ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଜିଲା ଶ୍ରମିକ ମହାସଂଘର ଚାରି ଜଣିଆ ପ୍ରତିନିଧି ମଣ୍ଡଳୀ ତାଙ୍କ ଘରକୁ ଯାଇ ସମବେଦନା ଜଣାଇବା ସହ ଲଖନା ଥାନାକୁ ଯାଇ ଥାନା ଅଧିକାରୀ ରଞ୍ଜନ ନାୟକଙ୍କ ସହ ଆଲୋଚନା କରିଥିଲେ। ବଲାଙ୍ଗୀର ଜିଲାର ଦାଦନ ଦଲାଲ ବିନା ପଞ୍ଜିକରଣରେ ନୂଆପଡ଼ା ଜିଲାର ଦାଦନ ଶ୍ରମିକଙ୍କୁ ଅଧିକ ଟଙ୍କା ପ୍ରଲୋଭନ ଦେଖାଇ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ହେଲେ ଜିଲା ପ୍ରଶାସନ, ପୋଲିସ ଓ ଜିଲା ଶ୍ରମ ବିଭାଗ ଆଖି ବୁଜି ଦେଇଛନ୍ତି। ନୂଆପଡାକୁ ଦାଦନ ଶ୍ରମିକ ମୁକ୍ତ ଜିଲା ଭାବରେ ଗଠନ କରିବା ପାଇଁ ଜିଲା ପ୍ରଶାସନ ପ୍ରତ୍ୟେକ ସୋମବାର ଗୋଟିଏ ପଞ୍ଚାୟତକୁ ଯାଇ ସଚେତନ କରୁଛନ୍ତି। ହେଲେ ଏହା ପ୍ରହସନରେ ପରିଣତ ହୋଇଛି ବୋଲି ଶ୍ରମିକ ମହାସଂଘ ପକ୍ଷରୁ କୁହାଯାଇଛି। କାମଧନ୍ଦା ଅଭାବରୁ ପରିବାର ପ୍ରତିପୋଷଣ ପାଇଁ ଏଠାକାର ଶ୍ରମିକ ଦଲାଲମାନଙ୍କ ମୋହରେ ପଡି ବାହାର ରାଜ୍ୟକୁ ଯାଇ ନିର୍ଯାତନାର ଶିକାର ହେଉଛନ୍ତି। ପ୍ରତିଦିନ ଟ୍ରେନ୍, ବସ୍ ଯୋଗେ ଶ୍ରମିକ ଚାଲାଣ ହେଉଥିଲେ ମଧ୍ୟ ଏହା ଉପରେ ଅଙ୍କୁଶ ଲଗାଯାଉନାହିଁ। ଯଥାଶୀଘ୍ର ଦାଦନ ଶ୍ରମିକ ମୃତ୍ୟୁର ତଦନ୍ତ କରି ପ୍ରକୃତ ଦୋଷୀ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଶ୍ରମିକ ମହାସଂଘ ଚେତାବନୀ ଦେଇଛି। ଜିଲାର ଦାଦନ ସମସ୍ୟା ଉପରେ ବହୁ ଶୀଘ୍ର ମହାସଂଘର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିବ ବୋଲି ଜିଲା ଶ୍ରମିକ ମହାସଂଘ ଆବାହକ ଯଦୁମଣି ପାଣିଗ୍ରାହୀ କହିଛନ୍ତି। ଏହି ସମୟରେ ଜିଲା ଶ୍ରମିକ ମହାଂସଘ ଜିଲା ସହ ଆବାହକ ଭକ୍ତବନ୍ଧୁ ଧରୁଆ, ସୁଖଦେବ ସାହୁ, ଅନିରୁଦ୍ଧ ନାଗ ପ୍ରମୁଖ ଉପସ୍ଥିତ ଥିଲେ।


