ଜି.ଉଦୟଗିରି,୧୧ା୧୦(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ) ଭୂସ୍ଖଳନ ଯୋଗୁ ଦୀର୍ଘ ୨୫ ଦିନ ହେଲାଣି କଳିଙ୍ଗା ଘାଟି ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ଗତମାସ ୧୬ ତାରିଖରେ ବାଦଲ ଫଟା ବର୍ଷା ଓ ଭୂସ୍ଖଳନ ଯୋଗୁ ୫୦ ମିଟର ରାସ୍ତା ଭାସିଯାଇ ବିରାଟ ଖାଲ ସୃଷ୍ଟି ହୋଇଥିଲା। ୧୭ ତାରିଖଠାରୁ ଜାତୀୟ ରାଜପଥ ବିଭାଗ ଦ୍ୱାରା ଏକ ବେସରକାରୀ ଠିକାସଂସ୍ଥା ଯୁଦ୍ଧକାଳୀନ ଭିତ୍ତିରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରୁଥିବା ବେଳେ ପ୍ରତିଦିନ କଳିଙ୍ଗା ଘାଟିରେ ବର୍ଷା ହେବା ଫଳରେ ପାହାଡ଼ରୁ ଆସୁଥିବା ପାଣିର ପ୍ରଖର ସ୍ରୋତରେ କାମ ହେଉଛି। ପୁଣି ଭାସି ଯାଉଛି। ଯାହା ଫଳରେ ରାସ୍ତା ନିର୍ମାଣରେ ବିଳମ୍ବ ହେଉଛି।
ଗୁରୁବାରଠାରୁ ଶେଷ ପର୍ଯ୍ୟାୟ କଂକ୍ରିଟ କାମ ଚାଲିଥିବା ବେଳେ ଶନିବାର ପ୍ରବଳ ବର୍ଷା ଯୋଗୁ ସେହି ଦିନ ପଡ଼ିଥିବା କଂକ୍ରିଟ ପାହାଡ଼ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିବା ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁ। ଅସ୍ଥାୟୀ ରାସ୍ତା ନିର୍ମାଣ କାମ ସାରି ଜରୁରୀକାଳିନ ସେବା ନିମନ୍ତେ ଯାତାୟାତ ସମ୍ଭବ କରିବା ପାଇଁ ଯେତେ ଚେଷ୍ଟା କରାଯାଉଛି ତା’ଠାରୁ ଅଧିକ ପ୍ରକୃତି ଦାଉ ସାଧୁଛି ବୋଲି କହିଛନ୍ତି ଅଧିକାରୀ। ତଥାପି ରବିବାର ସକାଳୁ ଜଣାପଡ଼ିବ କେତେ କ୍ଷୟ କ୍ଷତି ହୋଇଛି ଓ କେତେ ମାତ୍ରାରେ ରାସ୍ତାରେ ଢଳେଇ ହୋଇଥିବା କଂକ୍ରିଟ ଭାସି ଯାଇଛି। ରବିବାରଠାରୁ ନିର୍ମାଣ କାମ ଆହୁରି ତ୍ୱରାନ୍ବିତ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।


