ନୂଆପଡ଼ା,୧୬।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ପର୍ଯ୍ୟଟନ ସ୍ଥଳୀ ପତୋରା ଡ୍ୟାମ୍ଠାରେ ସ୍ଥାନୀୟ ଯୁବ ସଂଗଠନ ଯୁବା କି ଦହାଡ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଓ ସ୍ବଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାକୁ ପ୍ରତିଦିନ ନୂଆପଡ଼ା ସମେତ ଅନ୍ୟ ଜିଲା ତଥା ରାଜ୍ୟ ବାହାରୁ ପିକ୍ନିକ୍ ପାଇଁ ଆସୁଥିବା ପର୍ଯ୍ୟଟକମାନେ ପ୍ଲାଷ୍ଟିକ ଓ ଅଳିଆ ଆବର୍ଜନା ପକାଉଥିବାରୁ ପରିବେଶ ଦୂଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଯୁବା କି ଦିହାଡ ପକ୍ଷରୁ ସଫେଇ ଅଭିଯାନ କରାଯାଉଛି। ସଙ୍ଗଠନର କର୍ମକର୍ତ୍ତାଙ୍କ ଏଭଳି କାର୍ଯ୍ୟ ଦେଖି ଦେଖି ସେଠାକୁ ବୁଲିବାକୁ ଆସିଥିବା ଏକ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଶିକ୍ଷକ ସ୍ବତଃପ୍ରବୃତ୍ତ ଭାବେ ସଫେଇରେ ସାମିଲ ହୋଇଥିଲେ। ଏହି ସମୟରେ ଶିକ୍ଷକଙ୍କୁ ସମ୍ମାନ ଜଣାଇ ସଂଗଠନ ପକ୍ଷରୁ ଉପହାର ସ୍ବରୂପ ବିଭିନ୍ନ ଗଛ ଚାରା ପ୍ରଦାନ କରାଯାଇଥିଲା। ଏହି ପର୍ଯ୍ୟଟନ ସ୍ଥଳୀରେ ଜିଲା ପର୍ଯ୍ୟଟନ ବିଭାଗ କିମ୍ବା ଜିଲା ପ୍ରଶାସନ ପକ୍ଷରୁ କୌଣସି ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ନାହିଁ। ପର୍ଯ୍ୟଟନ ସ୍ଥଳରେ ଡଷ୍ଟବିନ ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ। ଏ ଦିଗରେ ପଦକ୍ଷେପ ନେବାକୁ ସଂଗଠନ ପକ୍ଷରୁ ଦାବି ହୋଇଛି। ଏଥିରେ ସଂଗଠନ ସଭାପତି କୈଳାସ ଚନ୍ଦ୍ରକାର, ସମ୍ପାଦିକା ତଥା ପ୍ରତିଷ୍ଠାତା ଦୀପାଞ୍ଜଳି ସାହୁ, ଉପସଭାପତି ମନୋରଞ୍ଜନ ସୁନାରି, ପବିତ୍ର ମହାନନ୍ଦ, ଭିଗେନ୍ଦ୍ର ତାଣ୍ଡି ପ୍ରମୁଖ ସାମିଲ ଥିଲେ।


