ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ରେକର୍ଡ ପରିମାଣର ୧୪.୨ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହି ଅଣ-କ୍ୟାପଡ୍ ଖେଳାଳିଙ୍କୁ କିଣିବା ପାଇଁ ବଡ଼ ଧରଣର ନିଲାମି ଯୁଦ୍ଧ ଦେଖିବାକୁ ମିଳିଥିଲା, ଯାହା ଶେଷରେ କାର୍ତ୍ତିକଙ୍କୁ ଆଇପିଏଲ୍ ଇତିହାସର ମିଳିତ ଭାବେ ସବୁଠାରୁ ମହଙ୍ଗା ଅଣ-କ୍ୟାପଡ୍ ଖେଳାଳି କରିଛି।
ନିଜର ନିଲାମିକୁ ଲାଇଭ୍ ଦେଖିବା ପରେ କାର୍ତ୍ତିକ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ। ସେ କହିଛନ୍ତି, “ମୁଁ ଏତେ ଖୁସି ହେଲି ଯେ ଶେଷରେ କାନ୍ଦି ପକାଇଲି। ମୋର ନିଲାମି ଆରମ୍ଭ ହେବା ବେଳକୁ ମୁଁ ଡରି ଯାଇଥିଲି, ଭାବୁଥିଲି ବୋଧେ ମୁଁ କିଣା ହେବି ନାହିଁ। କିନ୍ତୁ ଯେତେବେଳେ ନିଲାମି ଆଗକୁ ବଢ଼ିଲା, ମୁଁ ଲୁହ ରୋକି ପାରିଲି ନାହିଁ। ନିଲାମି ସରିବା ପରେ ମଧ୍ୟ ମୁଁ କାନ୍ଦୁଥିଲି।”
କାର୍ତ୍ତିକଙ୍କ ପାଇଁ ପ୍ରଥମେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (LSG) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (MI) ନିଲାମି ଆରମ୍ଭ କରିଥିଲେ। ପରେ କୋଲକାତା ନାଇଟ୍ ରାଇଡର୍ସ (KKR) ଜୋରଦାର୍ ପ୍ରତିଦ୍ୱନ୍ଦ୍ୱିତା କରି ୧୦ କୋଟି ଟଙ୍କା ପାଖାପାଖି ପହଞ୍ଚିଥିଲା। ଶେଷରେ, ପାଞ୍ଚ ଥରର ଆଇପିଏଲ୍ ଚାମ୍ପିଅନ୍ CSK ପ୍ରବେଶ କରି ୧୦ କୋଟି ଟଙ୍କା ଅତିକ୍ରମ କରିଥିଲା। ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟ ଶେଷ ଚେଷ୍ଟା କରିଥିଲା, କିନ୍ତୁ CSK ୧୪.୨ କୋଟି ଟଙ୍କାରେ ରାଜସ୍ଥାନର ଏହି ୱିକେଟକିପର-ବ୍ୟାଟରଙ୍କୁ ନିଜ ଦଳରେ ସାମିଲ କରିଥିଲା।
ପ୍ରସାରକମାନଙ୍କୁ ଦେଇଥିବା ଏକ ସାକ୍ଷାତକାରରେ କାର୍ତ୍ତିକ କହିଛନ୍ତି ଯେ ସେ ‘ମାହି ଭାଇ’ଙ୍କ ସହ ଡ୍ରେସିଂ ରୁମ୍ ଶେୟାର କରିବାକୁ ଏବଂ ତାଙ୍କଠାରୁ ବହୁତ କିଛି ଶିଖିବାକୁ ଉତ୍ସାହିତ ଅଛନ୍ତି।
୧୯ ବର୍ଷୀୟ କାର୍ତ୍ତିକ ଶର୍ମା ଘରୋଇ କ୍ରିକେଟରେ ରାଜସ୍ଥାନ ପାଇଁ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ସେ ଗତ ବିଜୟ ହଜାରେ ଟ୍ରଫିରେ ୮ଟି ମ୍ୟାଚ୍ରୁ ୧୧୮.୦୩ ଷ୍ଟ୍ରାଇକ୍ ରେଟରେ ୪୪୫ ରନ୍ ସଂଗ୍ରହ କରି ରାଜସ୍ଥାନର ସର୍ବାଧିକ ରନ୍ ସ୍କୋରର ଥିଲେ। ସୟଦ ମୁସ୍ତାକ ଅଲି ଟ୍ରଫିରେ ମଧ୍ୟ ସେ ୧୬୨.୯୨ ଷ୍ଟ୍ରାଇକ୍ ରେଟରେ ରନ୍ କରିଥିଲେ। ଏଥିସହ ୨୦୨୪ ଶେର-ଏ-ପଞ୍ଜାବ ଟି-୨୦ରେ ୧୦ଟି ଇନିଂସରୁ ୧୬୮.୦୧ ଷ୍ଟ୍ରାଇକ୍ ରେଟରେ ୪୫୭ ରନ୍ କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।


