଲି କୁହାଯାଇପାରେ। ୨୦୨୦ ନୋବେଲ ସାହିତ୍ୟ ପୁରସ୍କାର ପାଇଁ ତାଙ୍କ ନାମ ନିକଟରେ ଘୋଷଣା ହେବା ପରେ ଲୁଇସ୍‌ଙ୍କ ମୁଗ୍ଧ ଅନୁଭବ ବାଲ୍ୟଜୀବନର ସ୍ମୃତିକୁ ମନେ ପକାଇବା ସ୍ବାଭାବିକ।
ଆମେରିକାର ନ୍ୟୁୟର୍କ ସିଟିରେ ୨୨ ଏପ୍ରିଲ ୧୯୪୩ରେ ଲୁଇସ୍‌ ଜନ୍ମଗ୍ରହଣ କରିଥିଲେ। ଜୀବିତ ଦୁଇ ଭଉଣୀଙ୍କ ମଧ୍ୟରେ ସେ ବଡ଼। ଲୁଇସ୍‌ଙ୍କ ଜନ୍ମ ପୂର୍ବରୁ ତାଙ୍କର ଜଣେ ବଡ଼ ଭଉଣୀଙ୍କ ମୃତ୍ୟୁ ଘଟି ସାରିଥିଲା। ପିତା ଡାନିଏଲ୍‌ ଗ୍ଲକ୍‌ ବ୍ୟବସାୟୀ ଓ ମାତା ବିଟ୍ରାଇସ୍‌ ଗ୍ଲକ୍‌ ଜଣେ ଗୃହିଣୀ। ତାଙ୍କ ମା’ ରୁଷୀୟ ଇହୁଦୀ ବଂଶଧର ହୋଇଥିବା ବେଳେ ପିତାଙ୍କ ପୂର୍ବପୁରୁଷ ଥିଲେ ହଙ୍ଗେରୀର ଇହୁଦୀ। ଡାନିଏଲଙ୍କ ଜନ୍ମ ପୂର୍ବରୁ ତାଙ୍କ ପରିବାର ଆମେରିକା ପଳାଇ ଆସିଥିଲେ। ଡାନିଏଲ ଜଣେ ଲେଖକ ହେବାକୁ ଚାହିଁଥିଲେ। ହେଲେ ନିଜ ଶାଳକଙ୍କ ସହ ମିଶି ନ୍ୟୁୟର୍କରେ ଏକ ତେଜରାତି ଦୋକାନ କରି ସଫଳ ହୋଇଥିଲେ। ଲୁଇସିଙ୍କ ମା’ ଓ୍ବେଲ୍ସଲେ କଲେଜରୁ ଡିଗ୍ରୀ ଅର୍ଜନ କରିଥିଲେ। ପିଲାଟିବେଳେ ମାତାପିତା ତାଙ୍କୁ ଗ୍ରୀକ୍‌ ପୁରାଣ ଓ ଅନେକ ଶାସ୍ତ୍ରୀୟ ଗଳ୍ପ କହିଥିଲେ। ସେଥିରେ ଲୁଇସ ପ୍ରଭାବିତ ହୋଇ ଛୋଟ ବେଳୁ କବିତା ଲେଖିବାରେ ମନୋନିବେଶ କରିଥିଲେ। ହେଲେ କିଶୋରୀ ଅବସ୍ଥାରେ ତାଙ୍କଠାରେ ଏନୋରେକ୍ସିଆ ନେର୍ଭୋସା ଲକ୍ଷଣ ବୃଦ୍ଧି ପାଇଥିଲା, ଯେଉଁଥିଲେ ଖାଦ୍ୟ ଖାଇବାଜନିତ ବିଶୃଙ୍ଖଳା ଯୋଗୁ ଶରୀର କ୍ଷୀଣ ହେବାକୁ ଲାଗିଥିଲା। ତାଙ୍କର ଏକ ପ୍ରବନ୍ଧରେ ସେ ଏ ବିଷୟରେ ଉଲ୍ଲେଖ କରିଥିଲେ ଯେ, ତାଙ୍କୁ ସେତେବେଳେ ଏଭଳି ଲାଗିଥିଲା ଯେପରି ସେ ଆଉ ବଞ୍ଚିବେ ନାହିଁ। ପରବର୍ତ୍ତୀ ସମୟରେ ସେ ୭ ବର୍ଷ ଧରି ଚିକିତ୍ସିତ ହେଲା ବେଳେ ଦୃଢ଼ ଇଚ୍ଛାଶକ୍ତି ରଖିବା ଯୋଗୁ ସେଥିରୁ ଆରୋଗ୍ୟ ଲାଭ କରିଥିବା ବର୍ଣ୍ଣନା କରିଛନ୍ତି। ସ୍ବାସ୍ଥ୍ୟଜନିତ ଅସୁବିଧାରୁ ସେ କଲେଜରେ ପୂର୍ଣ୍ଣକାଳୀନ ଛାତ୍ରୀ ହୋଇପାରି ନ ଥିଲେ। ତେଣୁ ସେ କଲମ୍ବିଆ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ଜେନେରାଲ ଷ୍ଟଡିଜ୍‌ରେ କବିତା କର୍ମଶାଳାରେ ନାମ ପଞ୍ଜୀକରଣ କରିଥିଲେ। ସେତିକି ବେଳେ ସେ ଯେଉଁ ଶିକ୍ଷା ପାଇଥିଲେ ତାହାର ଫଳସ୍ବରୂପ ତାଙ୍କୁ ଏକ ଡିଗ୍ରୀ ପ୍ରୋଗ୍ରାମ୍‌ ମିଳିଥିଲା। ଏକ ବିଧିବଦ୍ଧ ଡିଗ୍ରୀ ପାଇବାରୁ ବଞ୍ଚିତ ହେବା ପରେ ସେ ସେକ୍ରେଟେରିଆଲ୍‌ କାର୍ଯ୍ୟ କରିଥିଲେ। ୧୯୬୭ରେ ଚାର୍ଲସ ହେର୍ଜେ ଜୁନିୟରଙ୍କୁ ବିବାହ କରିଥିଲେ। ହେଲେ ୧୯୬୮ରେ ଉଭୟ ଛାଡ଼ପତ୍ର ଦେଇଥିଲେ। କିଶୋରୀ ଅବସ୍ଥାରେ ରୋଗ ଯନ୍ତ୍ରଣା ଓ ବିବାହ ପରେ ପାରିବାରିକ ଅଶାନ୍ତି ତାଙ୍କୁ ବିବ୍ରତ କରିଥିଲା। କିନ୍ତୁ ସେ ସବୁ ଭୁଲି ଲେଖିଲେ କବିତା। ସେହି ବର୍ଷ ପ୍ରକାଶ ପାଇଲା ତାଙ୍କ ପ୍ରଥମ କବିତା ସଙ୍କଳନ ‘ଫାଷ୍ଟବର୍ନ’, ଯାହା ସମାଲୋଚକଙ୍କ ମଧ୍ୟରେ ସକାରାତ୍ମକ ଆଲୋଚ୍ୟର ବିଷୟ ହୋଇପାରିଥିଲା। ତା’ ପରଠାରୁ ସେ କବିତା ଓ ପ୍ରବନ୍ଧ ଲେଖିଚାଲିଲେ। ୧୯୭୧ରେ ଭର୍ମୋଣ୍ଟସ୍ଥିତ ଗୋଡାର୍ଡ କଲେଜରେ କବିତା ପଢ଼ାଇବାର ସୁଯୋଗ ପାଇଥିଲେ। ପରେ ଲେଖକ ଜନ୍‌ ଡ୍ରନାଓଙ୍କ ସହ ତାଙ୍କ ସମ୍ପର୍କ ବଢ଼ିଥିଲା ଓ ସେ ୧୯୭୩ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। କିନ୍ତୁ ଡ୍ରନାଓଙ୍କୁ ସେ ୧୯୭୭ରେ ବିବାହ କରିଥିଲେ।
୧୯୮୦ରେ ତାଙ୍କ ତୃତୀୟ କବିତା ସଙ୍କଳନ ‘ଡିସେଣ୍ଡିଂ ଫିଗର’ ପ୍ରକାଶିତ ହୋଇଥିଲା। ଏହି ସମୟରେ ଭେମୋଣ୍ଟସ୍ଥିତ ତାଙ୍କ ଘର ପୋଡ଼ିଯିବାରୁ ସେ ସବୁ ଜିନିଷ ହରାଇଥିଲେ। ଏହାପରେ ୧୯୮୫ରେ ତାଙ୍କ କବିତା ସଙ୍କଳନ ‘ଦି ଟ୍ରାଏମ୍ପ୍‌ ଅଫ୍‌ ଆକିଲ୍ସ’ ପ୍ରକାଶ ପାଇ ଉଚ୍ଚ ପ୍ରଶଂସିତ ହୋଇଥିଲା। ସେ ଯେତେବେଳେ ୟେଲ୍‌ ୟୁନିଭର୍ସିଟିର ଇଂଲିଶ ବିଭାଗ ପ୍ରଫେସର ହେଲେ ଛାତ୍ରୀଛାତ୍ରଙ୍କୁ ଗବେଷଣା ମନସ୍କ କରାଇ ଦେଇଥିଲେ। ସେହି ସମୟରେ ହିଁ ତାଙ୍କ ରଚନା ଅଧିକ ଶାଣିତ ହୋଇଥିଲା। ଲୁଇସ୍‌ ୧୨ କବିତା ସଙ୍କଳନ ଓ ବହୁବିଧି ପ୍ରବନ୍ଧ ରଚନା କରିଛନ୍ତି। ତାଙ୍କ କବିତାରେ ସ୍ବତନ୍ତ୍ର କାବି୍ୟକ ଉଚ୍ଚାରଣ ଥିବା ଦେଖିବାକୁ ମିଳେ। ପୌରାଣିକ କଥାବସ୍ତୁ ସହ ଯେତେବେଳେ ସେ ଶାସ୍ତ୍ରୀୟ ରୂପକଳ୍ପ ଦେଇ ସମକାଳୀନ ଘଟଣାକୁ କବିତାରେ ସଜାନ୍ତି, ତାହାକୁ ପାଠିକାପାଠକ ପଢ଼ି ମୁଗ୍ଧ ହୋଇଯାଇଥାନ୍ତି। ସେଥିପାଇଁ ତାଙ୍କୁ ୧୯୭୩ରେ ପୁଲିଜର ଓ ୨୦୧୪ରେ ଆମେରିକାର ନ୍ୟାଶନାଲ ବୁକ୍‌ ଆଓ୍ବାର୍ଡ ମିଳିଥିଲା। ହେଲେ ୨୦୨୦ ପାଇଁ ସାହିତ୍ୟରେ ନୋବେଲ ପାଇବା ପରେ ତାଙ୍କୁ ସମାଲୋଚନା କରାଯାଉଛି। କାରଣ ଅନ୍ତର୍ଜାତୀୟ ସ୍ତରରେ ତାଙ୍କ ନାମ ସେଭଳି ଚର୍ଚ୍ଚିତ ହୋଇ ନ ଥିଲା କି ବିଭିନ୍ନ ଭାଷାରେ ତାଙ୍କ କୃତି ସେତେ ଅନୁବାଦ କରାଯାଇ ନାହିଁ। କିନ୍ତୁ ତାଙ୍କ ଯନ୍ତ୍ରଣା ଜର୍ଜରିତ ଜୀବନ କହିଦେଉଛି ତାଙ୍କ କବିତାର ସ୍ବର କେତେ ପ୍ରଖର ଅଛି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri