ନୂଆଦିଲ୍ଲୀ,୧୪।୩: ଜୁନ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ଦୁର୍ଘଟଣା ପରେ ଶନିବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଛି। ମନ୍ତ୍ରଣାଳୟ କହିଛି ଯେ, ଏୟାର ଇଣ୍ଡିଆର ବିମାନ AI-171 ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ପରେ ମାତ୍ର ୬୫୦ ଫୁଟ ଉଚ୍ଚତାରେ ପହଞ୍ଚିଥିଲା, ତା’ପରେ ବିମାନଟି ତଳକୁ ଖସିବା ଆରମ୍ଭ କରିଥିଲା। ଉଡ଼ାଣ ସମାପ୍ତ ହେବାର ଗୋଟିଏ ମିନିଟ ପରେ ପାଇଲଟ ‘ମେ ଡେ’ କଲ୍ ଦେଇଥିଲେ। ଗୋଟିଏ ମିନିଟ ମଧ୍ୟରେ, ମେଘାନୀନଗରର ମେଡିକାଲ ହଷ୍ଟେଲ ପରିସରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ସମୀର ସିହ୍ନା ଏହା ମଧ୍ୟ କହିଛନ୍ତି, ବିପର୍ଯ୍ୟୟ ପୂର୍ବରୁ, ବିମାନଟି କୌଣସି ଯାନ୍ତ୍ରିକ ସମସ୍ୟା ବିନା ପ୍ୟାରିସ-ଦିଲ୍ଲୀ-ଅହମ୍ମଦାବାଦ ଯାତ୍ରା ସମାପ୍ତ କରିଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଦୁର୍ଘଟଣାରେ ଶୋକ ପ୍ରକାଶ କରି କହିଛନ୍ତି,ସେ ମଧ୍ୟ ସଡ଼କ ଦୁର୍ଘଟଣାରେ ତାଙ୍କ ପିତାଙ୍କୁ ହରାଇଛନ୍ତି, ତେଣୁ ପୀଡିତ ପରିବାରର ଦୁଃଖ ବୁଝିପାରିବେ।
ଏୟାର ଇଣ୍ଡିଆ ଦୁର୍ଘଟଣାର ତଦନ୍ତ ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି, ଯାହା ତିନି ମାସ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ। ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ସ୍ତରରୁ ଊର୍ଦ୍ଧ୍ୱ ଅଧିକାରୀମାନେ ରହିବେ। କମିଟି ଦୁର୍ଘଟଣାର କାରଣ ଯାଞ୍ଚ କରିବ, SOP ଏବଂ ନିର୍ଦ୍ଦେଶାବଳୀ ସମୀକ୍ଷା କରିବ ଏବଂ ଭବିଷ୍ୟତରେ ସମାନ ଘଟଣାର ମୁକାବିଲା ପାଇଁ ବ୍ୟାପକ ସୁପାରିଶ କରିବ।
DGCAଙ୍କ ନିର୍ଦ୍ଦେଶରେ, ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର ବିମାନ ଯାଞ୍ଚ କରାଯାଉଛି। ଭାରତରେ ମୋଟ ୩୪ଟି ଡ୍ରିମଲାଇନର ଅଛି, ଯାହା ମଧ୍ୟରୁ ୮ଟି ପରୀକ୍ଷଣ କରାଯାଇଛି। ଦୁର୍ଘଟଣାଗ୍ରସ୍ତ ବିମାନରେ ୨୪୨ ଜଣ ଥିଲେ, ଯାହା ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ କେବଳ ଜଣେ ବ୍ୟକ୍ତି ବଞ୍ଚି ଯାଇଥିଲେ। ଯେଉଁ ମେଡିକାଲ ହଷ୍ଟେଲ ପରିସରରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ସେଠାରେ ୨୦ରୁ ଅଧିକ ଲୋକଙ୍କ ମୃତଦେହ ମଧ୍ୟ ମିଳିଥିଲା।


