ଭୁବନେଶ୍ୱର,୯। ୭: ଝାରପଡ଼ା ଜେଲ୍ରୁ ମୁକୁଳିଲେ ଜଗନ୍ନାଥ ପ୍ରଧାନ। BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ ଜଗନ୍ନାଥ । ଜେଲ୍ରୁ ବାହାରୁ ବାହାରୁ ସ୍ବାଗତ କରିବାକୁ ଶୁଭେଚ୍ଛୁଙ୍କ ଲମ୍ବା ଲାଇନ୍। ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ପହଞ୍ଚିଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ,ଭୁବନେଶ୍ୱର ମହାନଗର ନିଗମ (BMC) ଅତିରିକ୍ତ କମିଶନରଙ୍କ ଉପରେ ଆକ୍ରମଣ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଭାରତୀୟ ନୂତନ ସଂହିତା (BNS) ଅଧୀନରେ ୧୧ଟି ଧାରା ଯଥା ୩୩୩, ୧୩୨, ୧୨୧(୧), ୧୨୧(୨), ୩୫୧(୨), ୬୨, ୩୦୪, ୫୪, ୬୧(୨), ୧୮୯(୨), ଓ ୧୯୦/୩(୫) ଅନୁଯାୟୀ ଅଭିଯୋଗ ରୁଜୁ ହୋଇଥିଲା।
ପୂର୍ବରୁ କୋର୍ଟରେ ଜଗନ୍ନାଥଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।
ଘଟଣା ଅନୁଯାୟୀ, ଗତ ୩୦ ଜୁନରେ ବିଏମସି କାର୍ଯ୍ୟାଳୟରେ ଜନଅଭିଯୋଗ ଶୁଣାଣି ସମୟରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ୬-୭ ଜଣଙ୍କ ଏକ ଗୋଷ୍ଠୀ ଆକ୍ରମଣ କରିଥିଲେ। ସାହୁ ଅଭିଯୋଗ କରିଥିଲେ ଯେ, ଆକ୍ରମଣକାରୀମାନେ ତାଙ୍କୁ କଲରରୁ ଧରି ଟାଣି ନେଇ ମାରପିଟ କରିଥିଲେ ଏବଂ ଜଗନ୍ନାଥ ପ୍ରଧାନଙ୍କ ନାଁରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିଲା, ଯେଉଁମାନଙ୍କ ମଧ୍ୟରେ ଭାଜପା କର୍ପୋରେଟର ଜୀବନ ରାଉତ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ବାଇଁ ଓ ସଞ୍ଜୀବ ମିଶ୍ର ରହିଛନ୍ତି।
ଏହି ମାମଲାରେ ଓଡ଼ିଶା ଆଡମିନିଷ୍ଟ୍ରେଟିଭ ସର୍ଭିସ (ଓଏଏସ) ସଂଘ ଜଗନ୍ନାଥ ପ୍ରଧାନଙ୍କୁ ‘ମୁଖ୍ୟ ଅଭିଯୁକ୍ତ’ ଓ ‘ମାଷ୍ଟରମାଇଣ୍ଡ’ ଭାବେ ଚିହ୍ନଟ କରି ତାଙ୍କ ତୁରନ୍ତ ଗିରଫ ଦାବି କରିଥିଲା। ସଂଘ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଦାବିପତ୍ର ଦେଇ ୩ ଦିନର ଅଲଟିମେଟମ ଜାରି କରିଥିଲା, ଯେଉଁଥିରେ ପ୍ରଧାନଙ୍କ ଗିରଫ ସହ ସମସ୍ତ ଫିଲ୍ଡ ଅଧିକାରୀଙ୍କ ପାଇଁ ସୁରକ୍ଷା ଓ ଘଟଣାର ସର୍ବସାଧାରଣ ନିନ୍ଦା ଦାବି କରାଯାଇଥିଲା। ଏହା ସହିତ ଓଏଏସ ଅଧିକାରୀମାନେ ରାଜ୍ୟର ୨୦ରୁ ଅଧିକ ଜିଲ୍ଲାରେ ମାସ ଲିଭରେ ଯାଇ ପ୍ରଶାସନିକ କାର୍ଯ୍ୟକୁ ପ୍ରଭାବିତ କରିଥିଲେ।


