ପର୍ବତାରୋହଣ ଦୁଃସାହସିକ କ୍ରୀଡ଼ା ପର୍ଯ୍ୟାୟଭୁକ୍ତ। କିନ୍ତୁ ସେଥିରେ ପ୍ରତିଦ୍ୱନ୍ଦ୍ୱିତା ଶୀର୍ଷ ଛୁଇଁଥିବାରୁ ଗିରିଶୃଙ୍ଗରେ ପହଞ୍ଚତ୍ବାର ରୋମାଞ୍ଚ ପୂର୍ବଭଳି ଆକର୍ଷଣ ସୃଷ୍ଟି କରୁନାହିଁ। ବରଂ ଏହା ଅନେକ ଅନଭିଜ୍ଞଙ୍କ କୋଳାହଳ ଯୋଗୁ ଏକ ଫ୍ୟାଶନ ପାଲଟି ଯାଇଛି। କେବଳ ସେତିକିରେ ଅଟକି ଯାଉନାହିଁ ଯାତ୍ରା। ଠିକ୍ ପ୍ରଶିକ୍ଷିତ ହୋଇ ନ ଥିବା ବହୁ ପର୍ବତ ଚଢ଼ାଳିଙ୍କୁ ଉପରକୁ ଉଠିବା ପାଇଁ ଅନୁମତି ଦିଆଯାଉଥିବାରୁ ଅନେକ ଦୁର୍ଘଟଣା ଘଟୁଛି ଓ ସ୍ଥଳବିଶେଷରେ ସେମାନଙ୍କ ସୁରକ୍ଷା ପ୍ରଶ୍ନବାଚୀରେ ରହିଲାଣି। ଏ ସବୁକୁ ଦେଖି ନେପାଳ ସରକାର ପୃଥିବୀର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଚଢ଼ିବା ନିୟମକୁ କଡ଼ା କରିବାକୁ ଯାଉଛନ୍ତି। ମିଳିଥିବା ଖବର ଅନୁଯାୟୀ ହିମାଳୟବ୍ୟାପ୍ତ ଦେଶରେ ଥିବା କୌଣସି ଗିରିଶୃଙ୍ଗରେ ପୂର୍ବରୁ ୭ ହଜାର ମିଟର ବା ୨୨ ହଜାର ୯୬୫ ପୁଟ ଚଢ଼ିବାର ଅଭିଜ୍ଞତା ରଖିଥିବା ପର୍ବତାରୋହୀଙ୍କୁ ଏଭରେଷ୍ଟ ଯିବାର ସୁଯୋଗ ମିଳିବ। ଉଲ୍ଲେଖଯୋଗ୍ୟ, ଏଭରେଷ୍ଟର ଉଚ୍ଚତା ୮ ହଜାର ୮୪୮ ମିଟର ବା ୨୯,୦୩୨ ଫୁଟ। ଏଥିସହିତ ଗାଇଡ୍ ବା ସେର୍ପାମାନେ ନେପାଳୀ ନାଗରିକ ହୋଇଥିବା ବାଞ୍ଛନୀୟ। ନେପାଳ ସରକାର ଏଭଳି ଚିଠା ଆଇନ ପ୍ରସ୍ତୁତ କରିବା ପଛରେ ରହିଛି ଏଭରେଷ୍ଟରେ ଗହଳି ହ୍ରାସ ଓ ସୁରକ୍ଷା ଦିଗକୁ ଧ୍ୟାନଦେବା। ସୂଚନା ଦିଆଯାଇପାରେ ଯେ ୨୦୨୩ରେ ଏଭରେଷ୍ଟ ଚଢ଼ାଳିଙ୍କ ମଧ୍ୟରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ନିଖୋଜ ହୋଇଥିଲେ। ଗତବର୍ଷ ମଧ୍ୟ ୮ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଥିଲା।
ନେପାଳ ସରକାର ଆଣିବାକୁ ଯାଉଥିବା ନୂଆ ଆଇନ ଆଉ ଗୋଟେ ଦୃଷ୍ଟିରୁ ପରିବେଶ ଅନୁକୂଳ ହେବ ବୋଲି କୁହାଯାଇପାରେ। ଅନେକ ପର୍ବତାରୋହୀଙ୍କୁ ଚଢ଼ିବା ଲାଗି ଅନୁମତି ଦିଆଯିବା ପଛରେ ଅଧିକ ଅର୍ଥ ଉପାର୍ଜନର ଚିନ୍ତା ରହିଛି। କାରଣ ଯେଉଁମାନେ ପର୍ବତ ଚଢ଼ନ୍ତି ସେମାନଙ୍କୁ ଅନୁମତି ପାଇବା ନିମନ୍ତେ ଋତୁକାଳୀନ ସ୍ଥିରୀକୃତ ଆମେରିକୀୟ ଡଲାର ଦେବାକୁ ପଡ଼ିଥାଏ, ଯାହା ନେପାଳ ସରକାରଙ୍କ ପାଖକୁ ଯାଇଥାଏ। ତେବେ ଯେଉଁଭଳି ହାରରେ ଚଢ଼ାଳିଙ୍କ ସଂଖ୍ୟା ବଢ଼ିଛି, ତାହା ଦ୍ୱାରା ସେହି ଅଞ୍ଚଳ ଦିନକୁ ଦିନ ଅଧିକ ପ୍ରଦୂଷିତ ହେବାରେ ଲାଗିଛି। ଗଦାଗଦା ପ୍ଲାଷ୍ଟିକ୍ ବର୍ଜ୍ୟ ଯୋଗୁ ହିମାଳୟର ଏହି ଅଞ୍ଚଳରୁ ଜନ୍ମ ନେଇଥିବା ଅନେକ ନଦୀର ଜଳ ମଧ୍ୟ ଦୂଷିତ ହେଉଛି। ଏଥିସହିତ ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ମାଟି ମଧ୍ୟ ପ୍ରଦୂଷିତ ହେବାରେ ଲାଗିଛି। କହିବାକୁ ଗଲେ ବିସ୍ତୃତ ହିମାଳୟ ଆସ୍ତେ ଆସ୍ତେ ଜୈବ ବିବିଧତା ହରାଉଛି। ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ସିଧାସଳଖ ଅନୁଭବ କରୁଥିବା ବେଳେ ଜୈବ ବିବିଧତାର ଗନ୍ତାଘର ଭାବେ ଦଣ୍ଡାୟମାନ ହିମାଳୟ ଭଳି ମେରୁ ପ୍ରଦୂଷଣ ଯୋଗୁ ଦୋହଲି ଗଲେ ବିପଦ ଆଗକୁ ଆହୁରି ବଡ଼ ରୂପ ଧାରଣ କରିବ। ନେପାଳ ସରକାର ପର୍ବତାରୋହୀଙ୍କ ପାଇଁ କରିଥିବା କଡ଼ା ନିୟମକୁ ପ୍ରତିକାରର ଏକ ଛାଟ ରୂପେ ବିବେଚନା କରାଯାଉ।


